ସୁଦକ୍ଷ ଓ ସମର୍ପିତ ସାମ୍ବାଦିକଙ୍କୁ ସମ୍ମାନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ସାମ୍ବାଦିକତା କ୍ଷେତ୍ରରେ ନିଜକୁ ସମର୍ପିତ କରି ଯେଉଁମାନେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି, ସେମାନଙ୍କୁ ସମ୍ମାନିତ କରି ପ୍ରୋତ୍ସାହିତ କରିବା ସହ ଏ କ୍ଷେତ୍ରକୁ ପାଦ ବଢାଉଥିବା ଆଗାମୀ ପିିଢିଙ୍କୁ ଆକୃଷ୍ଟ କରିବା ନିମନ୍ତେ ଭୁବନେଶ୍ୱରରେ ସମ୍ବାଦ ପରିବେଷଣ କରିଆସୁଥିବା ‘ଆମ ଟିଭି’ ଓ ‘ମୋ ଖବର’ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ଓ ନୟାଗଡ଼ ସହରରେ ପୃଥକ୍ ପୃଥକ୍ ଭାବେ ଏଥିନିମନ୍ତେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ସଂସ୍ଥା ପକ୍ଷରୁ ଏକ ଆହ୍ୱାନ ଦିଆଯାଇଛି । ଆଜି ଭୁବନେଶ୍ୱର ୟୁନିଟ୍-୩ସ୍ଥିତ ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ ପରିସରରେ ସେହିପରି ଏକ ସମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ଉଭୟ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମର ଜଣାଶୁଣା ସାମ୍ବାଦିକମାନଙ୍କ ସହ ଓଲିଉଡ଼ କଳାକାର ବାବୁସାନ, ସଞ୍ଜୟ ଚୌଧୁରୀ ଓ ଅନୁ ଚୌଧୁରୀ ଏବଂ ସମାଜସେବୀ କେଶବ ରାଓ, ଜୀବନଜ୍ୟୋତି ବାରିକ ଓ ଅନୁପ ରଥ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପ୍ରତି ଉଭୟ ଛାପା ଓ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ସାମ୍ବାଦିକତା ସେବାରେ ନିୟୋଜିତ ଥିବା ସାମ୍ବାଦିକ ବନ୍ଧୁମାନଙ୍କ ଠାରୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ପ୍ରକାଶିତ ଓ ପ୍ରସାରିତ ଶ୍ରେଷ୍ଠ ସମ୍ବାଦଗୁଡ଼ିକ ଆହ୍ୱାନ କରାଯାଇଛି । ସାମ୍ବାଦିକ କ୍ଷେତ୍ରରେ ପ୍ରାନ୍ତୀୟ ତଥା ଜାତୀୟସ୍ତରରେ ଯେଉଁମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ସେହିମାନଙ୍କ ନାମ ଜନତା ସର୍ବସାଧାରଣ ହିଁ ସୁପାରିଶ କରିବେ । ଏଥିପାଇଁ amatv.pranay@gmail.comଯୋଗେ ସମ୍ବାଦ ପ୍ରେରଣ କରିବା ସହିତ amatv.in websiteର ମାଧ୍ୟମରେ ସାମ୍ବାଦିକ ଓ ଜନସାଧାରଣଙ୍କ ଦ୍ୱାରା ମନୋନୀତ ସମ୍ବାଦ ସୁପାରିଶ କରିବାକୁ ଅନୁଷ୍ଠାନ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ପ୍ରଣୟ ଜେଠୀ ଅନୁରୋଧ କରିଛନ୍ତି । ପ୍ରତ୍ୟେକ ପର୍ଯ୍ୟାୟରେ ଶ୍ରେଷ୍ଠ ୩ ଜଣ ସାମ୍ବାଦିକଙ୍କୁ I am the best Gaõ Nam Toh Suna Hi Hoga ବିଭାଗରେ ସମ୍ମାନିତ କରାଯିବ । ପୁରସ୍କାର ବାବଦକୁ କିଛି ଅର୍ଥରାଶିର ବ୍ୟବସ୍ଥା ମଧ୍ୟ ରହିଛି ।