ସାମ୍ୱାଦିକ ପେନସନ ଓ ସୁରକ୍ଷା ସମେତ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘ ସଭାପତି ରବି ରଥଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଭୁବନେଶ୍ଵରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ସାମ୍ୱାଦିକ ପେନସନ ଓ ସୁରକ୍ଷା ସମେତ ୭ ଦଫା ସମ୍ୱଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ବିଜ୍ଞାପନ ପ୍ରଦାନ କରିବା କ୍ଷେତ୍ରରେ କ୍ରମାଗତ ଭାବେ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ରଗୁଡ଼ିକ ପ୍ରତି ଅବହେଳା କରାଯାଉଥିବା ଘଟଣାର ତଦନ୍ତ କରି ଯେଭଳି ବିଜ୍ଞାପନ ପ୍ରଦାନରେ ସ୍ଵଚ୍ଛତା ରକ୍ଷା କରାଯାଇପାରିବ ସେ ନେଇ ସ୍ଵତନ୍ତ୍ର ନୀତି ପ୍ରଣୟନ କରାଯାଉ । ସରକାରଙ୍କ ସ୍ଵୀକୃତି ଅନୁମୋଦନ ପାଇଁ ଆବେଦନ କରିଥିବା ସମ୍ୱାଦପତ୍ରଗୁଡ଼ିକ ପ୍ରତି କୋହଳ ମନୋଭାବ ଗ୍ରହଣ ସହ ସ୍ଵୀକୃତି ପ୍ରଦାନ କରିବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଉ । ଯେଉଁମାନେ ସରକାରଙ୍କ ନୀତି ଅନୁସାରେ ଧାରାବାହିକ ଭାବେ ସମ୍ୱାଦପତ୍ର ପ୍ରକାଶନ କରୁଛନ୍ତି, ସେମାନଙ୍କ ପ୍ରତି ପାତର ଅନ୍ତର ନ କରି ସରକାରୀ ସ୍ଵୀକୃତି ପ୍ରଦାନ କରାଯାଉ ଏବଂ ସମ୍ପ୍ରତି ସମ୍ୱାଦପତ୍ରର ସମ୍ପାଦକମାନଙ୍କୁ ରାଜ୍ୟ ସ୍ତରୀୟ ଅଧିସ୍ଵୀକୃତି ପ୍ରଦାନ କରାଯାଉ । କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ରଗୁଡ଼ିକୁ ପୂର୍ବରୁ ଦିଆଯାଉଥିବା ସର୍ବନିମ୍ନ ବିଜ୍ଞାପନ ଦେୟକୁ ବୃଦ୍ଧି କରି କାଗଜ, କାଳି ଓ ବୈଦୁ୍ୟତିକ ଖର୍ଚ୍ଚ ଏବଂ ବିଭିନ୍ନ ସାମଗ୍ରୀର ବୃଦ୍ଧି ଦୃଷ୍ଟିରୁ ଏହାକୁ ସର୍ବନିମ୍ନ କଲମ୍‌‍ ସିମ୍‌‍ ପ୍ରତି ୨୫ ଟଙ୍କା କରାଯାଉ । ସମସ୍ତ ପ୍ରକାଶକମାନ ଓ ସମ୍ପାଦକଙ୍କୁୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପରିସରଭୁକ୍ତ କରିବା ସହ ବୀମା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ । ଭାରତ ବର୍ଷର ୧୭ଟି ରାଜ୍ୟରେ ସାମ୍ୱାଦିକ ପେନସନ ଆଇନ ପ୍ରଣୟନ ହୋଇଥିବା ବେଳେ ଓଡ଼ିଶାରେ ଦୀର୍ଘ ୪ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀମାନେ ପେନସନ ଯୋଜନା ପ୍ରଣୟନ କରାଯିବ ବୋଲି ବହୁ ସମୟରେ ଘୋଷଣା କରିଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ। ତେଣୁ ଏ ଦିଗରେ ଆପଣ ପଦକ୍ଷେପ ନେବେ ବୋଲି ଆମର ଅନୁରୋଧ । ଫଳରେ 60 ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ସାମ୍ୱାଦିକମାନେ ଏହାର ସୁଫଳ ପାଇପାରିବେ। ଏଥିସହ ମହାରାଷ୍ଟ୍ର, ଛତିଶଗଡ଼ ରାଜ୍ୟ ସରକାରଙ୍କ ଭଳି ସାମ୍ୱାଦିକ ସୁରକ୍ଷା ଆଇନ ମଧ୍ୟ ପ୍ରଣୟନ କରାଯାଉ । ଡିଏଭିପି ଦର ଅନୁଯାୟୀ ରାଜ୍ୟ ସରକାର ସ୍ଵୀକୃତିପ୍ରାପ୍ତ ସମ୍ୱାଦପତ୍ରଗୁଡ଼ିକୁ ବିଜ୍ଞାପନ ଦର ଦିଆଯିବା ନିୟମ ଥିଲେ ମଧ୍ୟ ଏ ସମ୍ପର୍କରେ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପାତର ଅନ୍ତର ନୀତି ଅବଲମ୍ୱନ କରୁଛନ୍ତି, ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସକ୍ଷେପ। ଜିଏସଟି ନଥିବା ବିଲଗୁଡ଼ିକ ବର୍ଷ ବର୍ଷ ଧରି ପେମେଣ୍ଟ ନ ହୋଇ ପଡ଼ି ରହିଛି। ତେଣୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଉ । ସରକାରୀ ସ୍ଵୀକୃତି ପାଇଥିବା ସମ୍ୱାଦପତ୍ରଗୁଡ଼ିକର ରାଜ୍ୟ କାର୍ଯ୍ୟାଳୟ ଖୋଲିବା ପାଇଁ ଭୁବନେଶ୍ଵର ଠାରେ ସରକାରୀ କ୍ଵାଟର ପ୍ରଦାନ କରାଯାଉ । ନତୁବା ଦିଲ୍ଲୀରେ ଇଣ୍ଡିଆନ ନୁ୍ୟଜ୍‌‍ ପେପର ସୋସାଇଟି (ଆଇଏନଏସ୍‌‍) କୋଠା ଭଳି ଓଡ଼ିଶାରେ ସ୍ଵୀକୃତିପ୍ରାପ୍ତ ସମ୍ୱାଦପତ୍ରମାନଙ୍କ ପାଇଁ ଏକ କୋଠା ନିର୍ମାଣ କରାଯାଇ ସମ୍ପୃକ୍ତ ସମ୍ୱାଦପତ୍ରଗୁଡ଼ିକର କାର୍ଯ୍ୟାଳୟ ଖୋଲିବା ପାଇଁ ବ୍ୟବସ୍ଥା କରାଯାଉ । ସମସ୍ତ ସ୍ଵୀକୃତିପ୍ରାପ୍ତ ଓ ଅଣସ୍ଵୀକୃତିପ୍ରାପ୍ତ ସମ୍ୱାଦପତ୍ରଗୁଡ଼ିକ (ଆରଏନଆଇ ପଞ୍ଜିକୃତ) ର ବାର୍ଷିକ ଉତ୍ସବ ପାଇଁ ପୂର୍ବରୁ ଥିବା ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ସହାୟତା ପ୍ରଦାନ କରାଯାଉଥିଲା। ପୂର୍ବ ସରକାର ଅମଳରେ ବାର୍ଷିକ ଉତ୍ସବ ପାଇଁ ବିଜ୍ଞାପନ ପ୍ରଦାନ ପାଇଁ ଆବେଦନ କଲେ ମଧ୍ୟ ବିଭାଗୀୟ କର୍ତ୍ତପକ୍ଷ ଏ ଦିଗରେ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଅନୁରୋଧ । ଏହି ପ୍ରତିନିଧି ଦଳରେ ପ୍ରକାଶ ଚନ୍ଦ୍ର ନାୟକ, ସ୍ଵଦେଶ ଚନ୍ଦ୍ର ଦାସ, ରମାକାନ୍ତ ପରିଜା, ମନୋଜନ କୁମାର ବେହେରା, ମୁରଲୀ ମିଶ୍ର, ବାବୁଲି ବେହେରା, ଜେ୍ୟାତି ରଂଜନ ବେହେରା, ନିତ୍ୟ ନିରଞ୍ଜନ ପଣ୍ଡାଙ୍କ ସମେତ ସମ୍ପାଦକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ