ସାରସ୍ୱତ ପ୍ରତିଭା ପ୍ରଫୁଲ୍ଳଙ୍କୁ ବିଶ୍ୱନାଥ ମିଶ୍ର ସ୍ମ୍ମୃତି ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ପ୍ରଥମ ଓଡ଼ିଆ ବାରିଷ୍ଟର ଉତ୍କଳ ରତ୍ନ ବିଶ୍ୱନାଥ ମିଶ୍ରଙ୍କ ୮୯ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ ୟୁନିଟ୍-୮ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ, ବିଧାୟକ ପ୍ରଫୁଲ୍ଲ ସାମଲ, ସଂଯୋଜକ ଓ ପରିଚାଳକ ଭାବେ ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରି କହିଥିଲେ ଯେ ଉତ୍କଳ ରତ୍ନ ବିଶ୍ୱନାଥ ମିଶ୍ର ଥିଲେ ଏକାଧାରରେ ମା, ମାଟି, ମାତୃଭାଷା ପାଇଁ ସମର୍ପିତ ତଥା ବିଶିଷ୍ଟ ଆଇନ ବିଶାରଦ । ଉତ୍କଳର ସ୍ୱାଧୀନତା ପାଇଁ ତାଙ୍କ ଭୂମିକା ସହିତ, କେନ୍ଦ୍ର ବ୍ୟବସ୍ଥାପକ ସଭାର ଜଣେ ସଭ୍ୟ ଭାବରେ ତାଙ୍କର ଭୂମିକା ଅବିସ୍ମରଣୀୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳକୁ ଏକତ୍ର କରିବାର ଉଦ୍ୟମ ବେଶ୍ ପ୍ରଶଂସନୀୟ ଥିଲା । ଆଜିର ଯୁବପିଢ଼ି ତାଙ୍କ ବିଷୟରେ ତଥା ମହାପୁରୁଷଙ୍କ ବିଷୟରେ ଜାଣିବା ଆବଶ୍ୟକ ବୋଲି ଅତିଥି ସମୂହ କହିଥିଲେ । ଏହି ଅବସରରେ ସାରସ୍ୱତ ପ୍ରତିଭାଦୀପ୍ତ ପ୍ରଫୁଲ୍ଲ ସାମଲଙ୍କୁ ଉତ୍କଳ ରତ୍ନ ବିଶ୍ୱନାଥ ମିଶ୍ର ସ୍ମୃତି ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ସଂସ୍କୃତି ଅନୁସଚିବ ଲକ୍ଷ୍ମୀଧର ବେହେରା, ସ୍ୱର୍ଗତ ମିଶ୍ରଙ୍କ ଅଣନାତି ଡ. ସୂର୍ଯ୍ୟ ମିଶ୍ର, ଅରବିନ୍ଦ ତ୍ରିପାଠୀ, ଚିତ୍ତରଞ୍ଜନ ଦାସ, ରମେଶ ଚନ୍ଦ୍ର ପାତାଳ ସିଂ, ବିଜେଡି ସାଂସ୍କୃତିକ ସାମ୍ମୁଖ୍ୟ ସଂଯୋଜକ ପ୍ରବୀର ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମକୁ ସୀତାଂଶୁ ଶେଖର ମହାରଣା, ବିଜୟୀ ପରିଡ଼ା, ମଦନ ମୋହନ ପାଢ଼ୀ, ସଞ୍ଜୟ ପରିଡ଼ା, ତନ୍ମୟ ସାମନ୍ତରାୟ, ନିରଞ୍ଜନ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ ସଂଯୋଜକ ବାପୁ ଓଝା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।