ସୂର୍ଯ୍ୟ ମନ୍ଦିରରେ ଅଣଓଡ଼ିଆ ଅଧିକାରୀଙ୍କ ମନମାନି…
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):୨୦୨୩ ମସିହାର ରବିବାର ଶେଷଦିନ ହୋଇଥିବା ବେଳେ କୋଣାର୍କ ସୂର୍ଯ୍ୟମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମନ୍ଦିର ପ୍ରବେଶ ଶ୍ଳୁକ ପାଇଁ ଉଭୟ ଅନଲାଇନ ଓ ଅଫ ଲାଇନ୍ ଟିକେଟର ବ୍ୟବସ୍ଥା ରହିଥିବା ବେଳେ କିଛି ଅଣଓଡ଼ିଆ ଅଧିକାରୀଙ୍କ ମନମାନି ଯୋଗୁଁ ପର୍ଯ୍ୟଟକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।ଏପରିକି ଟିକେଟ କାଟିବା ପାଇଁ ପର୍ଯ୍ୟଟକ ମାନେ ଘଣ୍ଟା ଘଣ୍ଟା ଧରି ଖରାରେ ଠିଆ ହୋଇ ରହିଥିବା ବେଳେ ସେମାନଙ୍କୁ ସାମାନ୍ୟତମ ମୌଳିକ ସୁବିଧା ନମିଳିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ମନ୍ଦିର ପରିଦର୍ଶନ ନକରି ଫେରିଯାଉଥିବା ଦେଖିବାକୁ ମିଳିଛି। ଏପରିକି ପର୍ଯ୍ୟଟକ ମାନଙ୍କୁ ଅଧିକାରୀ ମାନଙ୍କ ଦ୍ଵାରା ନିଯୁକ୍ତ କିଛି ତଳିଆ କର୍ମଚାରୀ ମାନେ ଦ୍ରୁବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଅଣଓଡ଼ିଆ ଅଧିକାରୀମାନେ ନିଜର କିଛି ସମ୍ପର୍କୀୟଙ୍କୁ ମନ୍ଦିର ଗେଟରେ ନିୟୋଜିତ କରି ଟିକେଟକୁ ବ୍ଲାକ କରି ପର୍ଯ୍ୟଟକ ମାନଙ୍କୁ ଶୋଷଣ କରୁଥିବା ଗୁରୁତର ଅଭିଯୋଗ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ସବୁ ଘଟଣା ବିଷୟରେ ଖବର ପାଇ କିଛି ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମନ୍ଦିର ମୂଖ୍ୟ ଫାଟକ ସମ୍ମୁଖରେ କୌଣସି ପରିଚୟ ନ ଥିବା ପ୍ରଦୀପ୍ କୁମାର ନାମକ ଏକ ବ୍ୟକ୍ତି ଏ ଏସ ଆଇ ଅଧିକାରୀ ଦେବେନ୍ଦ୍ର କୁମାର ନିର୍ଦ୍ଦେଶ ଅନୁସାରେ ସାମ୍ବାଦିକ ଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ବୁମ୍ କୁ ଠେଲିଦେଥିଲେ। ଏଇ ଘଟଣାକୁ ନେଇ କୋଣାର୍କ ଅଞ୍ଚଳର ସମସ୍ତ ସାମ୍ବାଦିକ ମାନେ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଖବର ଲେଖା ହେବା ବେଳକୁ କୋଣାର୍କ ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବା ଜଣାପଡିଛି।ଯଦି ଉକ୍ତ ଘଟଣାପାଇଁ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ କୋଣାର୍କ ର ସମସ୍ତ ସାମ୍ବାଦିକ ମନ୍ଦିର ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।