ସୂଚନା ଅଧିକାର ନିୟମରେ ତଥ୍ୟ ପ୍ରଦାନ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧରଣା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସୂଚନା ଅଧିକାର ଆଇନରେ ତଥ୍ୟ ପ୍ରଦାନ କରାନଯିବା ପ୍ରତିବାଦରେ ଆବେଦନକାରୀ ଆସନ୍ତା ୨୦ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନି ଦେଇଛନ୍ତି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର ସୂଚନା ଅଧିକାର କର୍ମୀ ତଥା ଓଡିଶା ସୂଚନା ଅଧିକାର ଅଭିଯାନର ଜଣେ ସକ୍ରୀୟ ସଦସ୍ୟ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଜିଲ୍ଲାପାଳଙ୍କ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଅଭିଯୋଗ କରିଛନ୍ତି ଯେ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନ ମା’ ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ କେତେକ ସରକାରୀ କର୍ମଚାରୀଙ୍କୁ ହାତବାରିସୀ କରି ଟି.ଏଚ.ଆର.(ଛତୁଆ ଓ ଲଡୁ ପ୍ରଭୃତି) ସାମଗ୍ରୀକୁ ବଣ୍ଟନ ନକରି ହଡପ କରିଛନ୍ତି । ଏସମ୍ପର୍କରେ ଦୁଷ୍ମନ୍ତ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ ବି ତାଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ପୁରଣ ହେବା ପରେବି କୈାଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ । ସେ ଅଭିଯୋଗ କରିଛନ୍ତି ଯେ ରାଜକନିକା ଆଇ.ସି.ଡି.ଏସ. କାର୍ଯ୍ୟାଳୟର କେତେକ କର୍ମଚାରୀ ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠିକୁ ସମର୍ଥନ କରି ସାମଗ୍ରୀ ହଡପ ଘଟଣାର ସତ୍ୟତାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି । ଦୁଷ୍ମନ୍ତ ଏ ସମ୍ପର୍କରେ ଗତ ଅକ୍ଟୋବରମାସ ୧୫ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ବି ଅଦ୍ୟାବଧି ସେହି ଅଭିଯୋଗର କୈାଣସି ତଦନ୍ତ କରାଯାଇନାହିଁ । ଏହାବ୍ୟତିତ ବହୁ ସମୟରେ ମା’ ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ନିମ୍ନମାନର ଓ କମ୍ ଓଜନର ଟି.ଏଚ.ଆର. ସାମଗ୍ରୀ ପ୍ରସ୍ତୁତ କରି ବଣ୍ଟନ କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ପୂର୍ବରୁ ବହୁବାର ଅଭିଯୋଗ କରାଯାଇଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଦୁଷ୍ମନ୍ତ ଅଭିଯୋଗ କରିଛନ୍ତି । ଆସନ୍ତା ୧୫ଦିନ ମଧ୍ୟରେ ଏହି ଅଭିଯୋଗ ଉପରେ ତଦନ୍ତ ପୂର୍ବକ ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠି ଓ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏବଂ ସେ ସୂଚନା ଅଧିକାର ଆଇନରେ ମାଗିଥିବା ତଥ୍ୟ ତାଙ୍କୁ ପ୍ରଦାନ କରାନଗଲେ ଚଳିତମାସ ୨୦ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଷ୍ମନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ