ସାମୂହିକ ପ୍ରତିବାଦ ପାଇଁ ସିଭିଲ ସୋସାଇଟିର ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା) :-ସୌନ୍ଦର୍ଯ୍ୟକରଣ ଆଳରେ ହାଇସ୍କୁଲ ପରିସର ଓ ପାଚେରୀ ପାଶ୍ୱର୍ରେ ଥିବା ବହୁ ପୁରାତନ ବଡ଼ବଡ଼ ଗଛକୁ କଟାଯିବାକୁ ନେଇ ସିଭିଲ ସୋସାଇଟି ଉଦବେଗ ପ୍ରକାଶ କରିଛି । ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଂପାଦକ ମନୋଜ ନାୟକ ଯୋଗଦେଇ ପ୍ରଶାସନର ଗଛକଟା ନୀତିକୁ ସମାଲୋଚନା କରିଥିଲେ । ଗତ ଡିସେମ୍ବର ମାସରେ ବାଲେଶ୍ୱର ଜିଲାପାଳଙ୍କ ଦପ୍ତର ମୁଖ୍ୟ ଫାଟକ ପାଶ୍ୱର୍ରେ ଥିବା ବହୁ ପୁରାତନ ଗଛକୁ କାଟି ଦିଆଯାଇଥିଲା । ସେ ସମୟରେ ପ୍ରଥମେ ସିଭିଲ୍ ସୋସାଇଟି ଓ ଅନ୍ୟ କେତେକ ସାମାଜିକ ସଂଗଠନ ଏହାର ଦୃଢ଼ ପ୍ରତିବାଦ କରିଥିଲେ । ପୁନଶ୍ଚ ଜିଲା ପ୍ରଶାସନ ଏବଂ ଜଙ୍ଗଲ ଓ ପରିବେଶ ଅଧିକାରୀଙ୍କ ଜ୍ଞାତସାରରେ ପୁଲିସ ହାଇସ୍କୁଲ୍ ପାଶ୍ୱର୍ରେ ଗଛ କଟାଯାଇଛି । ବର, ନିମ୍ବ, ଇଉକାଲିପଟାସ ଓ ଅନ୍ୟାନ୍ୟ ଗଛଗୁଡ଼ିକୁ କାଟି ଦିଆଯାଉଛି । ସମଗ୍ର ବିଶ୍ୱରେ ପରିବେଶର ସୁରକ୍ଷା ପାଇଁ ସବୁଜବଳୟ ସୃଷ୍ଟ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ସରକାରଙ୍କ ପକ୍ଷରୁ ବନୀକରଣ ଉପରେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଛି । ଏଭଳି ସ୍ଥିତିରେ ବାଲେଶ୍ୱର ସହରରେ ଏପରି ଲଗାତର ଗଛକଟାକୁ ବୈଠକରେ ଦୃଢ଼ ନିନ୍ଦା କରାଯାଇଛି । କରୋନା ସଂକ୍ରମଣର ୧ମ ଓ ୨ୟ ପର୍ଯ୍ୟାୟରେ ଅମ୍ଳଯାନ ଅଭାବରୁ ବହୁ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଘଟଣା ମାନବ ସମାଜକୁ ବୃକ୍ଷର ଜରୁରୀ ଆବଶ୍ୟକତା ସଂପର୍କରେ ସଚେତନ କରାଇଥିବାବେଳେ ସରକାରୀ ଅଧିକାରୀମାନେ ବିକାଶ ଆଳରେ ଗଛଗୁଡ଼ିକ କାଟିବାକୁ ଅନୁମତି ଦେବା ଘଟଣାରେ ସିଭିଲ୍ ସୋସାଇଟି ବିସ୍ମୟ ପ୍ରକାଶ କରିଛି । ଗଛଗୁଡ଼ିକୁ ରକ୍ଷା କରାଯାଇ କିପରି ବିକାଶକାର୍ଯ୍ୟ ହୋଇପାରିବ ସେ ସଂପର୍କରେ ଜିଲାପାଳ କିମ୍ବା ଉପ-ଜିଲାପାଳ ଧ୍ୟାନ ଦେବା ଜରୁରୀ ବୋଲି ବୈଠକରେ ମତପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନର ଏତାଦୃଶ କାର୍ଯ୍ୟକୁ ବିଭିନ୍ନ ସାମାଜିକ ସଂଗଠନ ଓ ପରିବେଶବିତ ବୁଦ୍ଧିଜୀବୀମାନେ ପ୍ରତିବାଦ କରିବାକୁ କମିଟି ନିବେଦନ କରିଛି । ଉଠାଜଳସେଚନ କର୍ମଚାରୀ ଭବନରେ ଆୟୋଜିତ ସୋସାଇଟ ବୈଠକରେ ଲକ୍ଷ୍ମୀଧର ବେହେରା, ସୁଦର୍ଶନ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ସୀତାରାମ ପ୍ରଧାନ, ରଘୁନାଥ ଲେଙ୍କା, ସନ୍ଧ୍ୟା ଭୂୟାଁ, ପରମାନନ୍ଦ ପଣ୍ଡା, ସଞ୍ଜୀତ କୁମାର ପତି, ଭରତ ଚନ୍ଦ୍ର ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ୟାମସୁନ୍ଦର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ