ସାପ୍ତାହିକ ହାଟରେ ଯୁବକକୁ ଛୁରୀ ଭୂଷି ହତ୍ୟା
ପାରଳାଖେମୁଣ୍ଡି,(ତାରିଣୀ ପଣ୍ଡା ): ଗଜପତି ଜିଲ୍ଲା ରାୟଗଡ ଥାନା ଅଧିନ ଜିରାଙ୍ଗ ସାପ୍ତାହିକ ହାଟରେ ଏକ ଅଭାବନୀୟ ଘଟଣା ଘଟିଛି । ଜନଗହଳିପୂର୍ଣ୍ଣ ହାଟରେ ଜଣେ ଯୁବକକୁ ଛୁରୀରେ ଭୂଷି ହତ୍ୟା କରିଛି ଆକ୍ରମଣକାରୀ । ଗୁରୁତର ଅବସ୍ଥାରେ ଯୁବକକୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସେଠାରେ ଡାକ୍ତର ଯୁବକଙ୍କ ମୃତ୍ୟୁ ଘୋଷଣା କରିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ରାସିବାଡ ଗ୍ରାମର ରଞ୍ଜିତ କୁମାର ଦଣ୍ଡିଆ (୩୫) । ଜିରାଙ୍ଗ ବିଟ୍ ହାଉସ୍ ପୋଲିସ ଆକ୍ରମଣକାରୀକୁ କାବୁ କରି ନେଇଥିବାବେଳେ ରାୟଗଡ ଥ।।ନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଅଧିନ କଙ୍କରଡା ଗ୍ରାମର ବାପୁନୀ ଆଚାରୀ (୩୦) ବୋଲି ଜଣାପଡ଼ିଛି । ମୃତକଙ୍କ ବାପା ଅଜାମ୍ବର ଦଣ୍ଡିଆଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ପୋଳିସ କେସ୍ନଂ ୭୯/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତକାରୀ ଅଫିସର ଏସଡିପିଓ ରାମକୃଷ୍ଣ ପତି ତଦନ୍ତ ଚଳାଇଥିବା ରାୟଗଡା ଥାନା ଅଧିକାରୀ ଗୋବିନ୍ଦ ଗୌଡ ସୂଚନା ଦେଇଛନ୍ତି । ତେବେ ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତକଙ୍କ ସ୍ତ୍ରୀ ସୁଚିତ୍ରା ଦଣ୍ଡିଆ କହିବାନୁସାରେ ତାଙ୍କ ବିବାହ ପୂର୍ବରୁ ଅଭିଯୁକ୍ତ ବାପୁନି ତାଙ୍କୁ ପ୍ରେମ ନିବେଦନ କରି ଆସୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ରଞ୍ଜିତଙ୍କୁ ବିବାହ କରିଥିଲେ । ଇତିମଧ୍ୟରେ ଆକ୍ରମଣକାରୀ ଆସି ସୁଚିତ୍ରାକୁ ଅନେକ ଥର ହଇରାଣ ହରକତ କରି ଆସୁଥିବାବେଳେ ଆଜି ସ୍ୱାମୀ ସହ ଜିରାଙ୍ଗ ସାପ୍ତାହିକ ହାଟକୁ ଯାଇଥିବା ସମୟରେ ଅତର୍କିତ ଭାବେ ସ୍ୱାମୀ ରଞ୍ଜିତକୁ ଛୁରୀରେ ଆକ୍ରମଣ କରିଥିଲା । ଉକ୍ତ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।


