ସାମାନ୍ୟ ବର୍ଷାରେ ଜମ୍ଭୀରା ରାସ୍ତାରେ ଆଣ୍ଠୁଏ ପାଣି, ଯାତାୟତରେ ବାଧା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଜମ୍ଭୀରା ରାସ୍ତାରେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଥିବାରୁ ଲୋକମାନେ ଯାତାୟାତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ପୁର୍ତ୍ତ ବିଭାଗ ରାସ୍ତାଠାରୁ ଜମ୍ଭୀରା ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟିରେ ଜଳନିଷ୍କାସନର ସୁବିଧା ନଥିବାରୁ ସାମାନ୍ୟ ବର୍ଷାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି । ଯାହାଦ୍ୱାରା ସ୍କୁଲ ଛାତ୍ରଛାତ୍ରୀ ମାନେ ସ୍କୁଲ ଯାଇପାରୁ ନଥିବାବେଳେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ରାସ୍ତା ନିର୍ମାଣ ବେଳେ ରାସ୍ତାର ଉଚ୍ଚତା ଠିକ ଭାବେ ହୋଇ ନଥିବାରୁ ଏପରି ଅସୁବିଧା ହେଉଥିବା କୁହାଯାଉଛି । ବର୍ଷାପାଣି ଜମି ରହିବା ଦ୍ୱାରା ସେଠାରେ ମାଟିସବୁ ଜମିରହି କାଦୁଅ ରାସ୍ତାରେ ପରିଣତ ହୋଇଗଲାଣି । ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ରାସ୍ତାର ଉଚ୍ଚତା ବୃଦ୍ଧି କରିବା ସହିତ ଜଳନିସ୍କାସନର ବ୍ୟବସ୍ଥା ପାଇଁ ଡ୍ରେନେଜ ନିର୍ମାଣ କରିବାକୁ ସରପଞ୍ଚ ଘନଶ୍ୟାମ ମଲ୍ଲିକ, ଜଗତ ମିଶ୍ର, ସୁବାସ ଓଝା, ବିନୋଦ ଗିରି, ଦୟାନିଧି ବାରିକ, ଅ୍ରନାମ ବାରିକ, ରାମଚନ୍ଦ୍ର ରାଉତ ପ୍ରମୁଖ ଦାବି କରିଛନ୍ତି ।