ସୁରାଟରେ ପ୍ରତିଷ୍ଠା ହେବ ଶ୍ରମିକ ସହାୟକ କେନ୍ଦ୍ର ଓ ସାଂସ୍କୃତିକ ଭବନ

ପୋଲସରା, (ଅନିଲ କୁମାର ମହାରଣା):ସୁରାଟରେ ରହୁଥିବା ପ୍ରାୟ ଆଠ ଲକ୍ଷ ପ୍ରବାସୀ ଓଡ଼ିଆ ଓ ଓଡ଼ିଆ ଶ୍ରମିକମାନଙ୍କ ଉପକାର ପାଇଁ ସୁରାଟ ସହରରେ ପ୍ରତିଷ୍ଠା ହେବ ଓଡ଼ିଆ ଶ୍ରମିକ ସହାୟକ କେନ୍ଦ୍ର ଓ ନିର୍ମାଣ ହେବ ଓଡିଶା ସାଂସ୍କୃତିକ ଭବନ। ଗତ ୨୦୨୨ ସେପ୍ଟେମ୍ବର ୨୫ ତାରିଖ ଦିନ ସୁରାଟର ବିଭିନ୍ନ ପ୍ରବାସୀ ଓଡ଼ିଆ ସଙ୍ଗଠନ ସହ ଆଲୋଚନା ବେଳେ ସୁରାଟରେ ଓଡିଶା ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକ ସହାୟକ କେନ୍ଦ୍ର କାର୍ଯ୍ୟାଳୟ ତିନି ମାସ ମଧ୍ୟରେ ଖୋଲିବାକୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତି ପ୍ରକାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କ ଐତିହାସିକ ପଦକ୍ଷେପ ସ୍ୱରୂପ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପତ୍ରସଂଖ୍ୟା ୮୮୧୭/୨୬.୧୦.୨୨ ପ୍ରକାରେ ସୁରାଟରେ ଶ୍ରମ ବିଭାଗ ପକ୍ଷରୁ ଓଡ଼ିଆ ଶ୍ରମିକ ସହାୟକ କେନ୍ଦ୍ର କାର୍ଯ୍ୟାଳୟ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ସେଥିପାଇଁ ଓଡିଶା ସରକାରଙ୍କ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସୁରାଟ ଗସ୍ତରେ ଯାଇଥିବା ଜଣା ପଡ଼ିଛି। ସୁରାଟରେ ଏହି କାର୍ଯ୍ୟାଳୟ ଖୋଲିବା ଦ୍ୱାରା ସୁରାଟରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ ବୃନ୍ଦ ନିଜର ସମସ୍ୟା ଓ ଅଭିଯୋଗ କରିପାରିବେ। ଓଡିଶା ସରକାର ଏହାର ସମାଧାନ କରିବା ଦ୍ୱରା ଓଡ଼ିଆ ଶ୍ରମିକ ବୃନ୍ଦଙ୍କ ନିରାପତ୍ତା ଓ ମଙ୍ଗଳ ହୋଇପାରିବ। ସେହିପରି ୧୦ କୋଟି ଟଙ୍କା ବ୍ୟୟରର ସୁରାଟରେ ଏକ ସାଂସ୍କୃତିକ ଭବନ ପ୍ରତିଷ୍ଠା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସୁରାଟରେ ଓଡ଼ିଆ ସାଂସ୍କୃତିକ ଭବନ ନିର୍ମାଣ ପାଇଁ ସରକାରୀ ଜାଗା ଯୋଗାଇଦେବାକୁ ଓଡିଶା ସରକାରଙ୍କ ପକ୍ଷରୁ ଗୁଜରାଟ ସରକାରଙ୍କୁ ପତ୍ର ପ୍ରଦାନ କରାଯାଇଥିଲା। ଗୁଜରାଟ ସରକାର ଜାଗା ଯୋଗାଇଦେବାକୁ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଯୋଗୁଁ ସାଂସ୍କୃତିକ ଭବନ ନିର୍ମାଣ କାର୍ଯ୍ୟ ଆଗେଇ ପାରିନଥିଲା। ଗତ ସେପ୍ଟେମ୍ବର ମାସରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁଙ୍କ ସୁରାଟ ଗସ୍ତ ବେଳେ ପ୍ରବାସୀ ଓଡିଆମାନେ ଏହି ପ୍ରଶ୍ନ ଉଠାଇଥିଲେ। ଶ୍ରମ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚେଷ୍ଟା କରିବେ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପୁନର୍ବାର ଗୁଜରାଟ ସରକାରଙ୍କୁ ଓଡ଼ିଆ ସାଂସ୍କୃତିକ ଭବନ ନିର୍ମାଣ ପାଇଁ ପ୍ରାୟ ଦୁଇ ଏକର ଜମି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଖୁସିର କଥା ଆଲୋଚନା ସଫଳ ହୋଇଥିବା ବେଳେ ଓଡିଶା ସରକାରଙ୍କ ଶ୍ରମ ବିଭାଗର ପତ୍ର ସଂଖ୍ୟା ୬୬୬୪/ ୧୭-୧୧-୨୨ ପ୍ରକାରେ ଓଡିଶା ସରକାର ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ସୁରାଟରେ ସାଂସ୍କୃତିକ ଭବନ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ କରିଛନ୍ତି। ସାଂସ୍କୃତିକ ଭବନ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶାର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଦ୍ୱାୟିତ୍ୱ ପ୍ରଦାନ କରାଯାଇଛି। ଏହି ସାଂସ୍କୃତିକ ଭବନ ନିର୍ମାଣ ହେଲେ ସୁରାଟର ପ୍ରବାସୀ ଓଡିଆମାନେ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ, ସଭା ସମିତି, ବିବାହ ବ୍ରତ ପ୍ରଭୃତି କାର୍ଯ୍ୟ କରିପାରିବେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପ୍ରତିଶ୍ରୁତି ଦେଇଥିବା ଦୁଇଟି ଐତିହାସିକ ପଦକ୍ଷେପ କାର୍ଯ୍ୟକାରୀ ହୋଇପାରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ