ପାରଳା ପୌର ପରିଷଦର ଅଜବ ନୀତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ପୌର ପରିଷଦର ବିଭିନ୍ନ କାର୍ଯ୍ୟ ଧାରା ଓ ଅଜବ ନିର୍ମାଣ ନୀତି ନେଇ ପାରଳା ସହରର ଜନ ସାଧାରଣଙ୍କ ଠାରେ ବେଶ ଅସନ୍ତୋଷ ପ୍ରକାଶ ପାଇଛି. ବିଳମ୍ବିତ ରାତ୍ରରେ ଏବଂ ପ୍ରବଳ ବର୍ଷା ହେଉଥିବା ସମୟରେ ପିଚୁ ରାସ୍ତା ନିର୍ମାଣ କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ଏଠାରେ ସୂଚନାଯୋଗ୍ୟଯେ ପାରଳାଖେମୁଣ୍ଡି ବଡଦାଣ୍ଡ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାରୁ ଏହାର ମରାମତି ପାଇଁବହୁଦିନ ହେଲା ଦାବି ହୋଇଆସୁଛି । ଏହି ରାସ୍ତା କାମ ପାଇଁ ଟେଣ୍ଡର ପ୍ରକ୍ରିୟା ସରିବା ପରେ ରାସ୍ତା ନିର୍ମାଣ କାମ କରିବା ପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ପୌର ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା। ହେଲେ ପ୍ରବଳ ବର୍ଷାରେ ବିଳମ୍ବିତ ରାତିରେ ପିଚୁ କାମ କରାଯାଉଥିବାରୁ ସ୍ଥାନୀୟ ଲୋକେ ଏପରିକି କେତେକ କାଉନ୍ସିଲର ସେଠାରେ ପହଞ୍ଚି ଏଭଳି ନିର୍ମାଣ କାର୍ଯ୍ୟକୁ ବିରୋଧ କରି ରାସ୍ତା କାମକୁ ବନ୍ଦ କରିଥିଲେ. ଏଭଳି ପାଗ ସତ୍ତ୍ବେ କାମ କରିବା ପଛରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡ଼ୁଥିବା ଅଭିଯୋଗ କରିଥିଲେ. ବିଜେପି କାଉନ୍ସିଲର ବାଳକୃଷ୍ଣ ପାତ୍ର, ବିଭୂତି ଭୂଷଣ ବେହେରା, ବିଜେଡି କାଉନ୍ସିଲର ନାରାୟଣ ବେହେରା, ଜ୍ୟୋତିର୍ମୟୀ ଦାଶ ଏବଂ ଏନ.ନୀଳାଦ୍ରୀ ପ୍ରମୁଖ ପହଞ୍ଚି ପିଚୁକୁ ବର୍ଷା ପ୍ରଧାନ ଶତ୍ରୁ ବୋଲି କୁହାଯାଉଥିବା ବେଳେ ବର୍ଷାର ବିଳମ୍ବିତ ରାତିରେ ଏଭଳି କାମ କରାଯିବା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ। ପାଗ ଅନୁକୂଳ ହେବା ପରେ ଚୁକ୍ତି ଅନୁସାରେ ପିଚୁ ଢଳେଇ କଲେ ଏହା ଦୀର୍ଘଦିନ ଯାଏଁ ରହିବ । ନଚେତ ମାସ କେଇଟାରେ ଏହା ନଷ୍ଟ ହେବ ଏବଂ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ପୁଣିଥରେ ନଷ୍ଟ ହୋଇଯିବ ବୋଲି ବୋଲି ସେମାନେ ଦାବି କରି ଏଭଳି ନିର୍ମାଣ କାର୍ଯ୍ୟକୁ ପ୍ରତିରୋଧ କରିବା ପରେ ଅଧ ରାତିଆ ରାସ୍ତା ନିର୍ମାଣ ବନ୍ଦ ହୋଇଥିଲା.


