ସିପିଆଇ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଓଡିଶାରେ ବିଦ୍ୟୁତ ଉତ୍ପାଦନ ଓ ପରିଚାଳନା ଦାୟିତ୍ୱରେ ରାଜ୍ୟ ବିଦ୍ୟୁତ୍ ବୋର୍ଡ ଦ୍ୱାରା ପରିଚାଳନା କରାଯାଇଥିଲା । ମାତ୍ର, ପରେ ଏହାକୁ ଭାଙ୍ଗି ସେସ୍କୋ, ନେସ୍କୋ, ସାଉଥକୋ ଭଳି ବିଭିନ୍ନ ଘରୋଇ କମ୍ପାନୀ ମାନଙ୍କୁ ପରିଚାଳନା ଦାୟିତ୍ୱ ଦେଇଥିଲେ । ସେହି ମାନେ କମ୍ପାନୀ ଅର୍ଥ ଆଦାୟ କରି ଶହ ଶହ କୋଟି ଟଙ୍କା ନେଇ ପଳେଇବା ପରେ ଆଉ ଗୋଟିଏ କମ୍ପାନୀକୁ ପରିଚାଳନା ଦାୟିତ୍ୱ ଦିଆଗଲା । ସେ ମଧ୍ୟ ଏହି ଏକା କଥା କଲା । ନା ବିଦ୍ୟୁତ ସଠିକ୍ ଭାବେ ଯୋଗାଣ ହୋଇପାରିଲା ନା ଉନ୍ନତ ସେବା ଗ୍ରାହକ ପାଇଲେ । ଏବେ ଟାଟା କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି । ଘରେ ନ ପଶୁଣୁ ଚାଳ ବାଜିଲା ଭଳି ଆସୁ ଆସୁ, ମନ ଇଚ୍ଛା ବିଦ୍ୟୁତ ବିଲ୍ ସହିତ ମିଟର ବଦଳାଇବା, ବାକି ପଇସା କହି ଖରାଦିନେ ପରୀକ୍ଷା ବେଳେ ଲାଇନ କାଟିଦେବା ଭଳି ଦାଦାଗିରି ଚଳାଇଛନ୍ତି । ଏହାକୁ ପ୍ରତିହତ କରି ୨ ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ୍ ଯୋଗାଇବା, ଲୋକଙ୍କୁ ସହଜ ଓ ସରଳରେ ଉତ୍ତମ ମାନର ସେବା ଯୋଗାଇବା, ପୁର୍ବ ଭଳି ରାଜ୍ୟ ବିଦ୍ୟୁତ୍ ବୋର୍ଡ ଗଠନ କରି କାର୍ଯ୍ୟକ୍ଷମ କରିବା, କର୍ମଚାରୀ ମାନଙ୍କୁ ଉଚିତ୍ ଦରମା ପ୍ରଦାନ କରିବା ଓ ଅଘୋଷିତ ବିଦ୍ୟୁତ କାଟ କୁ ରୋକିବା ଭଳି ବିଭିନ୍ନ ଦାବିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସାରା ରାଜ୍ୟରେ ଆଜି ଲେନିନ୍ ଙ୍କ ଜନ୍ମ ଦିନରେ ଆନ୍ଦୋଳନ କରିବା ପାଇଁ ଡାକରା ଦେଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ବିଦ୍ୟୁତ ଡିଭିଜନ ଅଫିସ୍ ସମ୍ମୁଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟାଟା କମ୍ପାନୀର ମନମୁଖି କାର୍ଯ୍ୟକୁ ଦୃଢ ନିନ୍ଦା କରାଯାଇଛି । ଆଗାମୀ ଦିନରେ ଗ୍ରାହାକ ମାନଙ୍କୁ ଉତ୍ତମ ସେବା ଯୋଗାଇବା, ୨ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗାଣାରେ ଯୋଗାଇବା ସହ ବିଦ୍ୟୁତ ୟୁନିଟ୍ ପିଛା ଶୁକ୍ଲ କମ୍ କରାଇବା, ଅଘୋଷିତ ବିଦ୍ୟୁତ କାଟକୁ ତୁରନ୍ତ ବନ୍ଦ କରିବା ଭଳି ବିଭିନ୍ନ ଦାବି ଉପରେ ଉପସ୍ଥିତ ନେତା ଓ କର୍ମୀ ମାନେ ଆଲୋକପାତ କରିଥିଲେ । ଏନେଇ ଏକ ଲିଖିତ ସ୍ମାରକ ପତ୍ର ବିଦ୍ୟୁତ ବିଭାଗର ଏସଡିଓ ଇଂ ରାଜ କିଶୋର ବଲ୍ଲଭଙ୍କୁ ପ୍ରଦାନ କରିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ପୂର୍ବତନ ବିଧାୟକ ତଥା ବରିଷ୍ଟ ସିପିଆଇ ନେତା ଏନ୍. ନାରାୟଣ ରେଡ୍ଡି, ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ଛତ୍ରପୁର ଜୋନାଲ ସମ୍ପାଦକ ଏସ୍. କ୍ରିଷ୍ଣା ରେଡ୍ଡି, ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ୍. ଜନାର୍ଦ୍ଦନ ରେଡ୍ଡି, ପୂର୍ବତନ ସରପଂଚ ସିମାଂଚଳ ସାହୁ, ନବୀନ ଗୌଡ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ. ଗିରିଜା ପ୍ରସାଦ ରେଡ୍ଡି, ଏସ୍. ତ୍ରିନାଥ ରେଡି୍ଡ ବି. ନାଗେଶ୍ୱର ପାତ୍ର, ମୁନା ପାତ୍ର, ଗୁରୁନାଥ ପ୍ରଧାନ, ଛତ୍ରପୁର ଓକିଲ ସଂଘର ପୂର୍ବତନ ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ସରସ୍ୱତୀ ପ୍ରଧାନ, ଦୁର୍ଯ୍ୟୋଧନ ନାହାକ, ଆଇନଜିବୀ ଡି. ଆଦି ନାରାୟଣ ରେଡ୍ଡି, ଯୋଗେନ୍ଦ୍ର ଗୌଡଙ୍କ ସମେତ ବହୁ ସିପିଆଇ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।


