ସୁନାମୀ ମୁକାବିଲା ନିମନ୍ତେ ୫୯ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ
ଛତ୍ରପୁର, (ଦେବଦତ୍ତ ମହାରଣା): ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଏବଂ ପ୍ରାକ୍ ଅଭ୍ୟାସ ନେଇ ଅତିରିକ୍ତ ଜିଲ୍ଲାପାଳ ଅମିୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଗଞ୍ଜାମ ଜିଲ୍ଲାସ୍ତରୀୟ ଶିକ୍ଷକମାନଙ୍କ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଚିକିଟ, ରଙ୍ଗେଇଲୁଣ୍ଡା, ଛତ୍ରପୁର ଓ ଗଞ୍ଜାମ ବ୍ଲକର ୪୪ ଗୋଟି ଗ୍ରାମ ସମୁଦ୍ର କୂଳ ନିକଟରେ ଥିବା ଏହି ଗ୍ରାମକୁ ସୁନାମୀ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଏହାକୁ ଧ୍ୟାନରେ ରଖି ଉକ୍ତ ୪୪ଟି ଗ୍ରାମରେ ସୁନାମୀ ସୂଚନା କିଭଳି ଗ୍ରାମପଞ୍ଚାୟତ ଓ ଗ୍ରାମସ୍ତରରେ ପହଞ୍ଚିବ ଏନେଇ ରୂପରେଖ ଉପରେ ଆଲୋଚନା କରାଯାଇଥିଲା । ସଂପୃକ୍ତ ୪୪ଟି ସୁନାମୀ ଚିହ୍ନିତ ଗ୍ରାମ ଅଧୀନରେ ଥିବା ୫୯ ଟି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଏଦିଗରେ ସଚେତନତା ତଥା ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟତଃ ଜନସଚେତନତା ଏବଂ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସମ୍ଭାବ୍ୟ ସୁନାମୀ ପ୍ରଭାବିତ ଗ୍ରାମରେ ଲୋକମାନଙ୍କୁ କିଭଳି ସଚେତନତା କରାଯିବ ଏବଂ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଉପରେ ଦିନତମାମ ପ୍ରଶିକ୍ଷଣ ଦିଆଯାଇଥିଲା । ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରାଇବା ଏବଂ ବିଦ୍ୟାଳୟ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିବା ନିମନ୍ତେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ସେହିପରି ନିରାପଦ ସ୍ଥାନକୁ ସ୍ଥାନାନ୍ତର ବେଳେ ଆଶ୍ରୟସ୍ଥଳୀ ଗୁଡିକରେ ସେମାନଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବିଧା ଗୁଡିକୁ କିପରି ପରିଲିଖିତ ରହିବ ସେଦିଗରେ ମଧ୍ୟ ଧ୍ୟାନ ଦେବାକୁ ପ୍ରଶିକ୍ଷଣରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ପ୍ରଶିକ୍ଷଣ କର୍ମଶାଳାରେ ସେଲ୍ଟର ପରିଚାଳନା ବିଶେଷଜ୍ଞ ମେଘନାଥ ବେହେରା, ରାଜ୍ୟ ପ୍ରକଳ୍ପ ଅଧିକାରୀ ସୂଚନ ଠାକୁର, ଗଞ୍ଜାମ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁପ୍ରସାଦ ମହାରଣା ଏବଂ ସେକ୍ସନ୍ ଅଫିସର ନୃସିଂହ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


