ସୀମାରେ ଅଟକିଛି ଶହ ଶହ ଆଳୁ ଟ୍ରକ

ବାଲେଶ୍ଵର, (ସରୋଜ ପଣ୍ଡା):ରାଜ୍ୟରେ ପନିପରିବା ଦର ଆକଶଛୁଆଁ ହେଇଥିବା ବେଳେ ଆଳୁ ଦର ଲୋକଙ୍କୁ ଆଶ୍ବସ୍ତି ଦେଉଥିଲା I ମାତ୍ର ଗତ ଚାରି ଦିନ ତଳେ ପଶ୍ଚିମବଙ୍ଗ ମୂଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ ପରେ ସେଠାରୁ ଆଳୁ ଆସିବା ଏକ ପ୍ରକାର ବନ୍ଦ ହେଇଯାଇଛି I ଓଡ଼ିଶାକୁ ଆସୁଥିବା ଆଳୁ ବୋଝେଇ ଟ୍ରକଗୁଡ଼ିକୁ ପଶ୍ଚିମବଙ୍ଗ ପୋଲିସ ସୀମାରେ ସୋନକଣିଆ ନିକଟରେ ଅଟକ ରଖିଛି I ବାଲେଶ୍ଵର ଜିଲ୍ଲାର ସୀମାରେ ଶହ ଶହ ଆଳୁ ବୋଝେଇ ଟ୍ରକ ଅଟକି ରହିଛି I ଫଳରେ ବାଲେଶ୍ବର ସମେତ ସମଗ୍ର ରାଜ୍ୟରେ ଆଳୁ ଅଭାବରୁ ଦର ୫୦ ଟପି ଯାଇଥିବା ବେଳେ ଆଗାମୀ ଦିନରେ ଏହା ଆହୁରି ବଢିବା ଆଶଙ୍କା ସୃଷ୍ଟି ହୋଇଛି I ଏ ସମ୍ପର୍କରେ ସଦର ବିଧାୟକ ମାନସ କୁମାର ଦତ୍ତ ବିଧାନସଭାର ଶୂନ୍ୟକାଳରେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି I ପଶ୍ଚିମବଙ୍ଗ ସରକାର ପ୍ରତ୍ୟେକ ବର୍ଷ ଓଡିଶାବାସୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ଏହି ଭଳି ଦାଦାଗିରି ଦେଖାଇ ଚାଲିଛି I ଭାରତୀୟ ଜନତା ପାର୍ଟି ସରକାରରେ ଏହି ଭଳି ଦାଦାଗିରି ଗ୍ରହଣଯୋଗ୍ୟ ନୁହେଁ, ତାହା ପ୍ରଦର୍ଶନ ପାଇଁ ସେ ନିବେଦନ କରିଥିଲେ I ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପୂର୍ବକ ଓଡ଼ିଶାରୁ ପଶ୍ଚିମବଙ୍ଗ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ମଧ୍ୟ ରୋକ ଲଗାଇବାକୁ ବିଧାୟକ ଶ୍ରୀ ଦତ୍ତ ଦାବି ଜଣାଇଥିଲେ I ଆଳୁ ପ୍ରସଙ୍ଗ ଉପରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉତ୍ତର ରଖି, ପଶ୍ଚିମବଙ୍ଗ ସରକାରଙ୍କ ଅମାନବୀୟ ନିଷ୍ପତ୍ତି ପାଇଁ ଆଳୁ ଟ୍ରକ ଫେରିଯିବା ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି I ପଶ୍ଚିମବଙ୍ଗ ଆଳୁ ନଦେଲେ ଆମେ ଉତ୍ତର ପ୍ରଦେଶରୁ ଆଳୁ ଆଣିବୁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି I ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତି ନେଇ ତାଙ୍କ ସହ ଆଲୋଚନା କରିବୁ ବୋଲି ସେ ସୂଚନା ଦେଇଛନ୍ତି I ଗୋଦାମରେ ଆଳୁ ଦର ୨୭ ଟଙ୍କା ଥିବା ବେଳେ ଖୁଚୁରା ବ୍ୟବସାୟରେ ଏହା କିଲୋ ପିଛା ୩୨ଟଙ୍କା ରହିବା କଥା I ଆଳୁ ଅଭାବ ଆଳରେ ଯଦି କେହି ୩୨ ଟଙ୍କାରୁ ଅଧିକରେ ଆଳୁ ବିକନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର I ଅସାଧୁ ବ୍ୟବସାୟୀଙ୍କ ଯୋଗୁଁ ରେଟ୍ ବଢ଼ିଛି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ମନ୍ତ୍ରୀ I ପଶ୍ଚିମବଙ୍ଗର କଟକଣାକୁ ନେଇ ବିଧାନସଭାରେ ଆଲୋଚନା ପରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଢୁଥିବା ଆଳୁ ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି I ତେବେ ଆଳୁ ରପ୍ତାନୀ ଉପରେ କଟକଣା ଉଠାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନବୀନ ପଟ୍ଟନାୟକ ଚିଠି ଲେଖିଥିବା ଜଣା ପଡ଼ିଛି I ବିଗତ ୨୪ବର୍ଷ ମଧ୍ୟରେ ବିଜେଡ଼ି ସରକାର ଆଳୁ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବାରୁ ପ୍ରତ୍ୟେକ ବର୍ଷ ପଶ୍ଚିମବଙ୍ଗ ଏହି ଭଳି ଦାଦାଗିରି ଦେଖାଇ ଚାଳିଛି I ଏବେ ହଠାତ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଫଳ ନବୀନ ପଟ୍ଟନାୟକ ବାହାବା ନେବାକୁ ଅପଚେଷ୍ଟା ଚଳାଇଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ