ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କରେ ମହିଳାଙ୍କ ଭିଡ଼

ହାଟଡିହି, (ବିକାଶ ବିଶ୍ୱାଳ):ପ୍ରଥମ ପର୍ଯ୍ୟାୟ ସୁଭଦ୍ରା ଅର୍ଥ ପାଇଥିବା ହିତାଧିକାରୀ ମାନେ ଏବେ ନିଶ୍ଚିତ ହୋଇଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପାଇଁ କସରତ ଆରମ୍ଭ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ହାଟଡିହି ବ୍ଲକର ବିଭିନ୍ନ ବ୍ୟାଙ୍କରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ଆସନ୍ତା ୯ତାରିଖ ଦିନ ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି ପ୍ରଦାନ କରାଯିବା ଘୋଷଣା ହୋଇଥିବାବେଳେ ଆଜି ସେମାନଙ୍କ ଏକାଉଣ୍ଟକୁ ଟଙ୍କାଟିଏ ଛଡାଯାଇଥିବା ସରକାରୀ ସ୍ଥରରେ ଘୋଷଣା ହେବାପରେ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେଣୁ ପ୍ରଥମ ପର୍ଯ୍ୟାୟରେ ଫେଲ୍ ମାରିଥିବା ହିତାଧିକାରୀମାନେ ବ୍ୟାଙ୍କ ଓ ଜନସେବା କେନ୍ଦ୍ରକୁ ଦୌଡୁଥିବା ଦେଖିବାକୁ ମିଳିଛି। ଆବେଦନ ବେଳେ କେଉଁ ତ୍ରୁଟି ରହିଛି ସେଗୁଡିକୁ ସଂଶୋଧନ ପାଇଁ ହିତାଧିକାରୀମାନେ ଲାଗି ପଡ଼ିଥିବା ବେଳେ କିଛି ଲୋକ ମଧ୍ୟ ପୁନର୍ବାର ସଠିକ ତଥ୍ୟ ଅନୁଯାୟୀ ଆବେଦନ କରୁଛନ୍ତି ।କେଉଁ ଆଧାରରେ ପ୍ରଥମ ପର୍ଯ୍ୟାୟ ହିତାଧିକାରୀ ଅର୍ଥ ପାଇଛନ୍ତି ଏନେଇ ସେମାନେ ବୁଝିବା ସହିତ ସଠିକ ଭାବେ ଆବେଦନ ପାଇଁ ଚଳଚଞ୍ଚଳ ହୋଇଯାଇଛନ୍ତି। ସମସ୍ତେ ନିଜ ନିଜ ଏକାଉଣ୍ଟ ଗୁଡିକ ଠିକ୍ କରିବା ପାଇଁ ଲାଗି ପଡିଛନ୍ତି। ବ୍ଳକର ହାଟଡିହି ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ, ବଞ୍ଚୋସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବିଦ୍ୟାଧରପୁର ସ୍ଥିତ ୟୁକୋ ବ୍ୟାଙ୍କ, ଓ ପଞ୍ଚୁଗୋଛିଆ ସ୍ଥିତ ୟୁନିୟନ ବ୍ୟାଙ୍କମାନଙ୍କରେ ସକାଳ ୭ରୁ ଦିନ ୪ଟା ଯାଏଁ ଆବେଦନକାରୀଙ୍କ ଭିଡ଼ ଦେଖାଯାଉଛି। ଏହାଛଡା ଜନସେବା କେନ୍ଦ୍ରଗୁଡିକରେ ମଧ୍ୟ ପୂର୍ବଭଳି ଭିଡ଼ ପରିଲକ୍ଷିତ ହେଉଛି। ଏଥିଯୋଗୁ ବ୍ୟାଙ୍କ ଗୁଡିକରେ ଅନ୍ୟାନ୍ୟ ଗ୍ରାହକ ସେବା ମଧ୍ୟ ଏକ ପ୍ରକାର ଠପ ହୋଇଯାଇଛି। ସାଧାରଣ ଗ୍ରାହକ ମାନେ ବ୍ୟାଙ୍କକୁ ପସିପାରୁ ନଥିବାରୁ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏପରିକି ସାଧାରଣ ଲୋକଙ୍କ ବ୍ୟାଙ୍କ ଏକାଉଣ୍ଟଗୁଡିକୁ ଏହିସମୟରେ ବ୍ୟାଙ୍କ କର୍ତୁପକ୍ଷ କେ ୱାଇ ସି ବାହାନାରେ ଫ୍ରିଜ୍ କରିଦେଇ ଥିବାରୁ ଶହ ଶହ ଗ୍ରାହକ ବ୍ୟାଙ୍କ କାରବାର କରିପାରୁ ନାହାନ୍ତି । ବଞ୍ଚୋ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ଆଜି ସକାଳ ୭ଟାରୁ ଶହଶହ ଗ୍ରାହକ ଲମ୍ବା ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ବ୍ୟାଙ୍କ ଟି ୫୩ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବାରୁ ଲୋକଙ୍କ ଧାଡି ମଝିରାସ୍ତା ପର୍ଯ୍ୟନ୍ତ ଲମ୍ବିଯାଇଥିଲା । ଏପରିକି ଶହଶହ ବାଇକ ରାସ୍ତା କଡ଼ରେ ରଖିଦେବାରୁ ଯାତାୟତରେ ବାଧା ଉପୁଜି ଥିଲା। ଏତେ ଗହଳି ହେଉଥିଲେ ବି ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରୁନଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ବିଶେଷକରି କେୱାଇସି ପାଇଁ ଅଧିକ କାଉଣ୍ଟର ଖୋଲି ଅଧିକ କର୍ମଚାରୀ ବସାଇ ଏହାର ସୁବ୍ୟବସ୍ଥା କରିବାକୁ ଗ୍ରାହକମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ