ସି.ପି.ଆଇ. ଜିଲ୍ଲା କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଚଳିତ ବର୍ଷ ଲଗାତର ଲଘୁଚାପ ଫଳରେ ବ୍ୟାପକ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଜମିରେ ମାସାଧିକ କାଳ ରହି ଫସଲକୁ ବ୍ୟାପକ କ୍ଷତି କରିଛି । ଏହି ସମୟରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାହିତ ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମ ଉଭୟରେ ଏକ ସମୟରେ ସବୁ ରେକର୍ଡକୁ ଭାଙ୍ଗି ବନ୍ୟା ପାଣି ଆସିବା ଫଳରେ ସଂପୂର୍ଣ୍ଣ ଜିଲ୍ଲା ସାରା ପାଣିରେ ଉବୁଟୁବୁ ହେଲା । କେଉଁଠାରେ ବନ୍ଧ ଭାଙ୍ଗି ନାହିଁ ନଥିବା ଦୁର୍ଦ୍ଦଶା ଲୋକ ଭୋଗିଲେ । ଏହି ସମୟରେ ନା ସରକାର ନା ପ୍ରଶାସନ ଲୋକଙ୍କ ଦୁଃଖ ବେଳେ ମୁଠାଏ ଦାନା ଦେଇପାରିଲେ ନାହିଁ । ଏବେ ଲୋକ ଘରଦ୍ୱାର ହରାଇବା ସହ ବିଲରୁ ଫସଲ ହରାଇ ଦରିଦ୍ର ପଂଚାକ୍ଷର ଜପ କରୁଛନ୍ତି । ଏହା ପୂର୍ବରୁ କରୋନା ମହାମାରୀ ମୁକାବିଲା ନାମରେ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ଏବଂ ସଟଡାଉନ ଘୋଷଣା କରି ସାଧାରଣ ଲୋକଙ୍କୁ ଘରେ ବନ୍ଦୀ କରି ରଖି ପେଟ୍ରୋଲ,ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ସହିତ ବିଭିନ୍ନ ପ୍ରକାରର ଶ୍ରମିକ ଓ କୃଷକ ବିରୋଧୀ ଆଇନ ପ୍ରଣୟନ କରି ଚାଲିଛନ୍ତି । ସାଧାରଣ ଲୋକ ଏହାର ପ୍ରତିବାଦ କରିବାକୁ ଯିବାରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ବେଆଇନ ଘୋଷଣା କରାଯାଇ କେଶ ମଧ୍ୟ ଲଦି ଦିଆଯାଉଛି । କରୋନା ମହାମାରୀରେ ସରକାର ସଂପୂର୍ଣ୍ଣ ବିଫଳ,୧୯୫୫ ମସିହାର ନିତ୍ୟ ବ୍ୟବହାର୍ଯ୍ୟ ଆଇନକୁ ସଂଶୋଧନ କରିବା,ଶ୍ରମ ଆଇନରେ ସଂଶୋଧନ କରି ଦୈନିକ ୮ଘଂଟା ବଦଳରେ ୧୨ଘଂଟା ଶ୍ରମ ଦିବସ କରିବା,ପ୍ରବାସୀ ଶ୍ରମିକମାନଙ୍କୁ ଉପଯୁକ୍ତ ଥଇଥାନ ନକରି ପାରିବାରୁ ସେମାନେ ପୁଣି ଦାଦନ ଖଟିବାକୁ ଯିବା ପାଇଁ ଆରମ୍ଭ କଲେଣି । ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ନିଜ ଦେଶକୁ ଓ ଦେଶର ସମ୍ବିଧାନକୁ ରକ୍ଷା କରିବାରେ ସରକାର ବିଫଳ ହୋଇଥିବା ବେଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଏକ ୯ଦଫା ସମ୍ବଳିତ ଦାବୀପତ୍ରରେ ବନ୍ୟାଚଂଳର କ୍ଷତିଗ୍ରସ୍ତ ସମସ୍ତ ଲୋକଙ୍କୁ ସରକାର ଘୋଷଣା କରିଥିବା ୫୦କିଲୋ ଚାଉଳ ଓ ୫ଶହ ଟଙ୍କା ଦଳୀୟ ବିଚାର ନକରି ପ୍ରଦାନ କରାଯିବା,ବନ୍ୟାରେ ଭାଙ୍ଗିଥିବା ନଦୀବନ୍ଧକୁ ମରାମତି ସହ ରାସ୍ତାଘାଟ,ସ୍କୁଲ ଘରକୁ ପୁନଃ ନିର୍ମାଣ କରାଯିବା,ଏକ ସପ୍ତାହ ମଧ୍ୟରେ ଆକଳନ କରାଯାଇ ଫସଲର କ୍ଷତିପୁରଣ ଶତ ପ୍ରତିଶତ ପ୍ରଦାନ କରାଯିବା,ଚାଷୀର ଅଂଟା ସଳଖିବା ପାଇଁ ସମସ୍ତ ଋଣ ଛାଡକରି ଆଗାମୀ ଫସଲ ପାଇଁ ବିହନ,ସାର ଓ ଆର୍ଥିକ ସହାୟତା ପ୍ରଦାନ କରାଯିବା,ମନରେଗା ପ୍ରକଳ୍ପକୁ କୃଷି କ୍ଷେତ୍ରରେ ସାମିଲକରି ୨ଶହ ଦିନର କାମ ସହିତ ୬ଶହ ଟଙ୍କା ମଜୁରୀ ପ୍ରଦାନ କରାଯିବା,ଫସଲବୀମା କରିନଥିବା ଚାଷୀଙ୍କ ବୀମା ସରକାର ଭରଣା କରିବା,ପେଟ୍ରୋଲ,ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ତୁରନ୍ତ କମାଯିବା,ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ଉପରେ ମାଇକ୍ରୋଫାଇନାନସ କମ୍ପାନୀଙ୍କ ଜୁଲମ ବନ୍ଦ କରାଯିବା ଓ ଖାଦ୍ୟ ବଦଳରେ କାମ ଯୋଜନାକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରାଯାଇ ସମସ୍ତଙ୍କୁ ସାମିଲ କରାଯିବା ପାଇଁ ଦାବୀ କରାଯାଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)ର ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ ଓ ସି.ପି.ଆଇ.ନେତା ବାବାଜୀ ଧଳ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ