ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ
ଅଧ୍ୟାପକ ଗୋପବନ୍ଧୁ, ଦର୍ଶନ ବିଭାଗ (ଅବସରପ୍ରାପ୍ତ)
ଆଶା ଓ ପ୍ରତିକ୍ଷାର ଅନ୍ୟନାମ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ। ସମାପ୍ତ ହେବାର ନାମ ନେଉନାହିଁ। ଅନେକ ବର୍ଷ ଗଲାଣି। ଆହୁରି ଅନେକ କାମ ବାକି ଅଛି। କେବେ ପୂର୍ଣ୍ଣାଙ୍ଗ ହେବ ତାହାର ସମୟସୀମା ମଧ୍ଯ ନାହିଁ। ପ୍ରକଳ୍ପକୁ ନେଇ ଯେଉଁ ଉତ୍ସାହ ମଉଳି ଯାଇଥିଲା ତାହା ଆଉଥରେ ଜାଗି ଉଠୁଛି। କାରଣ ବିଭିନ୍ନ ପର୍ଯାୟରେ ଆଂଶିକ କାମର ଲୋକାର୍ପଣ ହେଉଛି। ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ହଳଦିଆ ବନ୍ଧକୁ ଲୋକାର୍ପଣ କରିଛନ୍ତି। ଏହାରବି କିଛି କେନାଲ କାମ ବାକି ଅଛି। ଏହି ବନ୍ଧକୁ ମୟୂରଭଞ୍ଜ ରାଜା ତିଆରି କରିଥିଲେ। ସେ ତିଆରି କରାଇଥିବା କେନାଲଗୁଡିକ କାମରେ ଲାଗୁଛି। ଏହି ପ୍ରକଳ୍ପର କେନାଲ ପାଣି ବୁଢ଼ାମାନେ ଦେଖିପାରିଲେ ନାହିଁ। ଟୋକାମାନେ ବୁଢ଼ା ହେଲେଣି। ଏବେ ଖୁସି ହେଉଛନ୍ତି ଆପତତଃ ହଳଦିଆ ବନ୍ଧର କେନାଲ ପାଣି ଦେଖିଲେ। ଜମ୍ଭିରାର କେନାଲ ପାଣିବି ଦେଖିବେ।ଜମ୍ଭିରାର ମୁଖ୍ୟ କେନାଲ ବହୁଦିନରୁ ଖୋଳା ସରିଛି। କେତେକ ସ୍ଥାନରେ ଶାଖା କେନାଲ ଖୋଳା ସରିଛି। ଏଗୁଡ଼ିକରେ କଙ୍କ୍ରିଟ୍ କାମ ବି ସରିଛି। କେନାଲରେ ପାଣି ନାହିଁ। ବର୍ଷାଦିନେ ପାଣି ଜମୁଛି। ପାଖ ଲୋକମାନେ ଦୁଇ ତିନି ମାସ ଗାଧୋଇବା ସୁବିଧା ପାଉଛନ୍ତି। କେତେକ ସ୍ଥାନରେ କେନାଲ ଭିତର କଙ୍କ୍ରିଟ୍ ଫାଟି ଗଲାଣି। ଲୋକେ କହୁଛନ୍ତି କିଛି ଚିନ୍ତା ନାହିଁ, ପୁଣି ବିଲ୍ ହେବ ଓ ପୁଣି କାମ ହେବ। ହତାଶବାଦୀ କହୁଛନ୍ତି ଆହୁରି ଅନେକ ବର୍ଷ ଜଗିବାକୁ ହେବ। କେତେ ପାଣି ଆସିବ ଓ କେତେ ଜମି ଜଳସେଚିତ ହେବ ତାହା ସମୟ ବତାଇବ। କାରଣ କେନାଲରେ ପାଣି ଆସିବା ସୁବର୍ଣ୍ଣରେଖାର ଜଳ ପ୍ରବାହ ଉପରେ ନିର୍ଭର କରେ। ତିନି ରଜ୍ୟର ଭାଗ ବଣ୍ଟରା ମଧ୍ୟରେ ଓଡିଶା କେତେ ପାଣି ପାଇବ ତାହା ଏକ ପ୍ରଶ୍ନ। ଆଶାବାଦୀ କହୁଛନ୍ତି ବିଳମ୍ବ ହୋଇପାରେ କିନ୍ତୁ ପ୍ରକଳ୍ପ ନିଶ୍ଚୟ ସମାପ୍ତ ହେବ। କେନାଲରେ ପାଣି ଆସିବ। ଧରଣୀ ଶସ୍ୟ ଶ୍ୟାମଳା ହେବ। କୃଷକ ହସିବ।ଓଡିଶାରେ କର୍ଯ୍ୟକାରୀ ହେଉଥିବା ସୁବର୍ଣ୍ଣରେଖା ପ୍ରକଳ୍ପର ମୂଳ ଲମ୍ବିଛି ଝାଡଖଣ୍ଡକୁ। ଟାଟାନଗରଠାରୁ ୩୦ କି.ମି. ଉପରକୁ ସୁବର୍ଣ୍ଣରେଖା ନଦୀ ଉପରେ ତିଆରି ହୋଇଥିବା ଚାଣ୍ଡିଲ ଡେମ ଏହି ପ୍ରକଳ୍ପର ମୂଳ ଆଧାର। ଏହି ଡେମର ତିଆରି କାମ ୧୯୮୨ ମସିହାରେ ଆରମ୍ଭ ହୋଇ ୧୯୯୩ ମସିହାରେ ସମାପ୍ତ ହୋଇଥିଲା। ଏହା ସୁବର୍ଣ୍ଣରେଖା ବହୁମୂଖୀ ଯୋଜନାର ଅନ୍ତର୍ଗତ ଅଟେ। ଏହି ଯୋଜନା ତତକାଳୀନ ବିହାର, ପଶ୍ଚିମବଙ୍ଗ ଓ ଓଡ଼ିଶାର ମିଳିତ ଯୋଜନା ଅଟେ। ଏ ବାବଦକୁ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦିଲ୍ଲୀଠାରେ ଅଗଷ୍ଟ ୭, ୧୯୭୮ ମସିହାରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଏହି ଯୋଜନାର ଲକ୍ଷ୍ୟ ଥିଲା ତିନୋଟି ରାଜ୍ୟରେ ଜଳସେଚନ, ପାନୀୟଜଳ ଯୋଗାଣ ଓ ଜଳବିଦ୍ୟୁତ ଉତ୍ପାଦନ। ପ୍ରଥମ ପର୍ଯ୍ୟାୟରେ ଚାଣ୍ଡିଲ ଡେମ ତିଆରି ହେଲା। ଏହା ତଳେ ସୁବର୍ଣ୍ଣରେଖା ଉପରେ ଗାଲୁଡ଼ିହୀଠାରେ ଏକ ବ୍ୟାରେଜ ନିର୍ମାଣ ହୋଇଛି। ଏହି ବ୍ୟାରେଜରୁ ଓଡ଼ିଶାକୁ ଜଳ ଯୋଗାଣ କେନାଲ ଯୋଗେ ହେବ। ଗାଲୁଡିହୀ ଟାଟା ନଗରରୁ ୩୦ କି.ମି. ତଳକୁ ଅବସ୍ଥିତ। ଓଡିଶାରେ ତିନୋଟି ବଡ ରିଜର୍ଭର ରହିବ। ସେଗୁଡିକ ହେଉଛି ହଳଦିଆ, ଜମ୍ଭିରା ଓ ବାଉରା। ଏହାପରେ ଆହୁରି କିଛି ଛୋଟ ରିଜର୍ଭର ରହିବ। ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ମଧ୍ଯ ତଦନୁରୂପେ ରିଜର୍ଭର ରହିବ। ଏହି ରିଜର୍ଭର ଗୁଡିକରେ ଜଳ ଷ୍ଟୋର କରି ରଖାଯିବ ଓ ଆବଶ୍ୟକ ମୁତାବକ ଛଡାଯିବ।ଗାଲୁଡିହିରୁ ଯେଉଁ ମୁଖ୍ୟ କେନାଲ ଆସିବ ତାହା ଦେଉଳି ନିକଟରେ ଥିବା ଜମ୍ଭିରା ଡେମରେ ପଡ଼ିବ। ଏହା ପୂର୍ବରୁ ମୁଖ୍ୟ କେନାଲରୁ ଏକ ଶାଖା କେନାଲ ବାହରି ହଳଦିଆ ବନ୍ଧରେ ପଡ଼ିବ। ଏହାପରେ ଅନ୍ୟ ଏକ କେନାଲ ବାହାରି ବାଉରା ଡେମରେ ପଡିବ। ପୂର୍ବରୁ ହଳଦିଆ ଓ ବାଉରା ଡେମ ରହିଛି। ହଳଦିଆ ଡେମର ଜଳ ଧାରଣ କ୍ଷମତା ବୃଦ୍ଧିପାଇଁ କାମ ସରିଛି। ଜଳ ଷ୍ଟୋରେଜ୍ ଆରମ୍ଭ ହୋଇଯାଇଛି। କେନାଲରେ ପାଣିବି ଛଡା ହେଲାଣି। ଦେଉଳି ନିକଟରେ ଜମ୍ଭିରା ଡେମର ନିର୍ମାଣ ପରେ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏକପ୍ରକାର କାର୍ଯ୍ୟ ଶେଷ ହୋଇଥିଲା। ପରେ ପୁଣି ଦ୍ୱିତୀୟ ପର୍ଯାୟରେ ଡେମର ଉଚ୍ଚତା ବୃଦ୍ଧିକରି ଜଳ ଧାରଣ କ୍ଷମତା ବୃଦ୍ଧି କରାଯାଇଛି। ଏବେ ଡେମ କାମ ସମାପ୍ତ ହୋଇ ଜଳ ଅମଳ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ଷାର ସ୍ଵଳ୍ପତା ଓ କେନାଲରେ କମ୍ ପାଣି ଆସିବା ଯୋଗୁଁ ଡେମର ଜଳସ୍ତର ବହୁତ ତଳେ ରହିଛି। ପୂର୍ବ ନିର୍ମିତ ତଳ କେନାଲ ଯୋଗେ ଯେଉଁ ଜଳ ନିଷ୍କାସିତ ହେଉଛି, ସେଥିରେ ଅଳ୍ପକିଛି ଜମି ଜଳସେଚିତ ହେଉଛି। ବାମ ଓ ଡାହାଣ କେନାଲ ଶୁଖିଲା ପଡ଼ିଛି, ଯେହେତୁ ଡେମରେ ପର୍ଯ୍ୟାପ୍ତ ପାଣି ନାହିଁ। ଜମ୍ଭିରା ଏକ ବର୍ଷାଦିନିଆ ଛୋଟ ନଦୀ। ଏହାର ଜଳରେ ଡେମ ଭରିବ ନାହିଁ। ସେହିପରି ହଳଦିଆ ଓ ବାଉରାର ବନ୍ଧ ଗୋଟିଏ ଗୋଟିଏ ନାଳ ଉପରେ ହୋଇଥିଲା। ଏହି ନାଳ ପାଣି ଦ୍ଵାରା ଡେମ ଭରିବ ନାହିଁ। ଏଥିପାଇଁ ସୁବର୍ଣ୍ଣରେଖାର ପାଣି ଜରୁରୀ। ପ୍ରକଳ୍ପ ମୁତାବକ ଗାଲୁଡିହିରୁ କେନାଲ ଯୋଗେ ଯେଉଁ ପାଣି ଆସିବ ତାଦ୍ୱାରା ଡେମ ଭର୍ତ୍ତି ହେବ ଓ ଜଳସେଚନ ପାଇଁ କେନାଲ ଯୋଗେ ପାଣି ବାହାର କରାଯାଇ ପାରିବ। ଚୁକ୍ତି ଅନୁଯାୟୀ ଝାଡଖଣ୍ଡ ନିର୍ଦ୍ଧାରିତ ପରିମାଣର ପାଣି ଓଡିଶାକୁ ଛାଡିବ। ଏଥିରେ କୌଣସି ଖିଲାପ ହେଲେ ବିବାଦ ଉପୁଜିବା ସ୍ଵାଭାବିକ। ଠିକ ଯେଉଁପରି ମହାନଦୀ ଜଳକୁ ନେଇ ଛତିଶଗଡ଼ ସହିତ ଓଡିଶାର ବିବାଦ ଚାଲିଛି। ବର୍ଷାଋତୁରେ କୌଣସି ଅସୁବିଧା ନାହିଁ। ଏହି ସମୟରେ ବଢ଼ି ପାଣିକୁ ଓଡିଶା କେନାଲରେ ଛଡ଼ାଯାଇ ପାରିବ। ଏହାବାଦେ ଏହି ସମୟରେ ନଦୀରେ ଜଳପ୍ରବାହ ଅଧିକ ଥିବା ଯୋଗୁଁ ଓଡିଶା ପାଇଁ ଜଳ ପାଇବାରେ ଅସୁବିଧା ହେବ ନାହିଁ। ତେଣୁ ଖରିଫ୍ ଚାଷ ଅନାୟସରେ ହୋଇପାରିବ। କିନ୍ତୁ ଅନ୍ୟ ସମୟ ପାଇଁ ଅସୁବିଧା ହୋଇପାରେ। ଅନ୍ୟ ସମୟରେ ନଦୀରେ ଜଳପ୍ରବାହ କମ୍ ରହିବ। ଯେଉଁ ସମୟରେ ଜଳ ବିଭାଜନର ଚୁକ୍ତି ହୋଇଥିଲା ସେ ସମୟରେ ନଦୀରେ ଜଳପ୍ରବାହ ଅଧିକ ଥିଲା। ଏବେ ଏହା ଅନେକ ହ୍ରାସ ପାଇଛି। ତେଣୁ ଏହି ସମୟରେ ଓଡିଶା ଯେତେ ଜଳ ପାଇବ ତାହା ରବି ଚାଷପାଇଁ ଯଥେଷ୍ଟ ହେବ ନାହିଁ। ସୁତରାଂ ଏହି ସମୟରେ ଗଚ୍ଛିତ ଜଳକୁ ଓଡ଼ିଶାରେ ବ୍ୟବହାର କରାଯାଇ ପାରିବ।ପ୍ରକଳ୍ପର ଅନୁସରଣରେ ୧୯୮୭ ମସିହାରେ ଚିଫ କନଷ୍ଟ୍ରକସନ ଇଞ୍ଜିନିୟରିସ୍ ଅଫିସ ବାରିପଦାଠାରେ ସ୍ଥାପିତ ହେଲା। ପରେ ଏହା ଦେଉଳିକୁ ସ୍ଥାନାନ୍ତରିତ ହେଲା ଓ ଏଥିପାଇଁ ଜଣେ ଚିଫ୍ ଇଞ୍ଜିନିୟର ନିଯୁକ୍ତ ହେଲେ। ୧୯୯୫ ମସିହାରେ ପ୍ରକଳ୍ପ ଏଆଇବିପି ହାତକୁ ଗଲା ଏବଂ କାର୍ଯ୍ୟାଳୟ ଲକ୍ଷ୍ମୀପୋଷୀକୁ ସ୍ଥାନାନ୍ତରିତ ହେଲା। କାର୍ଯ୍ୟ କଚ୍ଛପ ଗତିରେ ଚାଲିଲା। ପ୍ରକଳ୍ପ ବହୁ ଆଗରୁ ସମାପ୍ତ ହେବାର ଥିଲା। ଦୀର୍ଘ ସମୟ ଭିତରେ ସୁବର୍ଣ୍ଣରେଖା ପ୍ରକଳ୍ପର ଅନେକ କାର୍ଯ୍ୟ ବାକି ରହିଛି। ଏହି ପ୍ରକଳ୍ପ ଆବଶ୍ୟକତା ଠାରୁ ଅଧିକ ସମୟ ନେଇଛି। ବିଭିନ୍ନ ଅଞ୍ଚଳରେ ଯେଉଁ ଛୋଟ ଛୋଟ ଡେମଗୁଡିକ ରହିଛି ଯେଉଁଗୁଡ଼ିକୁ କ୍ଷୁଦ୍ର ଜଳାଶୟଭାବେ ବ୍ୟବହାର କରାଯିବ ସେଗୁଡିକର ଉନ୍ନତିକରଣର ଆବଶ୍ୟକତା ରହିଛି। ହଳଦିଆ ଡେମରେ ପୂର୍ବରୁ ଥିବା ତଳ କେନାଲ କାମରେ ଲାଗୁଛି। ଏହାକୁ କିଛି ମାତ୍ରାରେ ପରିବ୍ୟାପ୍ତ କରାଯାଇଛି। ଏହାର ବାମ ଓ ଡାହାଣ କେନାଲ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନାହିଁ। ଜାମ୍ଭିରାର ତଳ କେନାଲରେ ଜଳସେଚନ ହେଉଛି। ବାମ ଓ ଡାହାଣ କେନାଲରେ ପାଣି ଛାଡ଼ିଯାଇ ନାହିଁ। ଏଗୁଡିକର ଶାଖା କେନାଲ ତିଆରି ହେବାକୁ ବାକି ଅଛି। ଓଡିଶା ସୀମାରୁ ହଳଦିଆ କେନାଲ ପର୍ଯ୍ୟନ୍ତ ଅନେକ ବ୍ଯାରେଜ ରହିଛି। ଏହାକୁ ସଂଯୋଗ କରୁଥିବା ଅନେକ ଶାଖା କେନାଲ ତିଆରି ହେବାର ଆବଶ୍ୟକତା ରହଛି।ଏବେବି ଅନେକଙ୍କ ବିଶ୍ୱାସ ଯେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ପାଇବା ପାଇଁ ଆହୁରି ଅନେକ ବର୍ଷ ଲାଗିବ। କାରଣ ଯେଉଁ ଗତିରେ କାମ ଆଗେଇବା କଥା ତାହା ହେଉ ନାହିଁ। ଏ ଦିଗରେ ନିଶ୍ଚିତ ରୂପେ ପ୍ରାଶାସନିକ ମନ୍ଥରତା ରହିଛି। ଚାଣ୍ଡିଲ ଡେମ କାମ ମାତ୍ର ୧୧ ବର୍ଷରେ ସମାପ୍ତ ହୋଇଛି। ଅଥଚ ଓଡ଼ିଶାର ମୁଖ୍ୟ ଡେମ ଜମ୍ଭିରା ସମାପ୍ତ ହେବା ପାଇଁ ଦୀର୍ଘବର୍ଷ ଲାଗିଲା। ଏବେ ଡେମ ଭରିବ ତାପରେ କେନାଲରେ ପାଣି ଆସିବ। ମୁଖ୍ୟ କେନାଲରେ ପାଣି ଆସିଲେ ଶାଖା କେନାଲ କାମ ପୂର୍ଣ୍ଣାଙ୍ଗ ହେବ। ତଥାପି ଅଞ୍ଚଳ ବାସୀଙ୍କ ପାଇଁ ଆଶ୍ୱସନା ଯେ ବିଳମ୍ବ ହେଲେବି କିଛି କାମ ଆଗଉଛି। ଯାହା ହତାଶା ମଧ୍ୟରେ ଆଶାର ସଂଚାର କରୁଛି।


