ସିପିଆଇ (ଏମ୍-ଏଲ)ଲିବରେସନର ବିକ୍ଷୋଭ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଓ ପୂର୍ବତନ ମୁଖ୍ୟ ବିଚାରପତିମାନଙ୍କ ସମ୍ପର୍କରେ ଟୁଇଟ୍ କରିବା ଅଭିଯୋଗରେ ଦେଶର ବିଶିଷ୍ଟ ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନ୍ଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ଓ ଦଣ୍ଡିତ କରିବା ପ୍ରକ୍ରିୟାକୁ ସିପିଆଇ (ଏମ୍-ଏଲ୍) ଲିବରେସନ ସମାଲୋଚନା କରିବା ସହିତ ଏହାକୁ ଅବିଳମ୍ବେ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।
ମତବ୍ୟକ୍ତ କରିବାର ସାମ୍ବିଧାନିକ ଅଧିକାର ଉପରେ ଏହା ଏକ ନଗ୍ନ ଆକ୍ରମଣ ବୋଲି ଅଭିଯୋଗ କରି “ଆମେ ପ୍ରଶାନ୍ତ ଭୂଷଣଙ୍କ ସହ ଅଛୁ’ ବୋଲି ସ୍ଲୋଗାନ ଦେଇ ଆଜି ରାଜଧାନୀ ଭୁବନେଶ୍ୱରରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନ୍ୟାୟପାଳିକା ହେଉ କିମ୍ବା ବ୍ୟବସ୍ଥାପିକା ହେଉ, ଜନସାଧାରଣ ସମସ୍ତଙ୍କ ଉପରେ ଏବଂ ଜନସାଧାରଣଙ୍କ ସମାଲୋଚନା କରିବା ଅଧିକାର ଉପରେ ଅଙ୍କୁଶ ଲଗାଇବା ଅର୍ଥ ଗଣତନ୍ତ୍ରର କଣ୍ଠରୋଧ କରିବା ବୋଲି ସିପିଆଇ (ଏମ୍-ଏଲ୍) ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଅଭିଯୋଗ କରିଛନ୍ତି । କରୋନା ବିପର୍ଯ୍ୟୟ ଆଳରେ ପ୍ରବାସୀ ଶ୍ରମିକଙ୍କୁ ନିର୍ଯ୍ୟାତନା ତଥା ପେଟ-ପାଟଣା ସମସ୍ୟା ହେଉ ଅଥବା ନାଗରିକ ଅଧିକାର ସଂଶୋଧନ ଆଇନ୍ ନାମରେ ସାଧାରଣ ଜନତାର ସ୍ୱାର୍ଥ ବିଷୟକୁ ସର୍ବୋଚ୍ଚ ନ୍ୟାୟାଳୟ ଭୁଲି ଯାଇଥିବା ବେଳେ ଏକ ସାଧାରଣ ସମାଲୋଚନାମୂଳକ ମନ୍ତବ୍ୟ ବିରୋଧରେ ସୁପ୍ରିମକୋର୍ଟ ନିଜ ଆଡୁ ମକଦ୍ଦମା ରୁଜୁ କରିବା ଅତ୍ୟନ୍ତ ହାସ୍ୟସ୍ପଦ ବୋଲି ସିପିଆଇ (ଏମ୍-ଏଲ୍) ଲିବରେସନର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠି ମତ ଦେଇଛନ୍ତି । ଦେଶର ପ୍ରମୁଖ ସମସ୍ୟା ସମ୍ବନ୍ଧରେ ସଦାସର୍ବଦା ଜନସ୍ୱାର୍ଥ ସମ୍ବଳିତ ମାମଲା ରୁଜୁ କରି ବିଚାର ବିଭାଗକୁ ଜାଗ୍ରତ କରୁଥିବା ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡିତ କରିବା ଦ୍ୱାରା ସୁପ୍ରିମକୋର୍ଟ ନିଜର ମର୍ଯ୍ୟାଦାହାନୀ କରୁଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ଅଦାଲାତ ଅବମାନନା ଭଳି ବ୍ରିଟିଶ ଶାସନର ଔପନିବେଶ ତଥା ଜନବିରୋଧୀ ଆଇନ୍କୁ ଅବିଳମ୍ବେ ଉଚ୍ଛେଦ କରିବା ସହିତ ଆଇନ୍ଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ ଘୋଷଣା ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି ।
ଆଜିର ଏହି ପ୍ରତିବାଦରେ ସିିପିଆଇ (ଏମ୍-ଏଲ୍) ରାଜ୍ୟ କମିଟି ସଦସ୍ୟ ମହେନ୍ଦ୍ର ପରିଡ଼ା, ଏଆଇସିସିଟିୟୁର ଉପସଭାପତି ବଂଶୀଧର ପରିଡ଼ା, ଶଙ୍କର ନାଏକ, ବିଜୟ ବେହେରା, ଳିଙ୍ଗରାଜ ଚୌଧୁରୀ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।


