ସିଇସିଙ୍କ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡରେ ନିର୍ମାଣଧୀନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିଛନ୍ତି ସୁପ୍ରିମ କୋର୍ଟ ଦ୍ୱାରା ଗଠିତ କେନ୍ଦ୍ରୀୟ କ୍ଷମତା ସମ୍ପନ୍ନ କମିଟି(ସିଇସି) । ବୁଧବାର ଚମ୍ପୁଆ ନିକଟସ୍ଥ ମିରିଗିସିଙ୍ଗାଠାରେ ବୈତରଣୀ ନଦୀରେ ନିର୍ମାଣଧୀନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାନରେ ଏହି ଟିମ୍ ପହନଚିଥିଲା । ଏହି ପ୍ରକଳ୍ପ ଓଡିଶା ଖଣିଜ ସମ୍ପଦ ଅଂଚଳ ବିକାଶ ନିଗମ (ଓଏମବିଏଡିସି) ଏବଂ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପକ୍ଷରୁ ପ୍ରାୟ ୧୦୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ ଜରିଆରେ ବିଷୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବାର ଲକ୍ଷ୍ୟ ରହିଛି । ଏହି କମିଟିକୁ ଜିଲା ପ୍ରଶାସନ ପକ୍ଷରୁ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ମାନେ ପ୍ରକଳ୍ପର କାର୍ଯ୍ୟ ଏବଂ ଏହାର ବିଶେଷତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପରବର୍ତୀ ସମୟରେ ଅନ୍ୟ ଏକ ବୃହତ ପ୍ରକଳ୍ପ ନିର୍ମାଣ ସ୍ଥାନକୁ କମିଟିକୁ ନେଇ ଜିଲା ପ୍ରଶାସନ ଏବଂ ଜିଲାର ବରିଷ୍ଠ ଅଧିକାରୀମାନେ ନେଇଥିଲେ । ଏହି ପ୍ରକଳ୍ପଟି ପ୍ରାୟ ୧୦୯୭ କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବାର ଅଛି । ଏହି ପ୍ରକଳ୍ପ ନିର୍ମାଣ ହେଲେ କେନ୍ଦୁଝର, ବାଂଶପାଳ, ଝୁମ୍ପୁରା ଓ ଚମ୍ପୁଆ ପ୍ରଭୃତି ୪ ଟି ବ୍ଲକରେ ଥିବା ବିସ୍ତିର୍ଣ୍ଣ ଅଂଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସିଇସି କମିଟିକୁ ଅବଗତ କରାଯାଇଥିଲା । ଜିଲା ପ୍ରଶାସନ ପକ୍ଷରୁ ସିଇସି ଟିମ୍ ସହିତ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, ଜିଲା ବନ ଅଧିକାରୀ ସନ୍ତୋଷ ମୋହନ ଯୋଶୀ, ଆରସିସିଏଫ ଲିଙ୍ଗରାଜ ହୋତା ପ୍ରମୁଖ ଉପସ୍ଥିତ ଥିବା ବେଳେ ସିଇସି ଟିମ୍ ରେ କମିଟିର ଅଧ୍ୟକ୍ଷ ପି.ଭି ଜୟକୃଷ୍ଣା, ମେମ୍ବର ସେକ୍ରେଟାରୀ ଅମରନାଥ ସେଠୀ, ସଦସ୍ୟ ଏସ.କେ ପଟ୍ଟନାୟକ ଏବଂ ମହେନ୍ଦ୍ର ବ୍ୟାସ , ଓଏମବିଏଡିସି ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଉମା ନୁନ୍ଦୁରୀ , ମନୋଜ ମହାପାତ୍ର, ଅମ୍ବୁଜ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ । ଜିଲା ଖଣିଜ ପାଣ୍ଠି (ଡିଏମଏଫ) ଟଙ୍କାକୁ ଖଣି ପ୍ରଭାବିତ ଅଂଚଳରେ ସୁବିନିଯୋଗ କରାଯାଉନଥିବା ବାରମ୍ବାର ପ୍ରଭାବିତ ଅଂଚଳବାସୀ ଜିଲା ପ୍ରଶାସନଠାରେ ଅଭିଯୋଗ କରି ଆସୁଥିଲେ ହେଁ , ଏହାର ଉଚିତ ତଦାରଖ କରିବା ପାଇଁ ଆସିଥିବା ସିଇସି ଟିମ୍ ଖଣି ପାଇଁ ସବୁଠାରୁ ଅଧିକ ପ୍ରଭାବିତ ବଡବିଲ୍‌, ଯୋଡା, ଗୁଆଲି, ଜୁରୁଡି, ବାମେବାରୀ, କାଳିମାଟି ପ୍ରଭୃତି ଅଂଚଳକୁ ଯାଇନଥିବାରୁ ଅଂଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରକୃତରେ ଖଣି ଦ୍ୱାରା ପ୍ରଭାବିତ ଅଂଚଳରେ ଡିଏମଏଫ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ପ୍ରକଳ୍ପ ଗୁଡିକର ସିଇସି ପକ୍ଷରୁ ଉଚିତ ତଦାରଖ କରାଗଲେ ଶୋଚନୀୟ ଅବସ୍ଥାରେ ରହୁଥିବା ସ୍ଥାନୀୟ ଅଂଚଳବାସୀ ଶିକ୍ଷା, ସ୍ୱା୍‌ସ୍ଥ୍ୟ , ଗମନାଗମନ ପ୍ରଭୃତି କ୍ଷେତ୍ରରେ ସୁବିଧା ପାଇପାରନ୍ତେ ବୋଲି ଯୋଡା ବିଜେଡି ଯୁବ ସଭାପତି ମାନସ ଦାସ ଓ ଜୁରୁଡି ଅଂଚଳର ସୁରେନ୍ଦ୍ର ନାଥ ମହାନ୍ତି, ବୀର ପେଣ୍ଠେଇ, ଦାସ ପେଣ୍ଠେଇ, ଜୁରୁଡି ପନଚାୟତର ପିଏସ ମେମ୍ବର ଇନ୍ଦିରା ପାତ୍ର, ଜୁରୁଡି ସରପନଚ ସୁଜାତା ହେମ୍ବରମ ପ୍ରମୁଖ ତାଙ୍କ ଅଭିଯୋଗରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ