ସୁଗନ୍ଧରେ ମହକୁଛି ସ୍ୱଦେଶୀ ରାଖୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଗକୁ ଆସୁଛି ରାଖୀ ପୂର୍ଣ୍ଣମୀ । ରାଖୀ ପୂର୍ଣ୍ଣମୀକୁ ନଜରରେ ରଖି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ନିଜର ଦୃଢ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି । ସାଧାରଣତଃ ପୂର୍ବରୁ ତିଆରି ହେଉଥିବା ରାଖୀ ଏବଂ ଏଥିରେ ବ୍ୟବହୃତ ସାମଗ୍ରୀ ପରିବେଶ ପାଇଁ ବିପଦ ସୃଷ୍ଟି କରୁଥିଲା । ମାତ୍ର ସୁଶାନ୍ତ ନିଜର ଅଧ୍ୟବସାୟ ବଳରେ ଆଜକୁ ୪ ବର୍ଷ ହେଲା ପରିବେଶ ଅନୁକୂଳ ରାଖୀ ତଥା ସ୍ୱଦେଶୀ ରାଖୀ ପ୍ରସ୍ତୁତ କରି ଆସୁଛନ୍ତି । ସମ୍ପ୍ରତି ଗ୍ଲୋବାଲ ୱାର୍ମିଂ ଅର୍ଥାତ୍ (ଜଳବାୟୁ ପରିବର୍ତ୍ତନ) ଓ ଜଳବାୟୁର ଜ୍ୱାଳାକୁ କିପରି ରୋକାଯାଇ ପାରିବ ଏହାକୁ ନେଇ ଚଳିତବର୍ଷ ଏକ ନିଆରା ଥିମ୍‌ରେ ରାଖୀ ପ୍ରସ୍ତୁତ କରି ସାରା ବିଶ୍ୱକୁ ଦେଇଛନ୍ତି ଜନସଚେତନତାର ବଳିଷ୍ଠ ବାର୍ତ୍ତା । ଗଛ ପ୍ରତି କିପରି ଲୋକମାନଙ୍କର ଭଲ ପାଇବା ବୃଦ୍ଧି ହୋଇପାରିବ ଏ ନେଇ ସେ ପ୍ରସ୍ତୁତ କରିଛନ୍ତି ଗଛ ରାଖୀ ।ସ୍ଥାନୀୟ ଅଞ୍ଚଳରୁ ପାନମଧୁରୀ, କଳାଜିରା, ଗୋଲମରିଚ, ଶାହାଜୀରା, ଜୁଆଁଣି, କବାବଚିନି, ମେଥି ଇତ୍ୟାଦି ସାମଗ୍ରୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଗଛ ରାଖୀ । ଗଛରୁ ବାହାରୁଛି ଭଳିକି ଭଳି ସୁବାସ୍ନା । ଚତୁଃପାଶ୍ୱର୍ ବାସ୍ନାରେ ମହକୁଛି ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ । ଏଥିସହିତ ଗଛ ଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ସବୁଜ ମୁଗ, କଳାବିରି, ମାଣ୍ଡିଆ, ମସୁର ଡାଲି ଇତ୍ୟାଦି ସାମଗ୍ରୀ ଏଥିରେ ବ୍ୟବହୃତ କରାଯାଇଛି । ଏତଦ୍‌ବ୍ୟତୀତ ଧଳାଧାନ, କଳାଧାନ, ନାଲିଧାନ, ବାଜରା, ସୂର୍ଯ୍ୟମୁଖୀ ଆଦି ବିଭିନ୍ନ କିସମର ବିହନ ସହ ତୁଳା, କାଠି, କାଗଜ, ନଡ଼ା ଆଦିକୁ ବ୍ୟବହାର କରି ଏହି ସ୍ୱଦେଶୀ ରାଖୀ ପ୍ରସ୍ତୁତ କରିଛନ୍ତି । ଏହି ରାଖୀ ଗୁଡ଼ିକ ଆକର୍ଷଣୀୟ ହେବା ସହିତ ଲୋକଙ୍କ ପସନ୍ଦର ବସ୍ତୁ ପାଲଟିଛି । ରାଖୀଗୁଡ଼ିକୁ ବର୍ତ୍ତମାନ ରାଜଧାନୀର ଶୈଳଶ୍ରୀ ବିହାର, ପଟିଆ, ପୋଖରୀପୁଟ ଆଦି ଅଞ୍ଚଳକୁ ବିକ୍ରୀ ପାଇଁ ପଠାଯାଉଛି । ବଜାରରେ ଅନ୍ୟ ରାଖୀର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଥିବାବେଳେ ସୁଶାନ୍ତଙ୍କ ନିର୍ମିତ ରାଖୀ ଗୁଡ଼ିକ ୨୫ ଟଙ୍କାରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରୀ କରାଯାଉଛି । ଦୁଇମାସ ମାଧ୍ୟରେ ପାଖାପାଖି ୨୦୦୦ ରାଖୀ ତିଆରି ହୋଇଛି ବୋଲି ସୁଶାନ୍ତ କହିଛନ୍ତି । ଲାଭ ପାଇଁ ନୁହେଁ ବରଂ ସ୍ୱଦେଶୀ ଓ ପରିବେଶକୁ ସୁହାଇଲା ଭଳି ସାମଗ୍ରୀର ବ୍ୟବହାର ପାଇଁ ଏହା ଏକ ନୀରବ ଆନ୍ଦୋଳନ । ରାଖୀ ମାଟି ସହ ମଣିଷର ସବୁଜିମାର ସମ୍ପର୍କ ଯୋଡ଼ିବାର ଏହା ଏକ ପ୍ରୟାସ ବୋଲି ସୁଶାନ୍ତ କହିଛନ୍ତି । ସୂଚନାଯୋଗ୍ୟ, ଆମ ଦେଶରେ ପର୍ବପର୍ବାଣୀ ସମୟରେ ଚୀନ୍ ତିଆରି ହଜାର ହଜାର କୋଟି ଟଙ୍କାର ସାମଗ୍ରୀ ବିକ୍ରୀ ହୋଇଥାଏ । ବଜାରରେ ଚୀନ୍‌ରୁ ଆସୁଥିବା ରାଖୀ ଅଧିକ ମୂଲ୍ୟରେ ବିକ୍ରୀ ହୁଏ ଯାହା ପରିବେଶ ପାଇଁ ବିପଜ୍ଜନକ ମଧ୍ୟ । ସ୍ୱଦେଶୀ ସାମଗ୍ରୀ ବଜାରରେ ଉପଲବ୍ଧ ହେବା ନିତାନ୍ତ ଆବଶ୍ୟକ ବୋଲି ସୁଶାନ୍ତ କୁହନ୍ତି । ସୁଶାନ୍ତଙ୍କ ସହ ତାଙ୍କ ଧର୍ମପତ୍ନୀ ଅନସୂୟା, ପୁତ୍ର ଶାନ୍ତନୁ ଏବଂ ଦୃଷ୍ଟିବାଧିତ ଯୁବକ ବାପିନା ନାୟକ ପ୍ରମୁଖ ରାଖୀ ପ୍ରସ୍ତୁତରେ ସହଯୋଗ କରୁଥିବାର ଜଣାପଡ଼ିଛି । ତତ୍‌ସହିତ ରାଖୀ ଗୁଡ଼ିକୁ ବଜାରରେ ଉପଲବ୍ଧ କରାଇବା ପାଇଁ ସାମାଜିକ ଅନୁଷ୍ଠାନ ବୁଲ୍‌ସଆଇ ଦାୟିତ୍ୱ ଗ୍ରହଣ କରିଛି ବୋଲି ସୁଶାନ୍ତ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ