ପିଲାଙ୍କୁ ଆକଟ କରନ୍ତୁ

ଦିପ୍ତିମୟୀ ନାୟକ
ଗୋଟେ ଶୃଙ୍ଖଳିତ ସମାଜ ଆଉ ଗୋଟେ ଶୃଙ୍ଖଳିତ ପରିବାର ପାଇଁ ଆକଟଶାସନ ନିହାତି ଜରୁରୀ ହୋଇଥାଏ | କାରଣ ଯେଉଁଠି ଆକଟଶାସନ ନଥାଏ ସେଠି ହୁଏତ ଗୋଟେ ଅଶୃଙ୍ଖଳିତ ପରିବେଶ ସୃଷ୍ଟି ହୋଇଥାଏ | ଯାହାଦ୍ୱାରା ନା ସେମାନେ ନିଜକୁ କେବେ ଉତ୍ତମ ମଣିଷ ଭାବରେ ଗଢି ପାରିବେ ନା ତାଙ୍କ ସଂସ୍ପର୍ଶରେ ଥିବା ଲୋକମାନଙ୍କୁ ଶାନ୍ତିରେ ରଖିପାରିବେ | ଯଦି ପ୍ରତ୍ୟେକ ପରିବାରରେ ଶୃଙ୍ଖଳା ଥିବ ତେବେ ନିହାତି ଭାବରେ ସେହି ପରିବାରରେ କିଛି ଆକଟଶାସନ ଥିବ | କାହିଁକି ନା ଯେଉଁଠି ଆକଟଶାସନ ନଥାଏ ହୁଏତ ସେଠି ଔଦ୍ଧତା ସୀମା ଟପି ଯାଇଥାଏ | ପ୍ରତ୍ୟେକ ପିଲା ଯଦି ସମାନ ନୁହଁନ୍ତି ତେବେ ସେମାନଙ୍କର ଚିନ୍ତାଧାରା ମଧ୍ୟ ସମାନ ହୋଇନଥାଏ | କେତେବେଳେ କିଛି ପିଲା ନିଜକୁ ସର୍ବଶ୍ରେଷ୍ଠ ଭାବି ପରିବାରରେ ଅଶାନ୍ତି ଖେଳାଉଥାନ୍ତି ତ ଆଉ କେତେବେଳେ ସମାଜରେ ରହୁଥିବା ଲୋକଙ୍କୁ ହନ୍ତସନ୍ତ କରନ୍ତି | ଏହାର ପ୍ରମୁଖ କାରଣ ହେଲା ଏମାନଙ୍କୁ ଆକଟଶାସନର ଅଭାବ ରହିଥାଏ | ଯଦି ଆମେ ଆମ ପିଲାଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଉଛେ ତେବେ ଠିକ ଅଛି ପିଲାଙ୍କୁ ସ୍ୱାଧୀନତା ଦେବା ନିହାତି ଦରକାର ଆଉ ଏହି ସ୍ୱାଧୀନତା ଭିତରେ ଟିକେ ଆକଟଶାସନ କରିବା ମଧ୍ୟ ନିହାତି ଦରକାର | ଯେଉଁ ବାପା-ମା’ ମାନେ ପିଲାଙ୍କୁ ଆକଟଶାସନ କରନ୍ତିନି ସେମାନେ ହିଁ ବୃଦ୍ଧ ବୟସରେ ଦୁଃଖ ଦୁର୍ଦଶା ଭୋଗ କରନ୍ତି | ଆଉ ଏହି ପିଲା ମାନଙ୍କର ଔଦ୍ଧତା ସୀମାକୁ ଦେଖି ଦେଖି ଶେଷରେ ବିଚରା ବାପା-ମା’ ମାନେ ମାଟି କଣ୍ଢେଇ ସାଜିଥାଆନ୍ତି |ତେବେ ବେଳ ଥାଉ ଥାଉ ସାବଧାନ ହୁଅନ୍ତୁ ନିଜ ପିଲାମାନଙ୍କୁ ଆକଟଶାସନ କରନ୍ତୁ | କାହିଁକି ନା ଯେଉଁଠି ଡର ଭୟ ଥାଏ ସେଠି ହିଁ ଗୋଟେ ଶୃଙ୍ଖଳିତ ପରିବାର ସୃଷ୍ଟି ହେବା ସହ ପିଲାକୁ ତାର ଉତ୍ତମ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ | ଆଉ ସମ୍ପର୍କ ମୂଲ୍ୟବୋଧ ସେତେ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବରେ ରହିଥାଏ | ଏବଂ ପିଲା ମଧ୍ୟରେ ଶାଳୀନତା ଶକ୍ତି ଅଧିକ ରହିଥାଏ | ଆଜିର ଦିନରେ ବାପା-ମା’ ସିନା କହୁଛନ୍ତି ଆମ ପିଲାଙ୍କୁ ଖୋଲା ଛାଡ଼ିଦେବା ଭଲ | ହେଲେ ଯେଉଁ ପିଲାମାନଙ୍କୁ ବାପା-ମା’ ମାନେ ଖୋଲା ଛାଡିଛନ୍ତି କିଛି ଆକଟଶାସନ ନକରିଛନ୍ତି ସେହି ପିଲା ହିଁ ପରିବାରରେ ଅଶାନ୍ତି ଖେଳେଇ ଦେଇଥାନ୍ତି | ଅବଶ୍ୟ ପ୍ରତ୍ୟେକ ପିଲା ସମାନ ନୁହଁନ୍ତି କିନ୍ତୁ ଯେଉଁ ପିଲା ଏମିତି ହୋଇଛନ୍ତି ତାଙ୍କ ପାଇଁ ଆକଟଶାସନ ହୁଏତ କମ ପଡିଛି | ପରିବାରରେ ସ୍ନେହ, ପ୍ରେମ ରହୁ ଆଉ ଏହାରି ଭିତରେ ଟିକେ ଆକଟଶାସନ ରହୁ | ଦିନଥିଲା ବାପା-ମା’ଙ୍କ ଆଗରେ କିଛି ମୁହଁ ଖୋଲି କହିବାକୁ ଡର ଲାଗୁଥିଲା କିନ୍ତୁ ପିଲାଙ୍କୁ ସବୁବେଳେ ସାଙ୍ଗ କହି ପିଲାଙ୍କ ମନ କଥାକୁ ବୁଝି ବୁଝି ଶେଷରେ ପିଲା ବୁଝୁନି ବାପା-ମା’ଙ୍କ କଥା | ଆଉ ଶେଷରେ ବାପା-ମା କଣ କୁହନ୍ତି ଜାଣିଛ ଆମ ମାନଙ୍କ ଭଲପାଇବାରେ କେଉଁଠି କମି ରହିଗଲା | ତେବେ ଆପଣଙ୍କ କମି ଭଲପାଇବାରେ ନଥିଲା ହୁଏତ ଆପଣଙ୍କ କମି ଆପଣଙ୍କ ଆକଟଶାସନରେ ଥିଲା | ଯାହାଫଳରେ ଆପଣଙ୍କ ପିଲା ଏବେ ଆପଣଙ୍କର ନହୋଇଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ