ସାଳନ୍ଦୀନଦୀ ତଟରେ ଭୁସ୍ଖଳନର ପ୍ରତିକାର ପାଇଁ ଦାବି
ହାତଡ଼ିହି, (ବିକାଶ ବିଶ୍ୱାଳ ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ କାନପୁର ଗ୍ରାମରେ ସାଳନ୍ଦୀ ନଦୀ ତଟରେ ଭୁସ୍ଖଳନର ପ୍ରତିକାର ପାଇଁ ଦାବି ଜଣାଇଛନ୍ତି ଗ୍ରାମବାସୀ। ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାଇ ସୋ ସୋ ପଞ୍ଚାୟତ ର କାନପୁର ଗ୍ରାମ ନିକଟ ଦେଇ ସାଳନ୍ଦୀ ନଦୀ ପ୍ରବାହିତ ହୋଇଯାଇଛି। ଦୀର୍ଘ ୫୦ ବର୍ଷ ପୂର୍ବରୁ ସାଳନ୍ଦୀ ନଦୀର ଜଳ ସ୍ରୋତ ର ଦିଗ ପରିବର୍ତନ ପାଇଁ ପଥର ସ୍ପର କରାଯାଇ ଥିଲା। ତାହା ଏବେ ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି। ନଦୀର ଜଳଧାର ଗ୍ରାମ ନିକଟ ଦେଇ ଯାଇଥିବାରୁ ଗ୍ରାମର ଉତ୍ତର ପାର୍ଶ୍ଵରେ ଗତ ୪ବର୍ଷ ତଳେ ଭୁସ୍ଖଳନ ହୋଇ ଅନେକ ଲୋକଙ୍କ ଘର ବାଡ଼ି ନଷ୍ଟ ହୋଇଛି। ଏ ନେଇ ବାରମ୍ବାର ଅଭିଯୋଗ ହେବାପରେ ଜଳସମ୍ପଦ ବିଭାଗ ପକ୍ଷରୁ ଗାର୍ଡୱାଲ କରାଯାଇ ଥିଲା। କିନ୍ତୁ ଗାର୍ଡୱାଲ ନିର୍ମାଣ ହେବାଦ୍ୱାରା କିଛି ସୁଫଳ ମିଳିଲାନି। ଦିନକୁ ଦିନ ଗାଁ ର ଉତ୍ତର ପଟୁ ନଦୀ ଅତଡା ଖାଇବା ଭଳି ଭୁସ୍ଖଳନ ଘଟି ଗାଁ ଟିକୁ ନଦୀରେ ଲୀନ କରିଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଜଳସମ୍ପଦ ବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ଗତ ୧୬ତାରିଖ ଦିନ ଜଳସମ୍ପଦ ବିଭାଗର ଅଧିକାରୀ ମାନେ ଉକ୍ତ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଭୁସ୍ଖଳନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଘର ଗୁଡିକର ଜରାଜୀର୍ଣ୍ଣ ଅବସ୍ଥାକୁ ବୁଲି ଦେଖିଥିଲେ। ତେଣୁ ଏପରି ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇ ଗ୍ରାମକୁ ସୁରକ୍ଷିତ ରଖିବା ପାଇଁ ବିଜୟ କୁମାର ସାମଲ, ପ୍ରଫୁଲ କୁମାର ଜେନା, ସନାତନ ମହାପାତ୍ର, ଭରତ ଚନ୍ଦ୍ର ରାଉତ, ଅକ୍ଷୟ କୁମାର ବେହେରା, ସରସ୍ୱତୀ ରାଜ, ନିରଞ୍ଜନ ରାଉତ, ପୂର୍ଣ୍ଣ ଚନ୍ଦ୍ର ଖମାରୀ, ଗୋପବନ୍ଧୁ ପାଣିଗ୍ରାହୀ, ପୁରୁଷୋତ୍ତମ ରାଉତ, ଅଶୋଜ କୁମାର ସେନ, କୁଶଧ୍ୱଜ ବେହେରାଙ୍କ ସମେତ ଶତାଧିକ ଗ୍ରାମବାସୀମାନେ ଦାବି କରିଛନ୍ତି।