ସାମ୍ବାଦିକଙ୍କୁ ହତ୍ୟା ଧମକ ଘଟଣା: ବଦଳିଲେ ଗୋପ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ପୂରଣ ହେଲା ସାମ୍ବାଦିକଙ୍କ ଦାବି
ଗୋପ, (ଗଣେଶ ବେହେରା): ଗୋପ-କୋଣାର୍କ ଅଞ୍ଚଳର କନକ ନ୍ୟୁଜ୍ରେ କାର୍ଯ୍ୟରତ ସାମ୍ବାଦିକ ସନ୍ତୋଷ ରାୟଙ୍କୁ ଗୋପ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ ହତ୍ୟା ଧମକ ଦେବା ଘଟଣାରେ ବଦଳିଛନ୍ତି ଗୋପ ଥାନାଧିକାରୀ । ଘଟଣାରୁ ପ୍ରକାଶ ଯେ, ଗତ ଜୁଲାଇ ମାସ ୨ ତାରିଖରେ ଗୋପ ଥାନା ଅଧିନ ଗଣେଶ୍ୱରପୁର ପଞ୍ଚାୟତ ସ୍ଥିତ କେସିଙ୍ଗା ଗ୍ରାମର ମଧୁସୂଦନ ମହାପାତ୍ରଙ୍କୁ ସେହି ଗ୍ରାମର ବାସୁଦେବ ମହାପାତ୍ର ଏକ ଟାଙ୍ଗିଆ ସାହାଯ୍ୟରେ ତାଙ୍କ ବେକକୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ଏହି ଘଟଣାକୁ ଚପାଇଦେବା ଲାଗି ପୋଲିସ୍ ରୀତିମତ ଉଦ୍ୟମ ଚଲାଇଥିବାବେଳେ ମଧୁସୂଦନଙ୍କ ଭାଇ ଥାନାଧିକାରୀଙ୍କୁ ଟେଲିଫୋନ୍ କରି ଏହି ମାମଲା ସଂପର୍କରେ ପଚାରିଥିବାବେଳେ ଥାନାଧିକାରୀ ଆଜି ନହେଲେ କାଲି ନହେଲେ ମାସେ, ନହେଲେ ବର୍ଷକ ପରେ ବୁଝାଯିବ ବୋଲି କହି କଥାକୁ ଏଡ଼ାଇ ଦେଇଥିଲେ । ଏହାର ଅଡ଼ିଓ ଭାଇରାଲ ହେବା ପରେ କେତେକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାବେଳେ ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରଣ ହୋଇଥିଲା । ପରେ ଥାନାଧିକାରୀ ପ୍ରତିହିଂସା ପରାୟଣ ହୋଇ ଗୋପର ଜୈନିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ରାତ୍ରୀ ପ୍ରାୟ ୧ଟା ସମୟରେ ଟେଲିଫୋନ୍ କରି ମୋର ରେକର୍ଡ଼ ଖରାପ । ରିପୋର୍ଟର ସନ୍ତୋଷ ରାୟଙ୍କୁ ଗୁଳି କରି ମାରି ଦେବି ବୋଲି ଧମକ ଦେଇଥିଲେ । ପରେ ପୁନରାୟ ଏକ ଅଡ଼ିଓ ସାମ୍ନାକୁ ଆସିବା ପରେ ଗୋପରେ ସାମ୍ବାଦିକମାନେ ଏକତ୍ରିତ ହୋଇ ଏକ ବୈଠକ ଡ଼ାକିଥିଲେ । ନିଷ୍ପତ୍ତି ଅନୁଯାୟୀ ପୁରୀ ଜିଲାର ଅସ୍ତରଙ୍ଗ, କାକଟପୁର, ଗୋପ, କୋଣାର୍କ, ନୟାହାଟ, ଚାରିଛକ, ନିମାପଡ଼ା, ପିପିଲି, ସତ୍ୟବାଦୀ, ବଳଙ୍ଗା ଆଦି ଅଞ୍ଚଳର ଶତାଧିକ ସାମ୍ବାଦିକ ଆଖଣ୍ଡଳେଶ୍ୱର ଶୈବ ପୀଠରେ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିଥିଲେ । ପରେ ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର, ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୁରୀ ଜିଲା ପେଷାଦାର ସାମ୍ବାଦିକ ସଂଘ ସଭାପତି ତିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ ଗୋପ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା । ଆଇଆଇସିଙ୍କୁ ଜିଲାରୁ ଅନ୍ୟତ୍ର ବଦଳି କରିବା କିମ୍ବା ତାଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଦାବି କରିବା ପରେ ଏହି ଘଟଣାକୁ ରାଜ୍ୟ ପୋଲିସ୍ ବିଭାଗ ଗୁରୁତର ସହ ନେଇ ଇନିସ୍ପେକ୍ଟର ଜେନେରାଲ କାର୍ଯ୍ୟାଳୟଙ୍କ ପତ୍ରସଂଖ୍ୟା ନଂ ୧୪୭, ତା୧୦.୦୮.୨୦୨୧ରିଖରେ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନଙ୍କୁ ପୁରୀ ଜିଲାରୁ ଯାଜପୁର ଜିଲାକୁ ବଦଳି କରାଯାଇଥିବା ଜଣାପଡ଼ିଛି ।