ସାମ୍ବାଦିକଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗତ ୨୪ ବର୍ଷର ନବୀନ ସରକାରଙ୍କ ଶାସନରେ ଗଣମାଧ୍ୟମରେ କାର୍ଯ୍ୟରତ ପ୍ରତିନିଧୁଙ୍କ ପାଇଁ କୌଣସି କଲ୍ୟାଣକାରୀ ଯୋଜନା କରାଯାଇନାହିଁ ବୋଲି ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ମହାସଂଘର ରାଜ୍ୟ ସଭାପତି ରବି ରଥ ପ୍ରକାଶ କରିଛନ୍ତି । ଓଡ଼ିଶାରେ ସାମ୍ବାଦିକମାନଙ୍କୁ ପେନସନ ଯୋଜନାରେ ସାମିଲ କରିବା ନେଇ ୪ ଦଶନ୍ଧି ଧରି ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀମାନେ ସାମ୍ବାଦିକମାନଙ୍କ ଦୟନୀୟ ସ୍ଥିତି ଦୃଷ୍ଟିରୁ ପେନସନ ବ୍ୟବସ୍ଥା ଜରୁରୀ ମନେ କରି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେହି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ଏଠାରେ ଉଲ୍ଲେଖ କରାଯାଇପାରେ, ଭାରତ ବର୍ଷର ୧୭ଟି ରାଜ୍ୟରେ ୫ ହଜାର ରୁ ଆରମ୍ଭ କରି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ବ୍ୟବସ୍ଥା ରହିଛି। ମହାରାଷ୍ଟ୍ର ଓ ଛତିଶଗଡ଼ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିଥିବା ବେଳେ ଓଡ଼ିଶାରେ ତାହା କାର୍ଯ୍ୟକାରୀ ହୋଇନାହିଁ | ଓଡ଼ିଶା ସରକାର ନିଜକୁ ଶ୍ରେଷ୍ଠ ଓ ବଳକା ରାଜ୍ୟ ଏବଂ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ ଥିବା ଘୋଷଣା କରୁଥିବା ବେଳେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସାମ୍ବାଦିକମାନଙ୍କ ପାଇଁ ପେନସନ ଲାଗୁ ନ କରିବା କ୍ଷୋଭର ବିଷୟ । ଗତ ଫେବୃୟାରୀ ୬ ତାରିଖରେ ବିଧାନସଭା ସମ୍ମୁଖରେ ୫ ଦଫା ଦାବି ନେଇ ହଜାର ହଜାର ସାମ୍ପାଦିକ ବିଧାନସଭା ଘେରାଉ କରିଥିଲେ I ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ବୟସ୍କ ସାମ୍ପାଦିକଙ୍କୁ ପେନ୍ସନ ପ୍ରଦାନ, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ୧୦ ଲକ୍ଷ କୁ ବୃଦ୍ଧି କରିବା, ସେମାନଙ୍କ ପିତାମାତାଙ୍କୁ ଏହି ଯୋଜନାରେ ସାମିଲ କରାଯିବା, ରାଜ୍ୟରେ ମିଡିଆ ଏକାଡେମି ଗଠନ କରିବା, ଅଧୂସ୍ୱୀକୃତି କମିଟି ପୁନର୍ଗଠନ ଓ ବ୍ୟାପକ ଅଧସ୍ୱୀକୃତି ପ୍ରଦାନ, ଲୋକସେବା ଭବନ ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାମ୍ପାଦିକମାନଙ୍କ ପାଇଁ ପ୍ରବେଶ କଟକଣାକୁ ପ୍ରତ୍ୟାହାର କରିବା ଆଦି ଦାବି କରି ଏହି ଘେରାଉ କରାଯାଇଥିଲା I ସରକାରୀ ଦଳର ପ୍ରତିନିଧୁମାନେ ଘଟଣାସ୍ଥଳରେ ପହଞ୍ଚୁ ଦାବିଗୁଡ଼ିକ ଯୁକ୍ତିଯୁକ୍ତ ହୋଇଥିବା ଓ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ନିର୍ବାଚନ ଘୋଷଣା ପୂର୍ବରୁ ଭୋଟ ପାଇଁ ସବୁ ବର୍ଗର ଲୋକଙ୍କ ପାଇଁ ସରକାର ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିଲେ ମଧ୍ୟ ସମ୍ବିଧାନର ୪ର୍ଥ ସ୍ତମ୍ଭ କୁହାଯାଉଥୁବା ଗଣମାଧ୍ୟମ ପ୍ରତିନିଧୁମାନଙ୍କ ପାଇଁ ସାବତ ମା ଭଳି ଆଚରଣ ପ୍ରଦର୍ଶନ ପରିତାପର ବିଷୟ I ଉଲ୍ଲେଖ କରାଯାଇପାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ସାମ୍ବାଦିକମାନଙ୍କୁ ପେନସନ ଦେବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ପରବର୍ତ୍ତୀ ସମୟରେ ବିଜୁ ବାବୁ, ନବୀନ ବାବୁ ବାରମ୍ବାର ସାମ୍ବାଦିକମାନଙ୍କୁ ପେନସନ ଦିଆଯିବା ବିଷୟ ବିଚାରଧୂନ ଥିବା କହୁଥୁଲେ ମଧ୍ଯ ଚାରି ଦଶନ୍ଧି ଧରି ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ସାମ୍ବାଦିକମାନେ ସଂଗଠିତ ନ ହେବା ଯାଏଁ ଏହା ସମ୍ଭବପର ନୁହେଁ ବୋଲି କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ମହାସଂଘ ସଭାପତି ଶ୍ରୀ ରଥ ମତ ପ୍ରକାଶ କରିଛନ୍ତି.


