ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ, ଦୁଇ ଗିରଫ
ଭୁବନେଶ୍ୱର : ବେଆଇନ ପାର୍କିଂ ଫି’ ଆଦାୟ ସମ୍ପର୍କରେ ନ୍ୟୁଜ୍ କଭରେଜ୍ କରିବା ଲାଗି ଏସପ୍ଲାନେଡ୍ ମଲକୁ ଯାଇଥିବା ଭୁବନେଶ୍ୱରରେ ଏକ ଘରୋଇ ଓ୍ବେବ୍ ଚ୍ୟାନେଲର ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଏହି ଘଟଣାରେ ଏସପ୍ଲାନେଡ୍ ମଲର ଦୁଇଜଣ ସୁରକ୍ଷାକର୍ମୀଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଦ୍ବୟ ହେଲେ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ । ମାତ୍ର ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ମଲ୍ ସମ୍ମୁଖରେ ସାମ୍ବାଦିକମାନେ ଧାରଣା ଦେଇଛନ୍ତି । ଧାରଣାସ୍ଥଳରେ ଡିସିପି ଅନୁପ କୁମାର ସାହୁ ପହଞ୍ଚି ଏହି ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରକାଶ ଯେ, ଶନିବାର ଭୁବନେଶ୍ୱର ସ୍ଥିତ ଏସପ୍ଲାନେଡ ମଲରେ ବେଆଇନ ପାର୍କିଂ ଆଦାୟ ନେଇ ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରା ପର୍ସନ ଖବର ସଂଗ୍ରହ କରୁଥିବା ବେଳେ ସେମାନଙ୍କୁ ମଲର ସୁରକ୍ଷା କର୍ମୀ ଆକ୍ରମଣ କରିଥିଲେ । ସେମାନେ ଏହି ଦୁଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଳିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ମଲର କର୍ମଚାରୀ ସେମାନଙ୍କୁ ଗୋଟିଏ କୋଠରୀ ଭିତରେ ବନ୍ଦ କରି ରଖିଥିବା ମଧ୍ୟ କହିଥିଲେ ସାମ୍ବାଦିକା । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ସେପଟେ ଏହି ଘଟଣା ପ୍ରତିବାଦରେ ମଲ ଆଗରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଆଜି ସକାଳୁ ଧାରଣାରେ ସାମିଲ ହୋଇଥିଲେ ।