ସାବରିମାଲା ମାମଲା ବୃହତ୍ତର ଖଣ୍ଡପୀଠକୁ ପଠାଇଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ, (ଯୁଗାବ୍ଦ ନ୍ୟୁଜ) : ଗୁରୁବାର ଦିନ ସୁପ୍ରିମ୍କୋର୍ଟ ସାବରିମାଲା ମନ୍ଦିର ମାମଲାର ବିଚାର ଏକ ବୃହତ୍ତର ଖଣ୍ଡପୀଠ ଦ୍ୱାରା କରାଯିବାକୁ ସୁପାରିସ କରିଛନ୍ତି । ସୁପ୍ରିମ୍କୋର୍ଟଙ୍କ ପୂର୍ବ ନିଷ୍ପତ୍ତିର ବିଚାର ନିମନ୍ତେ ପାଞ୍ଚଜଣିଆ ବିଚାରପତି ବିଶିଷ୍ଟ ସାମ୍ୱିଧାନିକ ଖଣ୍ଡପୀଠ ୩: ୨ ଗରିଷ୍ଠତା ଅନୁପାତରେ ୭ ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠଙ୍କୁ ରେଫର୍ କରିଛନ୍ତି । ମାମଲାର ବିଚାର ସମୟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏ ଏମ୍ ଖାନ୍ୱାଲିକର୍ ଏବଂ ଇନ୍ଦୁ ମାଲହୋତ୍ରା ସାବରିମାଲା ମାମଲା ୭ ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଦ୍ୱାରା ବିଚାର ହେଉ ବୋଲି ମତ ରଖିଥିଲେ । ଏହି ତିନି ଜଣ ନିଜ ରାୟରେ କହିଛନ୍ତି ଯେ ଧାର୍ମିକ ବିଶ୍ୱାସ ଏବଂ ପ୍ରଥା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇଥିବାରୁ ଏହା ୭ଜଣିଆ ଖଣ୍ଡପୀଠଙ୍କ ବିଚାର ଆବଶ୍ୟକ କରୁଛି । ପାଞ୍ଚଜଣିଆ ସାମ୍ୱିଧାନିକ ଖଣ୍ଡପୀଠର ଅନ୍ୟ ଦୁଇ ବିଚାରପତି ଭିନ୍ନ ମତ ପୋଷଣ କରିଥିଲେ । ବାର୍ଷିକ ତିନିମାସିଆ ତୀର୍ଥାଟନ ନିମନ୍ତେ ନଭେମ୍ୱର ୧୭ ତାରିଖରେ ସାବରିମାଲା ମନ୍ଦିର ଖୋଲିବ । ୧୦ରୁ ୫୦ ବର୍ଷ ବୟସ୍କା କିଶୋରୀ ଏବଂ ମହିଳାମାନଙ୍କ ଲାଗି ବାରଣ କରାଯାଇଥିବା ମନ୍ଦିର ପ୍ରବେଶ ନିୟମକୁ ୨୦୧୮ ମସିହା ସେପ୍ଟେମ୍ୱର ୧୮ ତାରିଖରେ ସୁପ୍ରିମ୍କୋର୍ଟ ନିଷିଦ୍ଧ କରିଥିଲେ । ଏହାକୁ ବିରୋଧ କରି ପ୍ରାୟ ୬୫ଟି ପିଟିସନ୍ ସୁପ୍ରିମ୍କୋର୍ଟରେ ଦାଏର ହୋଇଥିଲା । ୪:୧ ଅନୁପାତ ସଂଖ୍ୟା ଗରିଷ୍ଠତା ରାୟ ଭିତ୍ତିରେ ସୁପ୍ରିମ୍କୋର୍ଟ ମହିଳାଙ୍କୁ ସାବରିମାଲା ମନ୍ଦିର ବାରଣ ପ୍ରଥାକୁ ବେଆଇନ ଏବଂ ଅଣସାମ୍ୱିଧାନିକ ବୋଲି ଘାଷଣା କରିଥିଲେ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ପାଞ୍ଚଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ଏସବୁ ରିଭ୍ୟୁ ପିଟିସନ୍ ଉପରେ ନେଇଥିବା ନିଷ୍ପତ୍ତିକୁ ଫେବ୍ରୁଆରି ୬ ତାରିଖ ଦିନ ସଂରକ୍ଷିତ ରଖିଥିଲେ ।


