ବ୍ୟକ୍ତିଗତ କାର୍ଯ୍ୟରେ ଲାଗୁଛି ନାଲିବତୀ ଗାଡ଼ି
ହାଟଡ଼ିହି, (ବିକାଶ ବିଶ୍ୱାଳ):ଇଂରାଜୀ ନୂଆବର୍ଷ ଉପଲକ୍ଷେ ହାଟଡ଼ିହି ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ଏବେ ବଣଭୋଜି ପାଇଁ ଲୋକଙ୍କ ଭିଡ଼ ଲାଗିଥିବା ବେଳେ ଆଜି ସକାଳୁ ସକାଳୁ ଓଡ଼ି-୦୨-ସିଜି-୧୯୧୧ ନମ୍ବର ବିଶିଷ୍ଟ ଏକ ନାଲିବତୀ ସ୍କର୍ପିଓ କାରରେ କିଛି ଛୋଟ ଛୁଆ ଓ ମହିଳା ବସିଥିବା ବେଳେ ଗାଡ଼ିଟି ଛେନାପଦି ଛକରେ ଠିଆ ହୋଇଥିଲା । ଗାଡ଼ିର ସାମ୍ନା ଓ ପଛ ପାର୍ଶ୍ୱ ନମ୍ବର ପ୍ଲେଟରେ ପି.ଆର ଓ ଡ଼ି.ଡବ୍ଲ୍ୟୁ ବିଭାଗ ଓଡ଼ିଶା ସରକାର ବୋଲି ନାଲି ଷ୍ଟିକରରେ ମଧ୍ୟ ଲେଖା ହୋଇଥିଲା । ଏନେଇ ଉକ୍ତ ଗାଡ଼ିଟିକୁ ଚଳାଉଥିବା ଡ୍ରାଇଭରଙ୍କୁ ପଚାରିବାରୁ ଏଇଟା କେନ୍ଦ୍ରାପଡା ବିଡ଼ିଓଙ୍କ ଗାଡ଼ି ଓ ସେ ଗାଁରୁ ଫେରୁଛନ୍ତି ବୋଲି କହିଥିଲେ । ତେବେ ବିଡ଼ିଓଙ୍କ ଦେଖା ମିଳିନଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି ପ୍ରଶ୍ନରେ ଡ୍ରାଇଭର ଜଣଙ୍କ ଛାନିଆ ହୋଇ ଭଦ୍ରକ ମୁହାଁ ହୋଇ ଠିଆ ହୋଇଥିବା ଗାଡ଼ିଟିକୁ ତରବରିଆ ଭାବେ ବୁଲେଇ ଆନନ୍ଦପୁର ଅଭିମୁଖେ ଶାସଙ୍ଗ ଛକ ନିକଟକୁ ନେଇ ପଳେଇବା ସହ ଗାଡ଼ିରୁ ନାଲିବତୀ ଖୋଲି ଦେଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଆଜି କାର୍ଯ୍ୟ ଦିବସରେ କିଏ ସେ ଅଧିକାରୀ କେନ୍ଦ୍ରାପଡ଼ାରୁ ଛେନାପଦି ଯାଏଁ ସରକାରୀ କାର୍ଯ୍ୟରେ ବ୍ୟବହୃତ ନାଲିବତୀ ଗାଡ଼ିରେ ଆସିଥିଲେ ? ମୁଖ୍ୟ କଥା ହେଲା ସରକାରୀ କାର୍ଯ୍ୟରେ ବ୍ୟବହୃତ ସେହି ଗାଡ଼ିର ଇନ୍ଷ୍ୟୁ୍ରାନ୍ସ କଟି ଯାଇଥିବା ବେଳେ ସରକାରୀ ଗାଡ଼ିଟିକୁ କିଏ ଓ କାହିଁକି ଆଣିଥିଲେ ।


