‘ସିଭିଲ୍ ସୋସାଇଟି’ର ଜିଲ୍ଲା ସମ୍ମିଳନୀ ଓ ଜନସମସ୍ୟା ସମାଧାନ ପାଇଁ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହର ସମେତ ଜିଲ୍ଲାର ବିଭିନ୍ନ ସମସ୍ୟାର ପ୍ରତିକାର ସଂପର୍କରେ ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉଠା ଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ସଂପାଦକ ମନୋଜ ନାୟକ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଉତ୍ତର ଓଡ଼ିଶାରେ ବିଦ୍ୟୁତ୍ ବିତରଣକାରୀ ଟାଟା କମ୍ପାନୀ ବିଦ୍ୟୁତ୍ ଗ୍ରାହକମାନଙ୍କୁ ବିଭିନ୍ନ କୌଶଳ ଅବଲମ୍ବନ କରି ଶୋଷଣ କରୁଥିବାର ବାରମ୍ବାର ଅଭିଯୋଗ କଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ସରକାରୀ ପ୍ରଶାସନ ଗ୍ରାହକମାନଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେଉନାହାନ୍ତି । ବାଲେଶ୍ୱରକୁ ଦକ୍ଷିଣ ଦିଗରୁ ପ୍ରବେଶପଥ ଓ.ଟି. ରୋଡ଼୍ ସଂପ୍ରସାରଣ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ ଅଟକଳ କରିଥିଲେ ମଧ୍ୟ ସଂପ୍ରସାରଣ କାର୍ଯ୍ୟ ବିଦ୍ୟୁତ୍ କମ୍ପାନୀର ଅବହେଳାରୁ ଏହା ନିର୍ଦ୍ଦିଷ୍ଟ ସମୟରେ ସମାପ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି । କେତେକ ଘରୋଇ ବ୍ୟବସାୟୀ ସଂସ୍ଥା ରାସ୍ତା ପାଶ୍ୱର୍ରେ ଥିବା ସରକାରୀ ସ୍ଥାନରେ ବିଦ୍ୟୁତ୍ ଟ୍ରାନ୍‌ସଫର୍ମରଗୁଡ଼ିକ ସ୍ଥାନାନ୍ତର ନହେବାରୁ ରାସ୍ତା ସଂପ୍ରସାରଣ ଫୁଟପାଥ୍ ଓ ଡ୍ରେନ୍ ନିର୍ମାଣରେ ବାଧକ ସାଜିଛି । ସିଭିଲ୍ ସୋସାଇଟି ପକ୍ଷରୁ ଏଥିପାଇଁ ଏକ ଜନସ୍ୱାର୍ଥ ମାମଲା ଓଡ଼ିଶା ହାଇକୋର୍ଟରେ କରିବା ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି ।ସୋସାଇଟିର ପରିବର୍ଦ୍ଧିତ ବୈଠକ ଆସନ୍ତା ୨୪ ତାରିଖ ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଜିଲ୍ଲାସ୍ତରୀୟ ସମ୍ମିଳନୀ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ । ଏହି ବୈଠକରେ ସୋସାଇଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁଙ୍କ ସମେତ ସୀତାରାମ ପ୍ରଧାନ, ଗଣେଶ୍ୱର ରାଉତ, ହ୍ରିତିକ ନାୟକ, ଦାମୋଦର ନାୟକ, ଶ୍ୟାମସୁନ୍ଦର ଜେନା ବେଣୁଧର ସାହୁ, ଅଜିତ୍ କୁମାର ବରାଇ, ନିରଞ୍ଜନ ପରିଡ଼ା, ଯଶୋଦାନନ୍ଦନ ଆସ୍‌, ଶରତ ଚନ୍ଦ୍ର ଦଳାଇ ଓ ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅକ୍ଷୟ କୁମାର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ