ସୀମାନ୍ତରେ ମାଓବାଦୀଙ୍କ ତାଣ୍ଡବ, ପୁଲିସ ଇନଫର୍ମର୍ ଭାବି ଦୁଇ ଗ୍ରାମ ବାସୀଙ୍କୁ ହତ୍ୟା
ମାଲକାନଗିରି,(ମନୋଜ କୁମାର ସାହା): ସୀମାନ୍ତରେ ପୁଣି ସକ୍ରିୟ ହୋଇଉଠିଛନ୍ତି ମାଓବାଦୀ, ଆଜି ଲାଲ ବାହିନୀ ମାନେ ଲାଲ ତାଣ୍ଡବଘଟାଇ ପୁଲିସ ସୂଚନା ଦାତା ସନ୍ଦେହ ରେ ଦୁଇଜଣ ଗ୍ରାମ ବାସୀଙ୍କୁ ନିର୍ମମ ଭାବେ ହତ୍ୟା କରି ନିଜର ସ୍ଥିତି ଜାହିର କରିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଗତ କିଛି ଦିନ ହେଲା ନିରୀହ ଗ୍ରାମବାସୀଙ୍କୁ ଟାର୍ଗେଟ କରିଚାଲିଛନ୍ତି। ଆଜି ସକାଳେ ମାଓବାଦୀ ମାନେ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ପାମେଡ ଥାନା ଅନ୍ତର୍ଗତ ସେଣ୍ଟ୍ରାବୋର ଏବଂ ଏମ୍ପୁର ଦୁଇଟି ଭିନ୍ନ ଭିନ୍ନ ଗାଁରେ ଦୁଇଜଣ ଗ୍ରାମବାସୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ସେଣ୍ଟ୍ରାବୋର ଗାଁର ସମୟା ସୁନମ ଯେକି କିଛି ଦିନ ପୂର୍ବରୁ ମାଓ ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ସେ ଆରପିସି ସଦସ୍ୟ ଭାବେ ମାଓବାଦୀ ସଂଗଠନରେ ସକ୍ରୀୟ ଥିଲେ। ସେହିପରି ଏମପୁର ଗାଁର ବେକୋ ଦେବାଙ୍କୁ ମାଓବାଦୀ ମାନେ ହତ୍ୟା କରିଥିବା ଜଣାପଡିଛି। ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି।ଏଣେ ପାମେଡ ଥାନା ଅନ୍ତର୍ଗତ ସ୍ଥାନ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳିଯାଇଛି। ନିରୀହ ଗ୍ରାମବାସୀଙ୍କୁ ବାରମ୍ବାର ହତ୍ୟା କରିବା ଫଳରେ ଅଞ୍ଚଳରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିବା ବେଳେ ଅଞ୍ଚଳରେ ପୋଲିସ ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରି ତଦନ୍ତ ଆରମ୍ଭ କରାଯାଇଛି।