ସୁରାଟରେ ଓଡ଼ିଆ ଶ୍ରମିକ ଅସୁରକ୍ଷିତ

ବୁଗୁଡା, (ଅନିଲ କୁମାର ମହାରଣା):ସୁରତର ବିଭିନ୍ନ ଫ୍ୟାକ୍ଟେରୀରେ କାମକରୁଥିବା ଓଡ଼ିଆ ଶ୍ରମିକ ସୁରକ୍ଷିତ ନୁହଁନ୍ତି। ଗତ ରାତ୍ର ଡିଉଟିରେ କାର୍ଯ୍ୟକରୁଥିବା ଜଣେ ଶ୍ରମିକ ବିଶ୍ରାମ ନେଉଥିବା ବେଳେ ଏକ ଟ୍ରକ ଚାପରେ ଯୁବ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବରଣ କରିଥିବା ଶ୍ରମିକ ଜଣଙ୍କ ହେଲେ ଧରାକୋଟ ବ୍ଲକ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଉଦୟ ଗୌଡ଼ଙ୍କ ପୁଅ ଟୁକୁନା ଗୌଡ଼(୩୬)। ତାଙ୍କର ଧର୍ମପତ୍ନୀ ଓ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡିଛି। ଓଡ଼ିଆ ଶ୍ରମିକ ସ୍ବର୍ଗତ ଟୁକୁନା ଗୌଡ଼ ଏହି ଅଳ୍ପ ଦିନ ହେଲା ଫ୍ୟାକ୍ଟେରି ମାଲିକ ପଠାଇଥିବା ଗାଡ଼ିରେ ସୁରତ ଯାଇ ରାଧାକୃଷ୍ଣ ସୋସାଇଟି ଅଞ୍ଚଳରେ ପ୍ଲଟ ନଂ ୪୭୪୮ରେ ଥିବା ରାଜେଶ ଭାଇଙ୍କ ଫ୍ୟାକ୍ଟେରି ରେ ଯୋଗ ଦେଇଥିଲେ। ସେ ରାତ୍ର ଡିଉଟିରେ କାମ କରୁଥିବା ବେଳେ ବିଶ୍ରାମ ନେବାକୁ ଫ୍ୟାକ୍ଟେରିରେ ସୁବିଧା ନଥିବା ଯୋଗୁଁ ରାସ୍ତରେ ଢ଼ାବଲ ଆଟା ପକାଇ ବିଶ୍ରାମ ନେଉଥିବା ବେଳେ ଏକ ମାଲ ବୋଝେଇ ଟ୍ରକ ଚାପି ଦେଇଥିବା ବେଳେ ଟୁକୁନା ଗୌଡ଼ଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପ୍ରବାସୀ ଓଡ଼ିଆ ସମାଜ ସଭାପତି ପ୍ରଦୀପ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଫ୍ୟାକ୍ଟେରି ମାଲିକଙ୍କୁ ଡକାଇ ଥିଲେ ମଧ୍ୟ ସେ ଆସି ନଥିଲେ। ଯାହା ଫଳରେ ପୋଲିସରେ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ଶବ ହସ୍ତାନ୍ତର ହେବାପରେ ଶବ ଦାହ ପାଇଁ ସଭାପତି ଶ୍ରୀ ସାହୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ସିଙ୍ଗିପୁର ଅଞ୍ଚଳର ବହୁ ଶ୍ରମିକଙ୍କ ସହଯୋଗରେ ଶବ ସଂସ୍କାର କରାଯାଇଥିଲା। ଏହି ଦୁର୍ଘଟଣା ପରେ ପ୍ରବାସୀ ଓଡ଼ିଆ ସମାଜ ସଭାପତି ଶ୍ରୀ ସାହୁ ସମସ୍ତ ପ୍ରବାସୀ ଓଡ଼ିଆ ଶ୍ରମିକ ଭାଇମାନଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତେ ଫ୍ୟାକ୍ଟେରି ମାଲିକଙ୍କ ସହ ଚୁକ୍ତି କରି ବୀମା, ସୁରକ୍ଷା, ଇପିଏଫ ଓ ବ୍ୟାଙ୍କ ଆକାଉଣ୍ଟ ଜରୀଆରେ ଦରମା ପ୍ରଦାନ ପାଇଁ ଦାବି ଜଣାଇ ଚୁକ୍ତିବଦ୍ଧ ହୋଇ ଫ୍ୟାକ୍ଟେରି ରେ କାମ କରନ୍ତୁ। ଓଡିଶା ସରକାର ରାଜ୍ୟରେ ସମସ୍ତ ଶ୍ରମିକଙ୍କ ନାମ ପଞ୍ଜିକରଣ କରିବା ସହ ବୀମା,ସୁରକ୍ଷା, ଇପିଏଫ ଓ ବ୍ୟାଙ୍କ ଆକାଉଣ୍ଟ ଜରୀଆରେ ଦରମା ଦେବାକୁ ଗୁଜରାଟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜୟରାମ ଦଳେଇ, ପ୍ରଦୀପ ସାହୁ, ମନୋରଞ୍ଜନ ବାରିକ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ