ସିବିଏସଇ ମାଟ୍ରିକ ଫଳକୁ ନେଇ ବିଦ୍ୟାଳୟ ଘେରାଉ କଲେ ଶିକ୍ଷାର୍ଥୀ ଓ ଅଭିଭାବକ

ହିଂଜିଳିକାଟୁ, (ଶେଷଦେବ ସାହୁ):ସିବିଏସଇ ମାଟ୍ରିକ ପରୀକ୍ଷା ଫଳାଫଳକୁ କେନ୍ଦ୍ର କରି ହିଂଜିଳିକାଟୁ ପୌରାଂଚଳ ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସୋମବାର ଶିକ୍ଷାର୍ଥୀ ଓ ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି । ସଂପୃକ୍ତ ବିଦ୍ୟାଳୟରେ ଅନଲାଇନ୍ ଶିକ୍ଷାଦାନ ନାମରେ ମାସକୁ ମାସ ଟଙ୍କା ଆଦାୟ କରାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଶିକ୍ଷାଦାନ କରାଯାଉନଥିବା ନେଇ ଅଭିଭାବକ ବୃନ୍ଦ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ସଂପୃକ୍ତ ବିଦ୍ୟାଳୟରେ ୬୩ ଜଣ ଶିକ୍ଷାର୍ଥୀ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ପରୀକ୍ଷା ହୋଇପାରିନଥିଲା । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତି କ୍ରମେ ୯ମ ଶ୍ରେଣୀ ପରୀକ୍ଷା ଫଳାଫଳ ଓ ୧୦ମ ଶ୍ରେଣୀ ପ୍ରି –ବୋର୍ଡ଼ ପରୀକ୍ଷା ଫଳାଫଳକୁ ଆଧାର କରି ୧୦ମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ମାର୍କ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ମାର୍କରେ ଶିକ୍ଷାର୍ଥୀ ଓ ଅଭିଭାବକ ମାନେ ସନ୍ତୁଷ୍ଟ ନଥିଲେ । ଜାଣିଶୁଣି ବିଦ୍ୟାଳୟ କର୍ତୁପକ୍ଷ ଶିକ୍ଷାର୍ଥୀ ମାନଙ୍କୁ କମ୍ ମାର୍କ ଦେଇଥିବା ନେଇ ଅଭିଯୋଗ କରିଥିଲେ । ସୋମବାର ସଂପୃକ୍ତ ବିଦ୍ୟାଳୟର ୧୦ମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ଲାଭ କରିଥିବା ବହୁ ଶିକ୍ଷାର୍ଥୀ ଓ ଅଭିଭାବକ ମିଳିତ ହୋଇ ଏହାକୁ ବିରୋଧ କରି ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣା ପରେ ସଂପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷା ରାଧାରାଣୀ ସାମନ୍ତରାୟ ଉତ୍ୟକ୍ତ ଅଭିଭାବକ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଶିକ୍ଷାର୍ଥୀ ଓ ଅଭିଭାବକ ମାନେ ନିଜ ଜିଦରେ ଅଟଳ ରହିଥିଲେ । ଏ ନେଇ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସାମନ୍ତରାୟଙ୍କୁ ପଚାରିବାରୁ ସେ କୁହନ୍ତି ଶିକ୍ଷାର୍ଥୀଙ୍କ ଯୋଗ୍ୟତା ଅନୁସାରେ ମାର୍କ ପ୍ରଦାନ କରାଯାଇଛି । ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଥିବା ଶିକ୍ଷାର୍ଥ ମାନେ ଚାହିଁଲେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଅଫଲାଇନରେ ପରୀକ୍ଷା ଦେଇପାରିବେ । ଘଟଣା ନେଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧରଙ୍କୁ ପଚାରିସବାରୁ ସେ କହିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ବିକ୍ଷୋଭ ସମୟରେ ଅଭିଭାବକ ନିଶିକାନ୍ତ ଗଉଡ, ଚିନ୍ମୟ ମହାରଣା, ଅନିଲ ସେଠି, ପ୍ରଦ୍ୟୁମ୍ନ ସ୍ବାଇଁ, ଇ ରବିନ୍ଦ୍ର, ଓମ୍ ପ୍ରକାଶ ସାହୁ, ରାମକୃଷ୍ଣ ଗଉଡଙ୍କ ସମେତ ବହୁ ଶିକ୍ଷାର୍ଥୀ ଓ ଅଭିଭାବକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ