ସିରିଜି ଦୁର୍ଘଟଣା ୫ ଆହତ
ଖୋର୍ଦ୍ଧା (ଜୁଗାବ୍ଦ ନ୍ୟୁଜ୍): ଟ୍ରାଫିକ୍ ସମସ୍ୟା, ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଦ୍ୱାରା ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି । ଦୁର୍ଘଟଣା ଯୋଗୁଁ ଅନେକ ସମୟରେ ଜୀବନ ହାନି ଘଟିବା ସହ କେତେକ କ୍ଷେତ୍ରରେ ଗାଡ଼ି ଚାଳକଠାରୁ ଆରମ୍ଭ କରି ସାଧାରଣ ଲୋକେ ଅକର୍ମଣ୍ୟ ହୋଇପଡ଼ୁଛନ୍ତି । ବୁଧବାର ଅପରାହ୍ନରେ ଖୋର୍ଦ୍ଧା-ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ତିନୋଟି ଟ୍ରକ ପରସ୍ପର ସହିତ ଧକ୍କା ହୋଇଥିଲା । ଫଳରେ ଗାଡ଼ି ଚାଳକ ସମେତ ହେଲ୍ପରଙ୍କୁ ମିଶାଇ ମୋଟ ୫ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଅଗ୍ନିଶମ ବିଭାଗ ଓ ଖୋର୍ଦ୍ଧା ଆଦର୍ଶଥାନା ପକ୍ଷରୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଆହତମାନଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରଯାଇଛି । ଏନେଇ ଆଦର୍ଶ ଥାନା ପକ୍ଷରୁ ଗାଡ଼ିଗୁଡ଼ିକ ଜବତ କରିବା ସହ ଘଟଣାର ତଦନ୍ତ କରାଯାଉଛି ।


