ସୁରକ୍ଷିତ ଭବିଷ୍ୟତ ପାଇଁ ପାରମ୍ପରିକ ଚିକିତ୍ସାର ବିକାଶ କରିବାକୁ ହେବ : ବାଚସ୍ପତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ତିନିଦିନବ୍ୟାପୀ ଚାଲିଥିବା ରାଜ୍ୟସ୍ତରୀୟ ଆୟୁର୍ବେଦ ପର୍ବ ଉଦ୍ଯାପିତ ହୋଇଯାଇଛି । ବିନୋବା ସେବା ପ୍ରତିଷ୍ଠାନ, ଭୁବନେଶ୍ୱର ଓ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଡ଼ାକ୍ତର ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ଆୟୁର୍ବେଦକୁ ଜୀବନର ମୂଳ ବିଜ୍ଞାନ କହିବା ସହିତ ଏହାର ପ୍ରଚାର ଓ ପ୍ରସାରରେ ସମସ୍ତେ ଅଂଶଗ୍ରହଣ କରିବା ଓ ମିଳିତ ଭାବରେ ଏହାର ସୁରକ୍ଷିତ ଭବିଷ୍ୟତ ପାଇଁ ଆମକୁ ଆମର ପାରମ୍ପରିକ ଚିକିତ୍ସାର ବିକାଶ କରିବାକୁ ପଡ଼ିବ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ପାରମ୍ପରିକ ଚିକିତ୍ସା ପଦ୍ଧତିର କୌଣସି କୁପ୍ରଭାବ ନଥିବା କହିବା ସହିତ ଏହା ରୋଗକୁ ମୂଳରୁ ସମାପ୍ତ କରିବା ଏବଂ କରୋନା ମହାମାରୀ ସମୟରେ ଏହି ଚିକିତ୍ସା ପଦ୍ଧତି ସବୁଠି ଫଳପ୍ରଦ ହୋଇଥିବା କହିଥିଲେ । ଡ଼ାକ୍ତର ମାନସ ଷଡ଼ଙ୍ଗୀ, ରିସର୍ଚ୍ଚ ଅଫିସର ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାର କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପର୍ବର ଆଭିମୁଖ୍ୟ ବିଷୟରେ କହିବା ସହିତ ସରକାରଙ୍କ ଏହି ପ୍ରୟାସ ମାଧ୍ୟମରେ ଆୟୁଷ ଚିକିତ୍ସା ପଦ୍ଧତି ତୃଣମୂଳସ୍ତରକୁ ପହଞ୍ôଚ ପାରିଥିବା କହିଥିଲେ । ଡ଼ାକ୍ତର ଏମ୍.ଏମ୍. ରାଓ, ଡ଼ାଇରେକ୍ଟର କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ଯୋଗଦେଇ ଏହା ଉପରେ ଆହୁରି ଗବେଷଣା ହେବା ଦରକାର ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ପୌରହିତ୍ୟ କରି ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନା ସ୍ୱାଗତ ଭାଷଣ ଦେଇ କରୋନା ମହାମାରୀ ସମୟରେ ବିକଶିତ ଦେଶ ରୋଗ ସହିତ ଲଢୁଥିବା ବେଳେ ଆମର ପାରମ୍ପରିକ ଚିକିତ୍ସା ପଦ୍ଧତି ମହାମାରୀ ବ୍ୟାପୀବାକୁ ପ୍ରତିହତ ସହିତ ଆମର ସୁରକ୍ଷା କରିପାରିଥିବା କହିଥିଲେ । ଡ଼ାକ୍ତର ମାନସ ଷଡ଼ଙ୍ଗୀ, ଡ଼ାକ୍ତର ଏମ୍.ଏମ୍. ରାଓ ସମସ୍ତଙ୍କୁ ସରକାରଙ୍କ ଏହି ପ୍ରୟାସର ସୁଯୋଗ ନେବାକୁ କହିଥିଲେ । ତିନିଦିନ ଧରି ଚାଲିଥିବା ଏହି ଅଧିବେଶନଗୁଡ଼ିକୁ ଡ଼ାକ୍ତର ଅଶୋକ ପଣ୍ଡା, ଡ଼ାକ୍ତର ପୂର୍ଣ୍ଣେନ୍ଦୁ ପଣ୍ଡା, ଡ଼ାକ୍ତର କେ.କେ.ରଥ, ଡ଼ାକ୍ତର ବନମାଳୀ ଦାସ, ଡ଼ାକ୍ତର ସୁସ୍ମିତା ପି ଓତା, ଡ଼ାକ୍ତର କ୍ରୀଷ୍ଣା ରାଓ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର ସୁନାମଧନ୍ୟ ବୈଦ୍ୟରାଜ ପ୍ରିୟବ୍ରତ ସାହୁ, କୈଳାଶ ଚନ୍ଦ୍ର ପାଢୀ, ପ୍ରସନ୍ନ କୁମାର ଦାସ, ଅରୁଣ କୁମାର ରାୟ, ରଶ୍ମୀରଞ୍ଜନ ନାୟକ, କାର୍ତ୍ତିକେୟ ଜେନା, ପ୍ରଶାନ୍ତ କୁମାର ପ୍ରଧାନ, ଭାରତ ପ୍ରଧାନ, ସତ୍ୟବାନ ନାୟକ ଓ ଗୌରାଙ୍ଗ ପାଣିଗ୍ରାହୀ ଏହି ର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଦେଶ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୫୦ରୁ ଉର୍ଦ୍ଧ୍ୱ ଡ଼ାକ୍ତର, ଗବେଷକ, ବୈଦ୍ୟ, ବୁଦ୍ଧିଜୀବୀ, ବକ୍ତା, ସାଧାରଣ ଲୋକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସରକାରଙ୍କର ଆୟୁର୍ବେଦ, ହୋମିଓପ୍ୟାଥି, ସିଦ୍ଧ, ୟୁନାନୀ ଓ ଯୋଗ ବିଭାଗ ଦ୍ୱାରା ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୫୦୦ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନା, ସଂଯୋଜକ ରମେଶ ଭାରତୀ, ରଘୁନାଥ ମଣ୍ଡଳ, ସୁଶ୍ରୀ ଶୁଭଶ୍ରୀ ମହାପାତ୍ର, ସୁଶ୍ରୀ ସ୍ମୃତିରେଖା ନାୟକ, ବିକାଶ ସାହୁ, ଜୀବନ ସାହୁ, ଦେବାଶିଷ ମହାପାତ୍ର, ସୁଶ୍ରୀ ସୌଦାମିନୀ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।


