ସୁରବାବା ଓ ପୁଅଙ୍କ ବିରୋଧରେ ଚାର୍ଜଫ୍ରେମ୍ ପାଇଁ ୧୬ ତାରିଖକୁ ଧାର୍ଯ୍ୟ

ଛତ୍ରପୁର, (ଯୁଗାବ୍ଦ ନ୍ରୁ୍ୟଜ୍) : ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମ ଜମି କେଳେଙ୍କାରୀ ମାମଲାର ଅଭିଯୁକ୍ତ ତଥା ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରବାବା ଓରଫ୍ ସୁରେନ୍ଦ୍ର ନାଥ ମିଶ୍ର ଓ ତାଙ୍କରି ପୁଅ ତ୍ରିଲୋଚନ ମିଶ୍ରଙ୍କ ବିରୋଧରେ ମାମଲା ପରିଚାଳନା ନିମନ୍ତେ ମଙ୍ଗଳବାର କ୍ୟାଡ୍ର ଏପିପି ରାଜେଶ କୁମାର ମିଶ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । କଟକ କ୍ରାଇମ୍ବ୍ରାଞ୍ଚ କାର୍ଯ୍ୟାଳୟର ଅନୁରୋଧ କ୍ରମେ ରାଜ୍ୟ ଗୃହ ବିଭାଗ ସରକାରୀ ଅଭିଯୋଜକ ନିର୍ଦ୍ଦେଶକ ଛତ୍ରପୁର ଏସ୍ଡିଜେଏମ୍ କୋର୍ଟର କ୍ୟାଡର ଏପିପି ରାଜେଶ କୁମାର ମିଶ୍ରଙ୍କୁ ଏହି ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ହୋଇଥିଲା । ଆଜି ଅଭିଯୁକ୍ତ ସୁରବାବା ଓ ପୁଅ ତ୍ରିଲୋଚନ ମିଶ୍ରଙ୍କ ବିରୋଧରେ ଛତ୍ରପୁର ଏସ୍ଡିଜେଏମ୍ କୋର୍ଟରେ ଚ୍ରାର୍ଜଫ୍ରେମ୍ ହେବାକୁ ରହିଥିଲା । କିନ୍ତୁ ଆଜି କୋର୍ଟରେ ଉଭୟ ଅଭିଯୁକ୍ତ ସୁରବାବା ଓ ପୁଅ ତ୍ରିଲୋଚନ ମିଶ୍ର ଅନୁପସ୍ଥିତ ରହିଥିଲେ । ଏଣୁ ଏସଡିଜେଏମ ସନ୍ତୋଷ କୁମାର ପାଣିଗ୍ରାହୀ ଚାର୍ଜଫ୍ରେମ୍ ପାଇଁ ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଉକ୍ତ ଦିନରେ ଉଭୟ ବାପା ଓ ପୁଅ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଭିଯୋଗକାରୀ ବ୍ରହ୍ମପୁର ଧର୍ମନଗର ସାହିର ମୋଚିରାମ ସାହୁ ଓ ଅଭିଯୁକ୍ତଙ୍କ ପକ୍ଷରୁ ଗତ ୨୫ ତାରିଖରେ ରାଜିନାମା ପତ୍ର ଦାଖଲ କରିଥିଲେ । କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏହି ମାମଲା ପରିଚାଳନା ନିମନ୍ତେ ନିଯୁକ୍ତ ହୋଇଥିବା କ୍ୟାଡର ଏପିପି ରାଜେଶ କୁମାର ମିଶ୍ରଙ୍କୁ ଦାଖଲ ହୋଇଥିବା ରାଜିନାମା ନଥିପତ୍ର ହସ୍ତାନ୍ତର କରାଯାଇଥିଲା । ଅଭିଯୁକ୍ତ ଏବଂ ଅଭିଯୋଗକାରୀ ଆଜି ଅନୁପସ୍ଥିତ ଥିବାରୁ ଏହି ମାମଲାକୁ ପରିଚାଳନା ଓ ଶୁଣାଣି କରିବା ପାଇଁ ସ୍ଥଗିତ ରଖାଯାଇଥିଲା । ଚଳିତ ମାସ ଆସନ୍ତା ୧୬ ତାରିଖରେ ସେମାନଙ୍କ ଉପସ୍ଥିତିରେ ହିଁ ଦାଖଲ ହୋଇଥିବା ରାଜିନାମା ପତ୍ରର ଶୁଣାଣି ହେବ ବୋଲି କ୍ୟାଡର ଏପିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ