ସାପ କାମୁଡାରେ ବାଳକର ମୃତ୍ୟୁ
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ସୋମବାର ବନ୍ତ ଥାନା ସଖିପାଟଣା ଗ୍ରାମର ଘନଶ୍ୟାମ ବେହେରାଙ୍କ ପୁଅ ଆଦିତ୍ୟ(୬)ଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଛି । ଗତକାଲି ରାତିରେ ପରିବାର ଲୋକେ ଖାଇପିଇ ଶୋଇବା ପରେ ରାତି୧୨ଟା ବେଳେ ଆଦିତ୍ୟଙ୍କୁ କାଶ ହୋଇଥିଲା । ପରିବାରଲୋକେ ମସାରୀ ଭିତରେ ଗୋଟିଏ ରଣା ସାପକୁ ଦେଖିବାକୁ ପାଇଥିଲେ । ପରେ ପରିବାର ଲୋକେ ଆଦିତ୍ୟଙ୍କୁ ରାତିରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେଠାରେ ଶବ ବ୍ୟବଚ୍ଛେଦ କରାଯାଇ ମୃତ ଦେହକୁ ଗ୍ରାମକୁ ଅଣାଯିବା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା । ମୃତ ଆଦିତ୍ୟ ସଖିପାଟଣା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲେ । ସେ ବାପାମାଆଙ୍କର ଏକମାତ୍ର ପୁଅ ଥିବାରୁ ପରିବାର ବର୍ଗ ଶୋକରେ ଭାଂଗି ପଡିଛନ୍ତି ।