ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଦାବି ପତ୍ର ପ୍ରଦାନ

କରୋନା ଯୋଦ୍ଧା ମାନ୍ୟତା ଓ ଘୋଷିତ ବୀମା ରାଶି ପ୍ରଦାନ ଦାବି କଲା ପ୍ରେସକ୍ଳବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ବର୍ତମାନ ଗଞ୍ଜାମ ଜିଲ୍ଲା କରୋନାର ବାରୁଦ ଗଦା ଉପରେ ଠିଆ ହୋଇଛି । ତଥାପି ଏହାକୁ ହଟାଇବା ପାଇଁ ଅନେକ କରୋନା ଯୋଦ୍ଧା ନିଜ ଉଦ୍ୟମ ଜାରି ରଖିଛନ୍ତି । ସେଥି ମଧ୍ୟରୁ ଅନ୍ୟତମ କରେନା ଯୋଦ୍ଧା ହେଉଛନ୍ତି ଗଣମାଧ୍ୟମ ପ୍ରତିନିଧି । ଯେଉଁମାନେ ନିଜ ପରିବାରର ସ୍ୱାର୍ଥକୁ ଛାଡ଼ି ଜୀବନକୁ ପାଣି ଛଡ଼ାଇ ଏହି ଯୁଦ୍ଧରେ ସାମିଲ ହୋଇ ଜନସାଧାରଣଙ୍କ ନିକଟରେ କରେନାର ଟିକିନିଖ ଖବର ସହ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ଖବର ମାଧ୍ୟମରେ ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ କରୋନା ଜନିତ ମୃତ୍ୟୁ ଘଟିଲେ ୧୫ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ଏକ ଦୁଃଖର ବିଷୟଗତ କିଛି ଦିନ ତଳେ ଖବର ସଂଗ୍ରହ ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପ୍ରେସକ୍ଳବର ସଭାପତି ତଥା ଦୈନିକ ଓଡ଼ିଆ ଖବରକାଗଜର ସାମ୍ବାଦିକ ସ୍ୱର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ (ମୁନୁ) କରେନା ଜନିତ ରୋଗରେ ଆକ୍ରାନ୍ତ ହୋଇ ଗତ ୧୧ ତାରିଖରେ ଭୂବନେଶ୍ୱର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧିନ ସମୟରେ ମୃତ୍ୟୁ ବରଣ କରିଥିଲେ । ଯାହାକୁ ନେଇ ସାରା ରାଜ୍ୟ ସମେତ ଗଞ୍ଜାମ ଜିଲ୍ଲା ଓ ହିଞ୍ଜିଳିକାଟୁ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ଚରୋନା ଜନିତ ରୋଗରେ ରାଜ୍ୟର ପ୍ରଥମ ସାମ୍ବାଦିକ ଭାବେ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ସାରା ରାଜ୍ୟର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଦୁର୍ଭାଗ୍ୟର କଥା ସାମ୍ବାଦିକ ସ୍ୱର୍ଗତ ପଟ୍ଟନାୟକଙ୍କ ମୃତ୍ୟୁର ବହୁ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରାଯାଇନାହିଁ । ଏହା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୧୫ ଲକ୍ଷ ଟଙ୍କା ବୀମା ରାଶି ତାଙ୍କ ପରିବାରକୁ ପ୍ରଦାନ କରାଯାଇନାହିଁ । ଯାହାକି ଏକ ଦୁର୍ଭାଗ୍ୟ ଓ ନିନ୍ଦନୀୟକଥା ବୋଲି କହିଛି ହିଞ୍ଜିଳିକାଟୁ ପ୍ରେସକ୍ଳବ । ଏ ନେଇ ହିଞ୍ଜିଳିକାଟୁ ପ୍ରେସକ୍ଳବ ପକ୍ଷରୁ ସମସ୍ତ ସଦସ୍ୟ ଏକତ୍ରିତ ହୋଇ ସରକାର ଦେଇଥିବା ପ୍ରତିଶୃତି ପୁରଣ ନହେବା ସହ ଅବହେଳା କରାଯାଇଥିବାରୁ ଏହାକୁ ନିନ୍ଦା କରିଥିଲେ । ଜିଲ୍ଲା ପ୍ରଶାସନ ଓ ସରକାର ଏ ସମ୍ପର୍କରେ ଆଲୋଚନା କରି ମୃତ ସାମ୍ବାଦିକଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିବା ସହ ତାଙ୍କ ପରିବାରକୁ ଘୋଷିତ ୧୫ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରିବାକୁ ହିଞ୍ଜିଳିକାଟୁ ପ୍ରେସକ୍ଳବ ଦାବି କରିଛି । ଏ ନେଇ ମଙ୍ଗଳବାର ହିଞ୍ଜିଳିକାଟୁ ପ୍ରେସକ୍ଳବ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଅବସରରେ ପ୍ରେସକ୍ଳବ ସମ୍ପାଦକ ଦ୍ୱିତୀକୃଷ୍ଣ ପଣ୍ଡା, ସାମ୍ବାଦିକ ଶେଷଦେବ ସାହୁ, ବିଭୁପ୍ରସାଦ ପଣ୍ଡା, ବିଶ୍ୱମ୍ବର ସାହୁ, ପ୍ୟାରୀମୋହନ ପାଢି, ଲଲିତ ମୋହନ ପୋଲାଇ, ଦ୍ୱୀତିକୃଷ୍ଣ ସାବତ, ବିଦ୍ୟାଧର ପାଣିଗ୍ରାହୀ, ନିଳାଚଂଳ ସାହୁ, ରଜନିକାନ୍ତ ପାତ୍ର, ପବିତ୍ର ପାତ୍ର, ସରୋଜ କୁମାର ପାଢି, କୌଳାଶପତି ଦାଶ, ବସନ୍ତ କୁମାର ପଟ୍ଟନାୟକ, ସିମାଂଚଳ ନାହାକ, ହିମାଂଶୁ ବେହେରା, ଆକାଶ ପଟ୍ଟନାୟକଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ