ସାନ ଆର୍ଯ୍ୟପଲ୍ଲୀ ଗାଁରେ ଦୀର୍ଘ ୧୨ ବର୍ଷ ପରେ ଦୁଇ ଅସନ୍ତୋଷ ଗୋଷ୍ଠୀ ହାତ ମିଳାଇଲେ
ଛତ୍ରପୁର, (ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ଦୀର୍ଘ ୧୨ ବର୍ଷର ଅଶାନ୍ତ ବାତାବରଣରେ ପଡିଛି ପୂର୍ଣ୍ଣଛେଦ । ରବିବାର ଗ୍ରାମର ଦୁଇ ଅସନ୍ତୋଷ ଗୋଷ୍ଠୀ ସବୁ ବିବାଦକୁ ପଛରେ ପକାଇ ଏକତ୍ରିତ ହୋଇଛନ୍ତି । ଗାଁର ଏକତା ବଜାୟ ରଖିବା ପାଇଁ ଛତ୍ରପୁର ଉପକଣ୍ଠ ସ୍ଥିତ ମା’ରାମଚଣ୍ଡି ପୀଠରେ ଉଭୟ ଗୋଷ୍ଠୀ ହାତ ମିଶାଇଥିଲେ । ଗ୍ରାମ୍ୟ କମିଟିର ସଭାପତି ଏନ୍.ନାନେୟାଙ୍କ ଅଧ୍ୟକ୍ଷତାରେ କେ.ଏଲେୟା ଓ ବି.ସିମାଦ୍ରୀଙ୍କ ଉଭୟ ଗୋଷ୍ଠୀ ମା’ ରାମଚଣ୍ଡି ପୀଠରେ ଶପଥ କରି ଏକ ମନରେ ଏକତ୍ରିତ ହୋଇ ସମସ୍ତ କାମ କରିବାକୁ ନିଷ୍ପତ୍ତି ନେଇଥିଲେ । ଗାଁରେ ଦୀର୍ଘ ବର୍ଷର ଅସନ୍ତୋଷ ବାତାବରଣକୁ ଶାନ୍ତି ରଖିବା ପାଇଁ ଗ୍ରାମ୍ୟ କମିଟି ପକ୍ଷରୁ ଏହି୍ ପ୍ରୟାସ ନିଆଯାଇଛି । ଏହାସହ ଗ୍ରାମ୍ୟ କମିଟିର ନୂତନ କର୍ମକର୍ତ୍ତା ତଥା ଗ୍ରାମ୍ୟ କମିଟିର ସଭାପତି ଭାବେ ବି.ପୋଲେୟା, ସାଧାରଣ ସଂପାଦକ ଜି.କାମରାଜୁ, ଉପସଭାପତି ଏମ୍.କାମରାଜୁ, ଯୁଗ୍ମ ସଂପାଦକ ବି.ଭୀମ, କୋଷାଧ୍ୟକ୍ଷ ବି.ଉଧବଙ୍କ ସମେତ ୨୧ ଜଣିଆ କମିଟି ଗଠନ ହୋଇଥିଲା ବୋଲି ମତ୍ସ୍ୟଜିବୀ ନେତା ବି.ସିମାଦ୍ରୀ ସୂଚନା ଦେଇଛନ୍ତି । ଆସନ୍ତା ଦିନରେ ଏହି ଗ୍ରାମ୍ୟ କମିଟି ନେତୃତ୍ୱରେ ରାଜନୈତିକ ବିଷୟ ଠାରୁ ଆରମ୍ଭ ସମସ୍ତ କ୍ଷେତ୍ରରେ ଏକତାର ସହ କାମ କରିବାକୁ ନିଷ୍ପତ୍ତି ହୋଇଥିଲା । ସେହିପରି ସାନ ଆର୍ଯ୍ୟପଲ୍ଲୀ ଗ୍ରାମ ଅଧୀନରେ ପରିଚାଳିତ ହେଉଥିବା ଗୋପାଳପୁର ପୋର୍ଟ ମଜଦୂର ୟୁନିଅନ୍ର ମଧ୍ୟ ନୂତନ କର୍ମକର୍ତ୍ତା ତଥା ୟୁନିଅନର ସଭାପତି କେ.ଏଲେୟା, ସାଧାରଣ ସଂପାଦକ ବି.ସିମାଦ୍ରୀ, ଉପସଭାପତି ଏମ୍.ତାତେୟା ଓ ବି.ଭୀମ, ଯୁଗ୍ମ ସମ୍ପାଦକ ପି.ରାମବାବୁ ଓ ଏନ.ଦୀନବନ୍ଧୁ , କୋଷାଧ୍ୟକ୍ଷ ଡି.ମାସିୟାନୁଙ୍କ ସମେତ ୨୧ ଜଣିଆ କମିଟି ଗଠନ ପାଇଁ ଏକ ଚୂଡାନ୍ତ ନିଷ୍ପତ୍ତି ହୋଇଥିଲା । ଆଗାମୀ ଦିନରେ ଏହି ୟୁନିୟନ୍ ଜିଲ୍ଲା ପ୍ରଶାସନକୁ ସମ୍ମାନ ଜଣାଇବା ସହ ଗୋପାଳପୁର ବନ୍ଦରରେ ଲାଗି ରହିଥିବା ବିଭିନ୍ନ ବିବାଦକୁ ସମାଧାନ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ୟୁନିଅନ୍ର ସଭାପତି କେ.ଏଲେୟା କହିଛନ୍ତି । ସର୍ବଶେଷରେ ଗ୍ରାମର ଦୁଇଗୋଷ୍ଠୀଙ୍କୁ ମିଶାଇବା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ଛାତ୍ର ବିଜେଡି ରାଜ୍ୟ ସଂପାଦକ ବିମଳ କୁମାର ପଣ୍ଡାଙ୍କୁ ଗ୍ରାମ୍ୟ କମିଟି ତରଫରୁ କୃତଜ୍ଞତା ଜଣାଇଛନ୍ତି ।