ସୂର୍ଯ୍ୟମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଶୁକ୍ରବାର ୧୦ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଯୋଗଦେଇ ନିୟମିତ ଯୋଗ ଅଭ୍ୟାସ ଶରୀରକୁ ସୁସ୍ଥ ରଖିଥାଏ। ଭାରତୀୟ ସଂସ୍କୃତିର ଏକ ପରମ୍ପରାକୁ ବିଶ୍ବରେ ପ୍ରତିପାଦିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯୋଗ ଅଭ୍ୟାସ ଦ୍ବାରା ଆମେ ସମସ୍ତେ ସୁସ୍ଥ ରହିବା ବୋଲି କହିଥିଲେ। ସୂର୍ଯ୍ୟମନ୍ଦିର ସମ୍ମୁଖରେ ସକାଳ ୭ଟାରେ ବିଭିନ୍ନ ସଂଗଠନ,ମହିଳା ସଂଗଠନ, ଶିକ୍ଷାବିତ, ସ୍ବେଛାସେବୀ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇ ସମୁହ ଯୋଗ ଅଭ୍ୟାସ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ସାଂସଦ ସମ୍ବିତ ପାତ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଉପଜିଲ୍ଲାପାଳ ଗୋପିନାଥ କୁଅଁର, ଆଇଟିବିପି ଡିଆଇଜି ୟୁଦିବିର ସିଂ,ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଏଏସଆଇ ସର୍କଲ ସୁପରିଟେଣ୍ଡେଟ ଡିବି ଗଡ଼ନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ ସେଠୀ, ତହସିଲଦାର ରଞ୍ଜନ କୁମାର ପରିଡ଼ା, କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଧଳ,ଗୋପ ବିଡ଼ିଓ ଛବିରାଣୀ ସାହୁ,ନିମାପଡ଼ା ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକ ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ ଯାତ୍ରୀନିବାସରେ ପହଞ୍ଚି ବାଲୁକାଶିଳ୍ପୀ ସରିତା ଗୋଛାୟତଙ୍କ ବାଲୁକାକଳାକୁ ପ୍ରଶଂସା କରିଥିଲେ। କୋଣାର୍କର ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ କୋଣାର୍କ ବିଜେପି କର୍ମକର୍ତା, କୋଣାର୍କ ସାହିତ୍ୟ ସଂସଦ,କୋଣାର୍କ ବାର ଆସୋସିଏସନ୍ ସଭାପତି ଶ୍ରୀଜୟ ବରାଳ, ଆଇନଜୀବୀ ସୁରେଶ ଚନ୍ଦ୍ର ସ୍ବାଇଁ ପ୍ରମୁଖ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।