ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳାରେ ୫୩୬ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜାଦୀର ଅମୃତ ମହୋତ୍ସବ ଅବସରରେ ଛତ୍ରପୁର ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଲୋକମାନଙ୍କ ହାତ ପାହାନ୍ତାରେ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇଦେବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ । ଏହି ମେଳା ଦ୍ୱାରା ଲୋକମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ ସେବା ଯୋଗାଇଦେବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ୨୦ ନଂ ଜିଲ୍ଲା ପରିଷଦ ସଭ୍ୟ ଏମ୍. ଧନଞ୍ଜୟ ରେଡ୍ଡି, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ପରିବାର ଓ କଲ୍ୟାଣ) ଭି. ସରୋଜିନୀ ଦେବୀ, ମେଳା ସଂଯୋଜକ ଦିଲ୍ଲୀପ କୁମାର ପଣ୍ଡା, ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁ, ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ଏସ୍. ରେଖା ମହାନ୍ତି, ସମ୍ପାଦିକା ସ୍ୱାଗତିକା ସାମନ୍ତରାୟଙ୍କ ସମେତ ଛତ୍ରପୁର ବ୍ଲକର ବହୁ ଜନ ପ୍ରତିନିଧି ମାନେ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଲୋକଙ୍କୁ କିପରି ସଠିକ୍ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇପାରିବ ସେଥି ନିମନ୍ତେ ପରାମର୍ଶ ଦେଇଥିଲେ । ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମେଳାରେ ଭେଷଜ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ଚକ୍ଷୁ ରୋଗ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ ବିଶେଷଜ୍ଞଙ୍କ ସମେତ ୨୫ ଟି ବିଭାଗର ଡାକ୍ତର ମାନେ ଯୋଗ ଦେଇ ରୋଗୀ ମାନଙ୍କ ଚିକିତ୍ସା କରାଇବା ସହ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ବିଭିନ୍ନ ରୋଗ ବିଷୟରେ କିପରି ସଚେତନତ ରହିବ ସେଥି ନିମନ୍ତେ ବିଭିନ୍ନ ସଚେତନମୂଳକ ପୋଷ୍ଟର ଲଗାଯିବା ସହିତ ଶରୀରକୁ ଯୋଗ ମାଧ୍ୟମରେ କିପରି ସୁସ୍ଥ ରଖିବେ ସେଥି ନିମନ୍ତେ ଦୁଇଜଣ ଯୋଗ ଗୁରୁ ପ୍ରଶିକ୍ଷଣ ଦେଇଥିଲେ । ଏହା ସହ ଦାସକାଠିଆ ମାଧ୍ୟମରେ ଉପସ୍ଥିତ ରୋଗୀ ମାନଙ୍କୁ ବିଭିନ୍ନ ପ୍ରକାର ସଚେତନତା କରାଯାଇଥିଲା । ମେଳା ପରିସରରେ ଥିବା ସେଲଫି ପଏଣ୍ଟ ର ଫୋଟ ଉଠାଇବାର ମଜା ବି ରୋଗୀ ମାନେ ନେଇଥିବା ଦେଖିବାକୁ ମିଳିଛି । ଏହି ମେଳାରେ ୫୩୬ ରୋଗୀଙ୍କ ସ୍ୱାସ୍ଥ ପରୀକ୍ଷା ହେବା ସହ ବିଭିନ୍ନ ପ୍ରକାର ଔଷଧ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବିପିଏମ ସିମାଂଚଳ ପ୍ରଧାନଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ପରିଚାଳନାରେ ସହ ଯୋଗ କରିଥିଲେ ।


