ଣ୍ଡିରେ ଧାନ ବିକ୍ରୟ ପାଇଁ ପାଞ୍ଜିକରଣ ଗୁରୁତର ବିଭ୍ରାଟ ଘଟଣା ନେଇ ମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ଫେରାଦ ହେଲେ ଚାଷୀ ଚାଷୀଙ୍କୁ ଇନପୁଟ ସବସିଡ୍ ବାବଦକୁ ୪ ଶହ ଟଙ୍କା ଦାବି କରୁଛନ୍ତିି ମିଲର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଚାଷ ଓ ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି।‌ ବାସ୍ତବ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ଓ ମେରିରାୟ ଶାସନ ନୀତି ଯୋଗୁଁ ଚାଷୀ ମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ସୁଫଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ସାରୁ ସମବାୟ ସମିତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସଂପୃକ୍ତ ସମବାୟ ସମିତି ସମ୍ପାଦକଙ୍କ ମେରିରାୟ ଶାସନରେ ଅତିଷ୍ଠ ସୋଇ ସଂପୃକ୍ତ ଗ୍ରାମର ଚାଷୀ ଘଟଣା ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ସମବାୟ ଓ କୃଷିମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅଭିଯୋଗ ପ୍ରଦାନ କରିଛନ୍ତି।
ଚଳିତ ବର୍ଷ ଚାଷୀଙ୍କ ଅମଳ ଧାନ କିଣିବା ପାଇଁ ଏବଂ ଚାଷୀଙ୍କ ଯେପରି କ୍ଷତିଗ୍ରସ୍ତ ନହୋଇ ଅମଳ ଧାନର ଉପଯୁକ୍ତ ମୂଲ୍ୟ ପାଇପାରିବେ ସେ ନେଇ ରାଜ୍ୟ ସରକାର ମଣ୍ଡି ବ୍ୟବସ୍ଥାର ପ୍ରଚଳନ କରିଥିଲେ। ହେଲେ ସମବାୟ ସମିତି ସମ୍ପାଦକ ଓ ମିଲରଙ୍କ ଅସାଧୁ ମେଣ୍ଟ ଫଳରେ ଚାଷୀ ନିଜର ଅମଳ ଧାନକୁ ମଣ୍ଡିରେ ବିକ୍ରୟ କରିପାରୁନଥିବା ଅଭିଯୋଗ ହୋଇଛି। ସାରୁ ଗ୍ରାମର ଚାଷୀ ରମେଶ ଚନ୍ଦ୍ର ସାହୁ ନିଜ ୫ ଏକର ଜମିରୁ ଅମଳ ଧାନକୁ ମଣ୍ଡି ମାଧ୍ୟମରେ ବିକ୍ରି କରିବା ପାଇଁ ସଂପୃକ୍ତ ସମବାୟ ସମିତି ସମ୍ପାଦକଙ୍କ ନିକଟରେ ୫ ଏକର ଜମି ପଟ୍ଟା, ଆଧାର କାର୍ଡ, ବ୍ୟାଙ୍କ ପାସ୍ ବୁକ୍, ଖଜଣା ପାଉତିର ଅବିକଳ ନକଲ କପି ସହ ଅନ୍ୟାନ୍ୟ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେ ରମେଶଙ୍କ ମୋବାଇଲକୁ ମାତ୍ର ୧୮ ଡେସିମିଲି ପରିମିତ ଜମିରୁ ଅମଳ ଧାନ ସଂପୃକ୍ତ ମଣ୍ଡିରେ ବିକ୍ରୟ କରିବା ପାଇଁ ମେସେଜ ଆସିଥିଲା। ମେସେଜ ପାଇବା ପରେ ଚାଷୀ ରମେଶ ଆଶ୍ଚର୍ଯ୍ୟ ହେବା ସହ ଘଟଣା ନେଇ ସଂପୃକ୍ତ ପଞ୍ଚାୟତର ସମବାୟ ସମିତି ସମ୍ପାଦକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏଥିପ୍ରତି ସେ କିଛି କରିପାରିବେ ନାହିଁ, ତୁମର ଯାହା ଇଚ୍ଛା ତାହା କରିପାର ବୋଲି ସମବାୟ ସମିତି ସମ୍ପାଦକ ରୋକ୍ ଠୋକ୍ ବାଣୀ ଶୁଣାଇଥିଲେ। ଫଳରେ ଚାଷୀ ରମେଶ ଘଟଣା ସମ୍ପର୍କରେ ହିଞ୍ଜିଳିକାଟୁ ବ୍ଳକ ଯୋଗାଣ ନିରୀକ୍ଷକଙ୍କୁ କହିଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିନଥିଲା। ଫଳରେ ଚାଷୀ ରମେଶ ଘଟଣା ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ସମବାୟ ଓ କୃଷି ମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ସାରୁ ସମବାୟ ସମିତି ସମ୍ପାଦକ ନିଜ ସମ୍ପର୍କୀୟ ଓ ମିଲରଙ୍କ ସହ ଜଡ଼ିତ ଥିବା ଧାନ ବ୍ୟବସାୟୀମାନେ ନିଜର ଧାନକୁ ମଣ୍ଡି ସହାୟତାରେ ବିକ୍ରି କରି ଅର୍ଥ ପାଇପାରିଛନ୍ତି। ହେଲେ ସାରୁ ଗ୍ରାମର ବହୁ ଚାଷୀଙ୍କ ବର୍ତ୍ତମାନ ସୁଦ୍ଧା ଅମଳ ଧାନ ବିକ୍ରୀ କରିବା ପାଇଁ ଟୋକେନ ଆସିନଥିବା ଅଭିଯୋଗ ହୋଇଛି। ମଣ୍ଡିରେ ଚାଷୀଙ୍କ ଅମଳ ଧାନ କିଣିବା ପରିବର୍ତ୍ତେ ମିଲରଙ୍କ ଯୋଗେ ଧାନ ବିକ୍ରୀ କରିବା ପାଇଁ ଚାଷୀଙ୍କୁ ବାଧ୍ୟ କରାଯାଉଛି। ଏହାକୁ ନେଇ ମିଲର ମାନେ ଇନପୁଟ ସବସିଡ୍ ୮ ଶହ ଟଙ୍କାରୁ ମିଲର ମାନେ ଚାଷୀଙ୍କୁ ୪ ଶହ ଟଙ୍କା ଦେବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଟଙ୍କା ଦେବାକୁ ଚାଷୀ ମନାକଲେ ନିମ୍ନମାନର ଧାନ ରହିଥିବା ଦର୍ଶାଇ ମିଲର ମାନେ ନେଉନଥିବା ଅଭିଯୋଗ ହୋଇଛି।‌ ହିଞ୍ଜିଳିକାଟୁ ବ୍ଳକର ବହୁ ସମବାୟ ସମିତି ସମ୍ପାଦକ ଓ ମିଲର ମାନଙ୍କ ଅସାଧୁ ମେଣ୍ଟ ରହିଥିବାରୁ ଚାଷୀ ମାନେ ରାଜ୍ୟ ସରକାରଙ୍କ ବହୁ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି ସାରୁ ଗ୍ରାମର ବହୁ ଚାଷୀ ଅଭିଯୋଗ କରିଛନ୍ତି। ଏ ନେଇ ହିଞ୍ଜିଳିକାଟୁ ଯୋଗାଣ ନିରୀକ୍ଷକ ସ୍ନେହାଞ୍ଜଳି ସ୍ବାଇଁଙ୍କୁ ପଚାରିବାରୁ ସେ କୁହନ୍ତି ଘଟଣା ସମ୍ପର୍କରେ ଚାଷୀ ରମେଶ ଜଣାଇଥିଲେ। କାହିଁକି ଅତି କମ୍ ପରିମାଣର ଧାନ ବିକ୍ରୀ କରିବା ପାଇଁ ମେସେଜ ଆସିଛି, ସେ ସମ୍ପର୍କରେ ଜିଲ୍ଲା ଏଆରସି କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ମିଲର ମାନେ ଚାଷୀଙ୍କୁ ଇନପୁଟ ସବସିଡ୍ ବାବଦକୁ ୪ ଶହ ଟଙ୍କା ଦାବି କରୁଥିବା ଘଟଣା ସମ୍ପର୍କରେ କେହି ଚାଷୀ ଅଭିଯୋଗ କରିନଥିବା କହିଛନ୍ତି। ଏ ନେଇ ସାରୁ ସମବାୟ ସମିତି ସମ୍ପାଦକ ବଳରାମ ସାହୁଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ। ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଘଟଣା ପ୍ରତି ଦୃଷ୍ଟି ପ୍ରଦାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାରୁ ଗ୍ରାମର ବହୁ ଚାଷୀ ଦାବି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ