ସିମ୍ରାନଙ୍କୁ ଚିତ୍ରାଙ୍କନ ବିଶାରଦ ସମ୍ମାନ
ବ୍ରହ୍ମପୁର : ଚିତ୍ରାଙ୍କନରେ କୃତକାର୍ଯ୍ୟ ହୋଇଥିବା ସିମ୍ରାନ ଷଡ଼ଙ୍ଗୀଙ୍କୁ ଚଣ୍ଡିଗଡ଼ କଳାବିକାଶ କେନ୍ଦ୍ର ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସିମ୍ରାନ ସମ୍ମାନ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲାର ଏକମାତ୍ର ବ୍ୟକ୍ତି ରୂପେ ଚିତ୍ରାଙ୍କନ ଶିକ୍ଷାରେ ଅଧ୍ୟୟନ କରି ସଫଳତା ହାସଲ କରିବା ପରେ ଚଣ୍ଡିଗଡ଼ କଳାବିକାଶ ପକ୍ଷରୁ ବିଶାରଦ ସମ୍ମାନ ହାସଲ କରିଛନ୍ତି । ଏହି ଅବସରରେ ଅତିଥି ରୂପେ ବିଶିଷ୍ଟ କଣ୍ଠ ଶିଳ୍ପୀ ପ୍ରଫୁଲ୍ଲ କର ଉପସ୍ଥିତ ରହି କୃତି ବିଶାରଦ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ହେଉଛି କଳା ସଂସ୍କୃତି ଓ ପରମ୍ପରାର ଗନ୍ତାଘର । ଏହାକୁ ନିଜର ତୁଳିରେ ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ କୃତି ପ୍ରତିଯୋଗୀମାନେ ସଂକଳ୍ପ ଗ୍ରହଣ କରିବା ଆବଶ୍ୟକ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ । ବ୍ରହ୍ମପୁର ଇଂଞ୍ଜିନିୟରିଂ ସ୍କୁଲ୍ ଛକ ସ୍ଥିତ ସ୍ୱର୍ଗତ ଶ୍ରୀକାନ୍ତ ଷଡ଼ଙ୍ଗୀ ଏବଂ ଦେବଜାନୀ ଷଡ଼ଙ୍ଗୀଙ୍କ ଏକମାତ୍ର କନ୍ୟା ସିମ୍ରାନ ଇଞ୍ଜିନିୟରିଂ ଶିକ୍ଷା ଜାରି ରଖିଛନ୍ତି । ଆଗାମୀ ଦିନରେ ଗରୀବ ଅସାୟ ଶ୍ରେଣୀର ପ୍ରତିଭା ମାନଙ୍କୁ ମାଗଣାରେ ଚିତ୍ରାଙ୍କନ ଶିକ୍ଷା ପ୍ରଦାନ କରିବେ ବୋଲି ସିମ୍ରାନ ସୂଚନା ଦେଇଛନ୍ତି ।


