ସୁସ୍ଥ ହେଲେ ୧୦ କରୋନା ଆକ୍ରାନ୍ତ
ଭୁବନେଶ୍ବର : ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ନଜରକୁ ଆସିଛି। ରାଜ୍ୟର ଆଉ ୧୦ ଜଣ କରୋନା ଆକ୍ରାନ୍ତ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପରେ ସେମାନେ ସମ୍ପୂର୍ଣ୍ଣ କରୋନା ମୁକ୍ତ ବୋଲି ଜଣାପଡିଛି। ଭୁବନେଶ୍ବରର ୫ ଜଣ, ଭଦ୍ରକର ୨ ଜଣ, ପୁରୀ, କଟକ ଓ ଯାଜପୁରର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ପୂର୍ବରୁ ଭୁବନେଶ୍ବରର ଦୁଇ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଜଣେ ମୃତ୍ୟୁବରଣ କରିଥିବାବେଳେ ବାକି ୩୫ ଜଣଙ୍କର ଚିକିତ୍ସା ଚାଲିଛି। ଅଳ୍ପ ସମୟ ଭିତରେ ଏହି ଦୁଃସାଧ୍ୟ ଭୂତାଣୁକୁ ପରାସ୍ତ କରିଥିବା ରାଜ୍ୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏଥିପାଇଁ ରାଜ୍ୟବାସୀ ଅଶେଷ ଧନ୍ୟବାଦ ଜଣାଇଛନ୍ତି।