ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ
ଭୁବନେଶ୍ୱର, : ଗତକାଲି ବେଆଇନ୍ ପାର୍କିଂ ଫି ଆଦାୟ ସମ୍ପର୍କରେ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ସାମ୍ବାଦିକା ଙ୍କୁ ଏସପ୍ଲାନେଡର କର୍ମଚାରୀମାନେ ଯେପରି ଭାବରେ ସର୍ବସାଧାରଣରେ ମରଣାନ୍ତକ ଆକ୍ରମଣ କରାଗଲା ଏହାକୁ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ଦୃଢ ନିନ୍ଦା କରିବା ସହିତ ସମ୍ପୃକ୍ତ ଏସ୍ପ୍ଲାନେଡ଼ର କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି । ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଦେବା ଦିଗରେ ଡ଼େଙ୍ଗୁରା ପିଟୁଥିବା ବେଳେ ଖୋଦ୍ ରାଜଧାନୀରେ ଜଣେ କର୍ମରତ ସାମ୍ବାଦିକାଙ୍କୁ ସର୍ବସମ୍ମୁଖରେ ଘୋଷାଡ଼ି ଘୋଷାଡ଼ି ବାଡ଼େଇବା, ଅସଦାଚରଣ କରିବା ଏବଂ କୋଠରୀରେ ବନ୍ଦ କରି ରଖିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ଓ ପ୍ରଶାସନର ଅପାରଗତାକୁ ସ୍ପଷ୍ଟ ପ୍ରମାଣିତ କରୁଛି? ଚତୁର୍ଥସ୍ତମ୍ଭ ଭାବେ କାର୍ଯ୍ୟ କରୁଥିବା ସମ୍ବାଦିକମାନଙ୍କୁ ବାରମ୍ବାର ଆକ୍ରମଣ, ହତ୍ୟା ଓ ଅସଦାଚରଣ ହେଉଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ କ୍ଷୋଭର ବିଷୟ । ଯଦି ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଆଗାମୀ ଦିନରେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ସମସ୍ତ ସଭ୍ୟାମାନେ ରାଜରାସ୍ତକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି ସଂଘର ରାଜ୍ୟ ସଭାପତି ପାର୍ଥ ସାରଥୀ ଜେନା ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।


