ସୂଚନା ଦାତାଙ୍କୁ ୫ ହଜାର ପୁରସ୍କାର- ଜିଲ୍ଲପାଳ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ନିର୍ଭୟକଢିର ଜିଲ୍ଲାଟାସ୍କଫୋର୍ସ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲ୍ୟ ବିବାହ ଆଜି ଗୋଟିଏ ବଡ ସାମାଜିକ ସମସ୍ୟା ଓ କୁସଂସ୍କାର ଭାବେ ପରିଗଣିତ ହୋଇ ଆସୁଅଛି । ସଚେତନତାର ଅଭାବରୁ ବାଲ୍ୟ ବିବାହ କରାଯାଉଛି । ନିର୍ଭୟକଢି ଯୋଜନାର କାର୍ଯ୍ୟକ୍ରମ ଗଂଜାମ ଜିଲ୍ଲାରେ ପ୍ରଥମ ଥରପାଇଁ ଜିଲ୍ଲାପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି । ବାଲ୍ୟବିବାହକୁ ସମ୍ପୂର୍ଣ୍ଣରୂପେ ଦୂରୀକରଣ କରିବା ଏବଂ କିଶୋର କିଶୋରୀ ମାନଙ୍କୁ ସଶକ୍ତ କରଣ କରିବା ନିର୍ଭୟ କଢି ଯୋଜନା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗଂଜାମ ଜିଲ୍ଲାପାଳ ପ୍ରକାଶ କରିଥିଲେ । ନିର୍ଭୟକଢି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗ୍ରାମରେ ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରି ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣରୂପେ ଦୂରୀକରଣ କରିବାକୁ ପଡିବ । ବିଦ୍ୟାଳୟ ସ୍ତରରେ ପ୍ରାର୍ଥନା ପରେପରେ ଏହି ଯୋଜନା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ମାନେ ଅବଗତ କରାଇବେ । ଜିଲ୍ଲାର ସମସ୍ତ ବିଦ୍ୟାଳୟର ପାଚେରୀ କାନ୍ଥରେ ‘’ବାଲ୍ୟ ବିବାହକୁ ନା’’ କହିବା ବାର୍ତ୍ତା ସହିତ ଜିଲ୍ଲାପ୍ରଶାସନକୁ ଅଭିଯୋଗ କରିବା ପାଇଁ ମୋବାଇଲ୍ ନଂ ୯୪୩୭୫୬୩୮୦୦ ଏବଂ ଚାଇଲ୍ଡ ଲାଇନ ନଂ ୧୦୯୮ ଲେଖିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅଙ୍ଗନୱାଡିର ପ୍ରୋଜେକ୍ଟ ଓ ସେକ୍ଟର ବୈଠକରେ ବାଲ୍ୟ ବିବାହର କୁପରିମାଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନକରାଇବା ପାଇଁ ଏଜେଣ୍ଡା ରହିବ । ପ୍ରଥପ୍ରାନ୍ତ ନାଟକ ମାଧ୍ୟମରେ ,କୂଳ ସମାଜ ଓ ଗ୍ରାମସଭା ଜରିଆରେ ନିର୍ଭୟ କଢି ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିରୋଧ ଅଧିକାରୀ , ଜିଲ୍ଲା ଶିଶୁ ଅଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଚାଇଲ୍ଡ ଲାଇନ , ଆରକ୍ଷୀ ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଗତ ତନିମାସ ମଧ୍ୟରେ ୮ଟି ଏବଂ ଚଳିତ ବର୍ଷ ଜାନୁୟାରୀ ମାସରୁ ଆଜି ପର୍ଯ୍ୟନ୍ତ ୩୮ଟି ବାଲ୍ୟ ବିବାହକୁ ରୋକାଯାଇ ପାରିଛି । ଜିଲ୍ଲାରେ ବାଲ୍ୟ ବିବାହ ରୋକିବାରେ ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ,ପଞ୍ଚାୟତସ୍ତରୀୟ ଲୋକପ୍ରତିନିଧୀ ଓ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯେଉଁ ମାନେ ବାଲ୍ୟ ବିବାହକୁ ରୋକିବା ନିମନ୍ତେ ସହଯୋଗ କରିବେ ସେମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ ଏବଂ ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦେଲେ ଖବର ଦାତାଙ୍କୁ ୫ହଜାର ପୁରସ୍କାର ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ବିବାହ ସମୟରେ କୂଳ ସମାଜ ଓ ଅଙ୍ଗନୱାଡି କର୍ମୀ ପୁଅ ଝିଅଙ୍କର ଆଧାରକାର୍ଡ, ବିଦ୍ୟାଳୟର ପ୍ରମାଣ ପତ୍ର କିମ୍ବା ଜନ୍ମ ପ୍ରମାଣ ପତ୍ର ଦେଖାଇବେ । ବିଦ୍ୟାଳୟର କୈାଣସି ଛାତ୍ର/ଛାତ୍ରୀ ଗୋଟିଏ ସପ୍ତାହ ଅନୁପସ୍ଥିତ ରହିଲେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ପ୍ରଧାନଶିକ୍ଷୟତ୍ରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇବେ । ଡିସେମ୍ବର ମାସ ଶେଷ ସପ୍ତାହ କିମ୍ବା ଜାନୁୟାରୀ ମାସ ପ୍ରଥମ ସପ୍ତାହରେ ସ୍ୱତନ୍ତ୍ର ଗ୍ରାମ ସଭା ଡାକଇ ନିର୍ଭୟ କଢି ଓ ମୋ ଗେହ୍ଲା ଝିଅ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବେ । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଂଶୁ ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ପଞ୍ଚାୟତ ଅଧିକାରି ଧର୍ମାନନ୍ଦ ସେଠିଆ, ଶିଶୁ ମଙ୍ଗଳ କମିଟି ସଦସ୍ୟା ସିଏଚ୍. ଜ୍ୟୋତି କୁମାରୀ , ସମଗ୍ର ଶିକ୍ଷା ସାଧାରଣ ସହସଂଯୋଜକ ଜ୍ୟୋତି ପ୍ରକାଶ ରଥ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ)ଡାକ୍ତର ସରୋଜିନୀ ଦେବୀ, ଜିଲ୍ଲା ସ୍ୱାସ୍ଥ୍ୟ ମିଶନ୍ ପ୍ରକଳ୍ପ ମ୍ୟାନଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ଆକ୍ସନ୍ ଏଡ୍ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ଚାଇଲ୍ଡ ଲାଇନ, ଲିପିକା, ଏସ୍ ଏସ୍ ଇ ସି ଟି , ଅରୁଣା , ସେବା ,କ୍ୟୁୟସ୍ , ସ୍ମାଇଲ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ ।