ସାହିତ୍ୟର ସତ୍ୟପାଠ
ସାହିତ୍ୟର ସତ୍ୟପାଠ
ରୁଷିଆର ମହାନ୍ କଥାକାର ଗର୍କୀଙ୍କ ବିଶ୍ୱବିଖ୍ୟାତ ଉପନ୍ୟାସ ‘ମଦର୍’ । ଏ ଉପନ୍ୟାସର ମହାନାୟିକା ବାଟ ଚାଲିବାରେ ବିଶ୍ୱାସ କରୁଥିବା ସେଇ ମା, ଯିଏ ମୁଣ୍ଡେଇଥିବା ପସରା ଭିତରେ ସେଦିନ ଥିଲା ବିପ୍ଳବକୁ ଦୀର୍ଘଜୀବୀ କରିବାପାଇଁ ପ୍ରେରଣାଦାୟକ ପ୍ରଚାରପତ୍ରସବୁ । ପୁଅ ସାମିଲ୍ ହୋଇଥିବା ଦୂରାନ୍ତରର ବିପ୍ଳବୀ ସଂଗଠନକୁ ହସ୍ତାନ୍ତର କରିଦେବା ଉଦ୍ଦେଶ୍ୟରେ ନିଜ ପସରାର ଗୁଡ଼ିଏ ଜିନିଷପତ୍ର ତଳେ ମାଆଟି ଛୁପାଇରଖୁଥିଲା ସେସବୁ ଗୁପ୍ତପ୍ରଚାରପତ୍ର । ଗୁଇନ୍ଦାପୁଲିସର ଆଖି ଆଉ ପ୍ରତିକ୍ରିୟାଶୀଳ ଶାସକଦଳର ଚର-ଅନୁଚରମାନଙ୍କ ନଜରକୁ ଫାଙ୍କିଦେଇ ନିୟମିତ ସେସବୁ ବୈପ୍ଳବିକ କାର୍ୟ୍ୟକ୍ରମର ନିର୍ଦ୍ଦେଶନାମା ମାଆ ମାର୍ଫତ୍ରେ ପହଞ୍ଚାଉଥିଲା ଠିକଣାଜାଗାରେ ।
ନିଜ ନୁଖୁରା ମୁଣ୍ଡଉପରର ପସରା ଭିତରେ ଲୁଚାଇରଖିଥିବା ସେ ଅଗ୍ନିଗର୍ଭ ପ୍ରଚାରପତ୍ରକୁ କ’ଣ ମାଆ ପଢୁଥିଲା କେଭେଁ?
ଏ ପ୍ରଶ୍ନ ଏକ ତାତ୍ପର୍ୟ୍ୟପୂର୍ଣ୍ଣ ପ୍ରଶ୍ନ । ଏପରି ପ୍ରଶ୍ନ ଖୋଦ୍ ଲେଖକ ପଚାରିନାହାନ୍ତି କେଉଁଠି କିମ୍ବା କୌଣସି ପାଠକପାଠିକା ନିଭୃତ ମନରେ ଉଠାଇଛନ୍ତି କି ଉଠାଇନାହାନ୍ତି – ମତେ ଜଣାନାହିଁ, ମାତ୍ର ଯାହାର ଉତ୍ତର ପ୍ରତ୍ୟେକ ଯୁଗରେ ଆଗାମୀ ଇତିହାସର ହିଁ ଅସଲ ଉଚ୍ଚାରଣ । ‘ଲେଖାଲେଖି କାହାପାଇଁ’ ପ୍ରଶ୍ନର ଉତ୍ତର ଖୋଜିଲାବେଳେ ଆମ ସମସ୍ତଙ୍କୁ, ବିଶେଷକରି ମୋର ସମକାଳର ଲେଖକଲେଖିକା ବିରାଦରମାନଙ୍କୁ ମୁଁ ଗର୍କୀଙ୍କର ସେଇ ‘ମଦର୍’ର ମୁହଁକୁ ଏତେଗୁଡ଼ିଏ ବର୍ଷର ବ୍ୟବଧାନ ପରେ ଆଉଥରେ ଫେରିଚାହିଁବାକୁ ଅନୁରୋଧ କରୁଛି ।
ମାଆମାନେ ଆଜି ବି ପସରାମୁଣ୍ଡେଇ ଚାଲିଛନ୍ତି । ହେଲେ ମାଆର ସନ୍ତାନମାନେ ଏବେ କେଉଁଠି? ଦୀର୍ଘଜୀବୀ ବିପ୍ଳବ କ’ଣ ଅମର ହୋଇସାରିଛି ଇତିମଧ୍ୟରେ? ଆଗାମୀ ଇତିହାସ ପାଇଁ ଆମର ଅଂଗୀକାରର ଦିନସବୁ କ’ଣ ସରିଯାଇଛି? ବିପ୍ଳବର କାର୍ୟ୍ୟନିର୍ଘଣ୍ଟ କ’ଣ ତାର ଶେଷ ପାରାଗ୍ରାଫ୍ରେ ପହଞ୍ଚିଯାଇଛି? ଏବେ କ’ଣ ଚାଲିଛି ଖାଲି ଖେଳ ପିରିୟଡ୍? ପଡ଼ିଆରେ ଜର୍ସିପିନ୍ଧି ରେଫରୀର ହୁଇସିଲ୍କୁ ଅପେକ୍ଷା?
ଆମ ସାହିତ୍ୟ କ୍ଲାସ୍ର ଛୁଟିଘଣ୍ଟା ବାଜିବାର ଶବ୍ଦ ସବୁଠି ଶୁଭୁଛି ।
ମାତ୍ର ଟିକିଏ କାନ ଡେରିଲେ ଶୁଣିପାରିବେ ଯେ ଗୋଟିଏ ଚାପାକାନ୍ଦଣାର ସ୍ୱର ଏ ଛୁଟିଘଣ୍ଟାର ଶବ୍ଦକୁ କାଟି ଦୂରରୁ ଆହୁରି ଦୂରକୁ ଚାଲିଯାଉଛି । ହଜିଯାଉଛି ହର୍ଦମ୍ ହସଖୁସିର ହୋହଲ୍ଲା ଆରପଟର ଅସରନ୍ତି ହାହାକାର ଆଡ଼କୁ ।
କାନ୍ଦୁଛି କିଏ? ହସୁଛି କିଏ? ମାଆ କାନ୍ଦୁଛି ତ ହସୁଛି ସନ୍ତାନ ।
ଇଏ ଦୁଇଟି ପକ୍ଷ । କେଉଁ ପକ୍ଷ ପାଇଁ ଲେଖିବେ? କାହାପାଇଁ ଲେଖାଲେଖି?
ପ୍ରତ୍ୟେକ ଲେଖକଲେଖିକା ନୀରବରେ ନିଜକୁ ଏ ପ୍ରଶ୍ନ ପଚାରିବାର ବେଳ ଆସିଯାଇଛି । ମୋ ବିଚାରରେ, କାନ୍ଦୁଥିବା ମାଆମାନଙ୍କ ଓଠରେ ଧାରେ ହସ ଆଉ ହସୁଥିବା ସନ୍ତାନମାନଙ୍କ ହୃଦୟରେ ଟୋପାଏ ଦିଟୋପା ଲୁହକୁ ପାଛୋଟିଆଣିପାରୁଥିବା କାନ୍ଦ ଯଦି ହୋଇପାରନ୍ତା ଲେଖାଲେଖିର ଲକ୍ଷ୍ୟ, ତା’ହେଲେ ‘କାହାପାଇଁ’ର ଉତ୍ତରଖାତା ପୂରା କରିବାଟା ଆଉ କାହାରିପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରନ୍ତା ନାହିଁ ।
ଏବେ ତ ହସ କ୍ଳବ୍ର ଯୁଗ । ହସ ପାଇଁ ଆସର । ହସ ପାଇଁ ହରେକ୍ ଯୋଜନା ଚାରିଆଡ଼େ । ବୈଜ୍ଞାନିକ କହୁଛି – ହସ । ଡାକ୍ତର କହୁଛି – ହସ । ବନ୍ଧୁ କହୁଛି – ହସ । ହସକୁ କସରତର ସ୍ତରକୁ ନେଇଯାଇ ତାଲିମ୍ଦାତା ଦଳ ବି ସାଇବସ୍ତିଠୁ ସହରସାରା ହସର ବ୍ୟାୟାମଶାଳା ବସାଇ ସମସ୍ତଙ୍କୁ ଡାକି କହୁଛନ୍ତି – ହସ ।
ହସିଲେ ହୃତ୍ପିଣ୍ଡ ତାଜା ରହିବ । ରକ୍ତଚାପ ରହିବ ଠିକ୍ଠାକ୍ । ମୁହଁର ମାଂସପେଶୀ ହାସଲ କରିବ ସଠିକ୍ ଚାଳନା । ଅତୁଟ ସ୍ୱାସ୍ଥ୍ୟ ହୋଇଉଠିବ ସୁଲଭ । ସହରକୁ ନୂଆ ଯୋଗୀ ଆସି ପ୍ରଚାର କରୁଛନ୍ତି, ହସ ବି ଗୋଟିଏ ପ୍ରକାର ଯୋଗ । ଏତେ ନିଃଶ୍ୱାସପ୍ରଶ୍ୱାସ ରୁନ୍ଧି ବା ନାସିକାରନ୍ଧ୍ରରେ ପବନକୁ ଫାଶ ପକାଇ ଯୋଗପ୍ରାଣାୟମ କରିବା ଅପେକ୍ଷା, ବରଂ ଦଶମିନିଟ୍ ହସ । ଯୋଗମାର୍ଗକୁ ସୁରୁଖୁରୁ ଯାତ୍ରା ସଂଭବପର ଏ ବିନାଖର୍ଚ୍ଚର କେଇମିନିଟ୍ ହସରେ । ଆଖିକାନ ବୁଜି ନୀରବ ଧ୍ୟାନ କରିବାଠୁ ଆଖିପାଟି ମେଲି ଆଁ-ଖୋଲା ସଶବ୍ଦ ହସ ସହସ୍ରଗୁଣେ ଭଲ । ହସ – ହସ – ହସ ।
ରାଜଧାନୀର ଜନସମାବେଶରେ ସଭାପତିତ୍ୱ କରି ପୁରୁଣାପୁରୁଖା ନେତା ବି ନୂଆ ଲେଖକଲେଖିକାମାନଙ୍କୁ ପରାମର୍ଶ ଦେଉଛନ୍ତି – ହାସ୍ୟରସ ସୃଷ୍ଟି କର । ହାସ୍ୟ ହିଁ ଲାସ୍ୟ । ହାସ୍ୟ ହିଁ ଭାଷ୍ୟ । ହାସ୍ୟ ହିଁ ରହସ୍ୟ । ଯଦି ହାକିମ ଆଉ ପିଅନ ପରସ୍ପରକୁ ଦୁଇମିନିଟ୍ ଚାହିଁ ପ୍ରତିଦିନ ହସିବେ, ତାହେଲେ ଅଫିସ୍ରେ ତାଲାବନ୍ଦର ଦିନ ଆସିବ ନାହିଁ କି ହରତାଳର ଦିପହର ଦିଶିବ ନାହିଁ । ପିଅନର ଛୁଟିଦରଖାସ୍ତ ଆଉ ହାକିମର ଛଟାଦସ୍ତଖତ ମଝିରେ ଛୁଞ୍ଚିମୁନର ଦୂରତା ବି ରହିବନାହିଁ । ଆମର ଆଉ ଫକିରମୋହନ, ପ୍ରେମଚଂଦ, ଶରତ୍ଚନ୍ଦ୍ର, ନଜରୁଲ, ସଚ୍ଚି ରାଉତରା ଦରକାର ନାହିଁ – ଦରକାର ନିର୍ଧୂମ୍ ହାସ୍ୟରସର ଧୁମ୍ଧାମ୍ ସାହିତ୍ୟକାର । ସାହିତ୍ୟର ଶ୍ରୀକ୍ଷେତ୍ରରେ ହସର ବଜାର, ହସର ହାଟ ବସାଅ ଗ୍ରାହକ ପାଠକବର୍ଗ ପାଇଁ । ହସ ହିଁ ଅସଲ ରସ ।
ହସିବାକୁ ଇଚ୍ଛା ହୁଏ ଖୁବ୍ । ହେଲେ ହସିପାରେନା ମୋଟେ । ବସିବସି ଭାବେଁ ଗୋଟିଏ କାନ୍ଦୁରା ମଣିଷର କଥା, ଯିଏ ନିଜେ ବି ନିଜର ପଚାଶ ପୂରୁପୂରୁ ଦିନେ ସାରା ଓଡ଼ିଆ ଜାତିକୁ କନ୍ଦାଇ କନ୍ଦାଇ ଚାଲିଗଲା ଚୁପ୍ଚାପ୍ । କୌଣସି ବ୍ୟକ୍ତିଗତ ମାଲିକାନାର ମୋହ ନଥିଲା ତାର । ମଣିଷଗଢ଼ା କାରଖାନା ଗଢ଼ିଥିଲା ସତ୍ୟବାଦୀରେ, ନଥିଲା କିନ୍ତୁ ଶିଳ୍ପପତି । ସର୍ବସ୍ୱାନ୍ତ ମଣିଷର ସାଥୀ ସେ, ଦୀନଦୁର୍ଗତର ବନ୍ଧୁ । କାରାରେ ଥାଇ ଲେଖିଥିଲା କବିତା, ବନ୍ୟାଧାରାରେ ନାଆ ବାହି ବାଣ୍ଟିଥିଲା ସାହାଭରସାହୀନ ସର୍ବସ୍ୱାନ୍ତମାନଙ୍କୁ ଚୁଡ଼ାଚାଉଳ, ସାରା ଓଡ଼ିଆଜାତିର ଆତ୍ମା, ହୃଦୟ, ବିବେକକୁ ମଣିଷହେବାର ମନ୍ତ୍ରପାଠରେ କରାଇଥିଲା ଆନ୍ଦୋଳିତ । ‘ଲେଖାଲେଖି କାହାପାଇଁ’ ପ୍ରଶ୍ନ ଯଦି ଉକ୍ରଳମଣି ଗୋପବଂଧୁଙ୍କୁ ପଚରାଯାଇଥାନ୍ତା, ଉତ୍ତରଟା ତାଙ୍କୁ ଦେବାକୁ ପଡ଼ିନଥାନ୍ତା କଦାପି । ତାଙ୍କ ତରଫରୁ ଉତ୍ତର ଦେଇଥାନ୍ତେ ଓଡ଼ିଶାର ବନ୍ୟା, ବାତ୍ୟା, ବିପତ୍ତି ଏବଂ ଚିଲିକାଚଢେଇଠୁ
ମାୟାଧର ନାୟକ