ସୁସ୍ଥ ହେଲେ ବିଜୟ ମହାନ୍ତି, ଓଡ଼ିଶା ଫେରିବେ
ଭୁବନେଶ୍ୱର: ଓଡ଼ିଶା ଫେରିବେ ଅଭିନେତା ବିଜୟ ମହାନ୍ତି । ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଛି । ତେବେ ଘରକୁ ନୁହେଁ, ବରଂ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ ରହିବ ।
ଅଭିନେତା ଅଖିଳ କୁମାର ପଟ୍ଟନାୟକଙ୍କ ସୂଚନା ମୁତାବକ, ବିଜୟ ମହାନ୍ତି ଓଡ଼ିଶା ଫେରିବାକୁ ଚାହୁଁଥିବା ସମ୍ବନ୍ଧରେ ପ୍ରଥମେ ସେ ସୂଚନା ପାଇଥିଲେ । ଏହା ପରେ ସେ ବିଜୟଙ୍କ ଝିଅଙ୍କ ସହ ଯୋଗାଯୋଗ କରିଥିଲେ । ସେ ମଧ୍ୟ ବାପା ଓଡ଼ିଶାକୁ ଫେରିବାକୁ ଚାହୁଁଥିବା କହିଥିଲେ । ମାତ୍ର ଏଥିରେ ସମସ୍ୟା ହେବାରୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହସ୍ତକ୍ଷେପ ପରେ ଫେରିବାର ବାଟ ଫିଟିଛି । ବିଜୟଙ୍କ ଫେରିବା ପାଇଁ ଏକ ଆମ୍ବୁଲାନ୍ସ ବସର ବ୍ୟବସ୍ଥା କରାଯାଇଛି । ସେଥିରେ ଡାକ୍ତର, ନର୍ସ ଓ ଆଇସିୟୁ ବ୍ୟବସ୍ଥା ସହ ତାଙ୍କ ପରିବାର ଫେରିବେ । ଆଦିତ୍ୟ କେୟାର ହସ୍ପିଟାଲ ପକ୍ଷରୁ ଆମ୍ବୁଲାନ୍ସ ବସର ବ୍ୟବସ୍ଥା କରାଯାଇଛି । ୨/୩ ଦିନ ମଧ୍ୟରେ ସେ ଓଡ଼ିଶା ଫେରି ଚିକିତ୍ସିତ ହେବେ । ଓଡ଼ିଶା ସିନେ କଳାକାର ସଂଘର ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, ବିଜୟ ସାରଙ୍କ ଓଡ଼ିଶା ଫେରିବା ମୋଟାମୋଟି ସ୍ଥିର ହୋଇସାରିଛି । ଏ ସମ୍ପର୍କରେ ସେ ଆସନ୍ତାକାଲି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏଠାରେ ବିଜୟ ସାର ନିଜ ଲୋକମାନଙ୍କୁ ଦେଖିବାକୁ ପାଇବେ । ଏହା ହିଁ ତାଙ୍କର ଇଚ୍ଛା ।