ସାମାଜିକ ସୁରକ୍ଷା ବିଭାଗର ସମୀକ୍ଷା କଲେ ସଚିବ
ଛତ୍ରପୁର, (ଦେବଦତ୍ତ ମହାରଣା) :ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର କମିସନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଶୁକ୍ରବାର ଗଞ୍ଜାମ ଜିଲ୍ଲାକୁ ଗସ୍ତ କରି ଜିଲ୍ଲା ସମାଜିକ ସୁରକ୍ଷା ବିଭାଗର ସମୀକ୍ଷା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଚିବ ଶର୍ମା ଅଧ୍ୟକ୍ଷତା କରି ଏଣିକି ସ୍ୱତନ୍ତ୍ର ଭାବେ ତଥା କଡାକଡି ଭାବେ ପଞ୍ଚାୟତସ୍ତରରୁ ଯୋଗ୍ୟ ଓ ମୃତ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ହେବ । ଯଦ୍ୱାରା ବିଭିନ୍ନ ବର୍ଗର ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଦେଇପାରିବା । ଏହାସହ ଯେଉଁ ହିତାଧିକାରୀ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟ ସଠିକ୍ ତଥ୍ୟ ସାମ୍ନାକୁ ଆସିବ । ସେମାନଙ୍କ ସ୍ଥାନରେ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇପାରିବ । ଏଣୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀମାନେ ପଞ୍ଚାୟତ ସ୍ତରରେ ବୁଲି ଅନୁଧ୍ୟାନ କରିବାକୁ ହେବ । ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ୯ ହଜାର ୧୩୮ ମୃତ ହିତାଧିକାରୀଙ୍କୁ ଚିହ୍ନଟ ହୋଇପାରିଛି । ଆଗକୁ ପଞ୍ଚାୟତସ୍ତରରେ ସିଠକ୍ ଯାଞ୍ଚ କରାଗଲେ ଏହାର ସଂଖ୍ୟା ବୃଦ୍ଧି ପାଇବ । ଏହାସହ ଯେଉଁ ହିତାଧିକାରୀ ଭତ୍ତା ପାଇବା ପାଇଁ ଯୋଗ୍ୟ ଥିବେ ସେମାନଙ୍କ ମଧ୍ୟ ତଥ୍ୟ ଜଣାପଡିବ । ଜିଲ୍ଲାରେ ଭେକେନ୍ସି ଟାର୍ଗେଟ୍ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଏହାପରେ ଯଦି ଆବଶ୍ୟକ ପଡିବ ତେବେ ସରକାରଙ୍କୁ ଏଦିଗରେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି । ସେହିପରି ସରକାର ଦେଉଥିବା ଭତ୍ତା ଟଙ୍କାକୁ ଯେଉଁ ହିତାଧିକାରୀମାନେ ମାସ ମାସ ଧରି ନେଉନାହାନ୍ତି ସେମାନଙ୍କୁ ୱେବ୍ସାଇଡ୍ରୁ ବାଦ୍ ଦିଆଯାଉ । ବ୍ରହ୍ମପୁର ମହାନଗର ନିଗମ ହିତାଧିକାରୀଙ୍କ ଆବେଦନକୁ ଓ ମଞ୍ଜୁରୀକୁ ଅନଲାଇନ୍ ମାଧ୍ୟମରେ କରିବାକୁ ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ହିତାଧିକାରୀଙ୍କ ଶତପ୍ରତିଶତ ଆଧାର ସିଡିଂ କରିବାକୁ କହିଛନ୍ତି । ଛାତ୍ରଛାତ୍ରୀଙ୍କ କିମ୍ବା ଯୁବ ଗୋଷ୍ଠୀମାନଙ୍କ କୌଣସି କାରଣରୁ ଗୋଡ ହାତ କଟିଯାଇଥାଏ । ସେମାନଙ୍କୁ ଏଆରସି ସ୍କିମ୍ରେ ରୋବଟିକ୍ ସୁବିଧା ଯୋଗାଇ ଦେବାକୁ କୁହାଯାଇଛି । ଡିଆରଆଇ ଋଣ ବିଭିନ୍ନ କାରଣକୁ ହିତାଧିକାରୀଙ୍କୁ ଦେବାରେ ସମସ୍ୟା ରହିଛି ଉକ୍ତ ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ ସେ କହିଛନ୍ତି । ସମୀକ୍ଷା ବୈଠକରେ ସଚିବ ଶ୍ରୀ ଶର୍ମା ପାଲୁର ହିଲ୍ରେ ଥିବା ଆଇଆସି ସେଣ୍ଟରୁ ପରିଦର୍ଶନ କରି ସେଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାର ସାମାଜିକ ସୁରକ୍ଷା ଯୋଜନାରେ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ବିଧବା, କୁଷ୍ଠରୋଗୀ, ଏଡ୍ସ ରୋଗୀ ଓ ଅସହାୟ ଏକାକୀ ମହିଳା ଆଦି ଗଞ୍ଜାମ ଜିଲ୍ଲାର ୩ ଲକ୍ଷ ୬୯ ହଜାର ୮୫୧ ଜଣ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ଦିଆଯାଉଛି । ସେଥିରୁ କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ଏବେ ଜିଲ୍ଲାରୁ ୧ ଲକ୍ଷ ୪୯ ହଜାର ୪୩୬ ଜଣ ହିତାଧିକାରୀ ପାଉଛନ୍ତି । ରାଜ୍ୟ ସରକାରଙ୍କ ମଧୁବାବୁ ପେନ୍ସେନ୍ ଯୋଜନାରେ ୬୦ ବର୍ଷରୁ ଅଧିକା ବୟସ୍କ ବ୍ୟକ୍ତି, ଦିବ୍ୟାଙ୍ଗ, ବିଧବା, କୃଷ୍ଠରୋଗୀ, ଏଡ୍ସ ରୋଗୀ, ଅସହାୟ ଏକାକି ମହିଳା ଆଦି ୨ ଲକ୍ଷ ୨୦ ହଜାର ୪୧୫ ଜଣ ଭତ୍ତା ପାଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ଏହି ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା, ବ୍ରହ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ଭଞ୍ଜନଗର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଆସିଓ ଶବରଙ୍କ ସମେତ ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ବିଭାଗୀୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।