ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: ୪ ସେଲିବ୍ରିଟିଙ୍କ ନାଁରେ ଏତଲା
ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି।`ତାଙ୍କ ଆତ୍ମହତ୍ୟା ପାଇଁ ଅନେକ ଲୋକ କେତେକ ସେଲିବ୍ରିଟିଙ୍କୁ ଦାୟୀ କରୁଥିବା ଦେଖିବାକୁ ମିଳିଛି। ସେଥିପାଇଁ ଓକିଲ ସୁଧୀର କୁମାର ଓଝା ବଲିଉଡର ୪ ଜଣ ବଡ଼ ସେଲିବ୍ରିଟିଙ୍କ ସହିତ ୮ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ଦାଏର କରିଛନ୍ତି। ଏହି ମାମଲାରେ କରନ ଜୋହର, ସଞ୍ଜୟ ଲୀଲା ଭନସାଲୀ, ସଲମାନ ଖାନ ଓ ଏକତା କପୁରଙ୍କ ସମେତ ସୁଶାନ୍ତଙ୍କ ଆତ୍ମହତ୍ୟା ସହିତ ଜଡ଼ିତ ଅନ୍ୟ ୪ ଜଣଙ୍କ ନାମ ମଧ୍ୟ ସାମିଲ୍ ରହିଥିବା ଜଣାପଡ଼ିଛି। ବିହାରର ମୁଜାଫରପୁର କୋର୍ଟରେ ଏହି ମାମଲା ଦାଏର କରାଯାଇଛି। ଆଇପିସି ଧାରା ୩୦୬, ୧୦୯, ୫୦୪ ଓ ୫୦୬ ଅଧୀନରେ ଏହି ମାମଲା ଦାଏର ହୋଇଥିବା ଜଣାପଡ଼ିଛି। ଓକିଲ ସୁଧୀର କୁମାର ଓଝାଙ୍କ କହିବାନୁସାରେ ସୁଶାନ୍ତ ସିଂ ରାଜପୁତଙ୍କୁ ପାଖାପାଖି ୭ଟି ଫିଲ୍ମରୁ ହଟାଇ ଦିଆଯାଇଥିଲା। ତାଙ୍କର କେତେକ ସିନେମାକୁ ରିଲିଜ୍ ହେବାକୁ ଦିଆଯାଇ ନ ଥିଲା। ସୁଶାନ୍ତଙ୍କ ଆଖପାଖରେ ଏପରି ପରିସ୍ଥିତି ସୃଷ୍ଟି କରାଗଲା ଯେ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବୋଲି ଓଝା କହିଛନ୍ତି। ତେବେ ଏହି ମାମଲା ଦାଏର ହେବା ପରେ ଏକତା କପୁରଙ୍କ ପ୍ରତିକ୍ରିୟା ଆସିଛି। ସେ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ ସୁଶୀକୁ କାଷ୍ଟ ନ କରିବା ପାଇଁ ମାମଲା ଦାଏର କରିଥିବାରୁ ଧନ୍ୟବାଦ। ଯେତେବେଳେ କି ମୁଁ ହିଁ ତାଙ୍କୁ ଲଞ୍ଚ କରିଥିଲି। ଏହି ସବୁ ଥିଓରି ପାଇଁ ବହୁତ ଦୁଃଖିତ। ଦୟାକରି ସୁଶାନ୍ତଙ୍କ ପରିବାର ଓ ବନ୍ଧୁଙ୍କୁ ଶାନ୍ତିରେ ରହିବାକୁ ଦିଅନ୍ତୁ। ସତ ନିହାତି ଭାବେ ସାମ୍ନାକୁ ଆସିବ। ଏହା ଉପରେ ବିଶ୍ବାସ ହେଉନି ବୋଲି ଏକତା ଲେଖିଛନ୍ତି।