ସୁରଜଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୫ଲକ୍ଷ ଅର୍ଥଦାନ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଗଂଜାମ ଜିଲ୍ଲା ଭଂଜନଗର ନିକଟସ୍ଥ ଲାଲସିଂ ଅଂଚଳରେ ମୁଳବାସିନ୍ଦା ସୁରଜ ସେଠୀଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ପିତା ବାବୁଲି ଓ ମାଆ ଗିତାଞ୍ଜଳି ସେଠୀ ନିଜ ପୁଅର ୬ଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରିଥିଲେ । ଅନ୍ୟ ୬ଜଣ ବ୍ୟକ୍ତିଙ୍କ ଠାରେ ସୁରଜଙ୍କ ହୃତପିଣ୍ଡ, ଦୁଇ ବୃକକ୍‌, ଯକୃତ ଏବଂ ଦୁଇଟି ଚକ୍ଷୁ ପ୍ରତିରୋପଣ କରାଯାଇ ସେମାନଙ୍କୁ ନୂତନ ଜୀବନ ପ୍ରଦାନ କରାଯାଇ ପାରିଛି । ଏନେଇ ସେମାନଙ୍କର ଏହି ମହତ୍ୱ କାର୍ଯ୍ୟ ଉପଲକ୍ଷେ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ୧୦.୧୧.୨୦୧୯ ତାରିଖ ଦିନ ସୁରଜଙ୍କ ବାପା ମାଆଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏପରି ମହତ୍ୱ କାର୍ଯ୍ୟ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି କହିଛନ୍ତି । ଅଙ୍ଗଦାନ କାର୍ଯ୍ୟକ୍ରମକୁ ସରକାରୀ ଯୋଜନାରେ ଅର୍ନ୍ତଭୁକ୍ତ କରିବାକୁ ଘୋଷଣା ମଧ୍ୟ କରିଥିଲେ । ଏଥି କ୍ରମରେ ଏଣିକି ପ୍ରତିବର୍ଷ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ଏହି କାର୍ଯ୍ୟରେ ନିୟୋଜିତ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ମୃତ ସୁରଜଙ୍କ ମାଆ ଗିତାଞ୍ଜିଳି ଓ ବାପା ବାବୁଲି ସେଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଜିଲ୍ଲାପାଳଙ୍କ ନିଜସ୍ୱ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରଜ୍ଞା ପରମିତା ଥାଟୋଇ ଉପସ୍ଥିତ ରହି ୫ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ସୁରଜଙ୍କ ବାପା ମାଆଙ୍କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ସେମାନଙ୍କୁ ଖୁବ୍ ଶୀଘ୍ର ବିଜୁ ପକ୍କା ଘର ପ୍ରଦାନ କରାଯିବ ବୋଲି କହିଥିଲେ । ଏହି ଚେକ୍ ପାଇବା ପରେ ଉଭୟ ଦମ୍ପତି ମୁଖ୍ୟମନ୍ତ୍ରୀଙ୍କୁ ଭୂୟଂସୀ ପ୍ରଶଂସା କରିବା ସହ ଅଙ୍ଗଦାନ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ୍ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ତାଙ୍କର ପୁତୁରା ରାଜୀବ ସେଠୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଯେ, ସୁରଜ ଡ଼ାକ୍ତରଖାନା ଶଯ୍ୟାରେ ୪ଦିନ ପଡ଼ି ରହିବା ପରେ ୨.୧୧.୨୦୧୯ ତାରିଖରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ତେବେ ଆଖି ବୁଜିବା ପୂର୍ବରୁ ସୁରତର ଏକ ସ୍ୱେଚ୍ଛାସେବୀ ସଂସ୍ଥା ସହ ଡାକ୍ତରମାନେ ସୁରଜଙ୍କ ପିତା ମାତାଙ୍କୁ ଅଙ୍ଗଦାନ ପାଇଁ ବୁଝାଇ ସାରିଥିଲେ । ପରିବାର ଲୋକଙ୍କ ସହମତିରେ ହସପିଟାଲରେ ହିଁ ସୁରଜଙ୍କ ଶରୀରରୁ ଚକ୍ଷୁ, କିଡନୀ, ହୃତପିଣ୍ଡ ଓ ଲିଭର ସହ ମୋଟ ୬ଟି ଅଙ୍ଗ ବାହାର କରାଯାଇଥିଲା । ତାଙ୍କ ଶରୀରରୁ ବାହାରିଥିବା ହୃତପିଣ୍ଡଟି ମୁମ୍ବାଇ ନିଆଯାଇଥିବା ବେଳେ କିଡନୀ ଓ ଲିଭର ଅହମ୍ମଦବାଦ ଓ ଚକ୍ଷୁ ଏବଂ ଅନ୍ୟ ଦୁଇଟି ଅଙ୍ଗ ଗୁରୁରାଟରେ ହିଁ ରହିଥିଲା । ସୁରଜଙ୍କ ଶରୀରରୁ ବାହାର କରାଯାଇଥିବା ଅଙ୍ଗକୁ ମାତ୍ର କେଇ ମିଟିଟ୍ ଭିତରେ ଉପରୋକ୍ତ ସ୍ଥାନମାନଙ୍କୁ ପଠାଯାଇ ସେଠାରେ ସଫଳ ପ୍ରତିରୋପଣ ହୋଇଥିବା ସୁରଜଙ୍କ ମାମୁ ପ୍ରକାଶ ସେଠୀ ସୂଚନା ଦେଇଛନ୍ତି । ନିଜେ ଜଳି ଅନ୍ୟକୁ ଆଲୋକିତ କରିବାର ମହତ କାମ ସେ କରିଛନ୍ତି । ଯେଉଁ ପୁଅ ଦିନେ ନିଜ ମଣିଷ ପଣିଆ ପାଇଁ ଅନ୍ୟର ହୃଦୟକୁ ଜିଣିପାରୁଥିଲା, ମୃତ୍ୟୁ ପରେ ବି ସେ ଜିତିଗଲା ସବୁଦିନ ପାଇଁ । ରାତିର ଶୁନଶାନ ପ୍ରହରରେ ସୁରତ ରାଜରାସ୍ତାରେ ଦୌଡ଼ିଥିଲା ଆମ୍ବୁଲାନ୍ସ । ପୁଲିସ ଭ୍ୟାନର ଏସକର୍ଟ ସହ ଦ୍ରୁତଗତିରେ ଆମ୍ବୁଲାନ୍ସ ପହଂଚିଥିଲା ମେଡ଼ିକାଲରେ । ତାହାରି ଭିତରେ ବ୍ରେନଡେଡ୍ ଅବସ୍ଥାରେ ଥିଲେ ସୁରଜ । ସୁରଜଙ୍କ୍ ହୃତପିଣ୍ଡକୁ ଅସ୍ତ୍ରୋପଚାର କରି ବାହାର କରାଯାଇଥିଲା । ଆଉ ସୁରତରୁ ଏୟାର ଆମ୍ବୁଲାନ୍ସ ଯୋଗେ ହୃତପିଣ୍ଡକୁ ଧରି ମୁମ୍ବାଇରେ ୬୯ମିନିଟ୍ ମଧ୍ୟରେ ପହଂଚିଥିଲା ଡ଼ାକ୍ତରୀ ଟିମ୍ । ଏହା ପରେ ଅନ୍ୟ ଜଣେ ମହିଳାଙ୍କ ଶରୀରରେ ଏହାକୁ ପ୍ରତ୍ୟାରୋପଣ କରାଯାଇଥିଲା । ସୁରଜ ଶରୀରରେ ନାହାନ୍ତି ସତ କିନ୍ତୁ ସେ କାହା ଶରୀରରେ ହୃତପିଣ୍ଡ, ଲିଭର, କିଡନୀ ହୋଇ ବଂଚିଛନ୍ତି ତ କାହାକୁ ଆଖି ଦୁଇଟି ଦାନ କରି ସେମାନଙ୍କ ଅନ୍ଧାର ଦୁନିଆରେ ଭରିଛନ୍ତି ପରିଦୃଶ୍ୟମାନ ପୃଥିବୀର ଆଲୋକ । ଓଡ଼ିଆ ଯୁବକ ସୁରଜ ସତରେ ମରି ବି ଏବେ ଅମର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ