ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲା ସମାଜବାଦୀ ପାର୍ଟି
ଭୁବନେଶ୍ୱର, : ଗତ ସପ୍ତାହରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସି.ବି.ଏସ୍.ଇର ୧୦ମ ଓ ୧୨ଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫିସ୍ ଓ ମାଇଗ୍ରେସନ ଫିସ୍କୁ ହଠାତ ବଢାଇ ଦେଇଛନ୍ତି । ଏହାଯୋଗୁ ବହୁ ନିମ୍ନ ମଧ୍ୟବିତ୍ତ ଓ ଗରୀବ ଶ୍ରେଣୀର ପିଲାମାନେ ସାର୍ବଜନୀନ ଶିକ୍ଷା ପାଇବାରୁ ବଞ୍ଚିତ ହେବେ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଅଭିଯୋଗ କରି ଏହାର ପ୍ରତ୍ୟାହାର ପାଇଁ ମାନ୍ୟବର ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ରରେ କୁହାଯାଇଛି ଯେ, ସି.ବି.ଏସ୍.ଇ କର୍ତ୍ତୃପକ୍ଷ ୧୦ମ ଓ ୧୨ଶ ଶ୍ରେଣୀର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫିସ୍କୁ ୫୦ ଟଙ୍କାରୁ ୧୨୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ହାରାହାରି ୨୪ଗୁଣ ବୃଦ୍ଧି ପାଇଛି । ସେହିଭଳି ସାଧାରଣବର୍ଗର ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫିସ୍ ଯାହା ୭୫୦ଟଙ୍କା ଥିଲା ତାକୁ ଦୁଇଗୁଣ ବୃଦ୍ଧି କରି ୧୫୦୦ ଟଙ୍କା କରିଛନ୍ତି । ମାଇଗ୍ରେସନ ଫିସ୍ ଯେଉଁଥିପାଇଁ ପିଲାମାନଙ୍କୁ ୧୫୦ ଟଙ୍କା ଦେବାକୁ ପଡ଼ୁଥିଲା ତାହାକୁ ୩୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ଫଳରେ ବହୁ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ôଚତ ହେବେ । ସିବିଏସ୍ଇ କର୍ତ୍ତୃପକ୍ଷଙ୍କର ଏହି ଫିସ୍ ବୃଦ୍ଧି ସାର୍ବଜନୀନ ଶିକ୍ଷା ଆଇନ୍-୨୦୦୯ର ବିରୁଦ୍ଧାଚରଣ କରୁଛି । ସ୍ୱାଧୀନତା ସଂଗ୍ରାମୀ ଅନ୍ୟତମ କାଣ୍ଡାରୀ ଡଃ ରାମ ମନୋହର ଲୋହିଆ ଥରେ କହିଥିଲେ ‘ରୋଟି କପଡ଼ା ଶସ୍ତି ହୋଗି : ପଢା, ଦବା ମୁଫ୍ତି ହୋଗି’ । କିନ୍ତୁ ଦୁଃଖର କଥା ଏହି ଫିସ୍ ବୃଦ୍ଧି ଯୋଗୁ ସିବିଏସ୍ଇ ଶିକ୍ଷା ମହଙ୍ଗା ହେବ ଏବଂ ଏହାର ବ୍ୟବସାୟୀକରଣର ବାଟ ଖୋଲିଯିବ ଯାହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବାଧିବ । ତେଣୁ ଏହି ଫିସ୍ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବୀ କରିଛନ୍ତି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଯୁବନେତା ସଞ୍ଜୟ ନାୟକ, ବିଜୟ ବେହେରା ଏବଂ ଅଭିଭାବଙ୍କ ପ୍ରତିନିଧି ଭାବରେ ନିରଞ୍ଜନ ନାୟକ ପ୍ରମୁଖ ଯାଇ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ୍ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ । ମାନ୍ୟବର ରାଜ୍ୟପାଳ ସ୍ମାରକପତ୍ରଟିକୁ ଗ୍ରହଣ କରି ଅତ୍ୟଧିକ ଫିସ୍ ବୃଦ୍ଧିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ନିଜର ମତାମତ ସହ ଆଜି ତୁରନ୍ତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ପତ୍ର ଲେଖିବେ ବୋଲି ପ୍ରତିନିଧି ଦଳଙ୍କୁ ଦୃଢ ପ୍ରତିଶ୍ରୁତି ଦେଇଥିଲେ । ଏଠାରେ ଉଲ୍ଲେଖଥାଉକି, ଓଡ଼ିଶା ସରକାର ମଧ୍ୟ ସିବିଏସ୍ଇ ମାଧ୍ୟମରେ ଦୁଇଶହ ‘ଆଦର୍ଶ ବିଦ୍ୟାଳୟ’ ଜରିଆରେ ଶିକ୍ଷା ପ୍ରଦାନ କରୁଛନ୍ତି । ଏହି ଫିସ୍ ବୃଦ୍ଧି ଦ୍ୱାରା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ମଧ୍ୟ ଗୁଣାତ୍ମକ ଶିକ୍ଷାଦାନରୁ ବଞ୍ôଚତ ହେବେ ବୋଲି ଆଶଙ୍କା ପ୍ରକାଶ କରି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ ଗତ ୧୨ ତାରିଖ ଦିନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଏକ ଚଠି ଲେଖି ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।