ସୃଷ୍ଟିଧର ପରିଡ଼ାଙ୍କ ରାଜନୈତିକ ଉପନ୍ୟାସ‘ଏମିତି ଚାଲିଥିବ’ଲୋକାର୍ପିତ

ବାଲେଶ୍ୱର, (ସରୋଜ ପଣ୍ଡା) :- ଔପନାସିକ ସୃଷ୍ଟିଧର ପରିଡ଼ାଙ୍କ ରାଜନୈତିକ ଉପନ୍ୟାସ ‘ଏମିତି ଚାଲିଥିବ’ ରବିବାର ଅପରାହ୍ଣରେ ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ଆତିଥ୍ୟ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଦେବ ପ୍ରସାଦ ଦାଶ, ବିଶିଷ୍ଟ କବି ଅରୁଣ କୁମାର ସାହୁ, ବିଶିଷ୍ଟ ଔପନାସିକ ଡ. ଭାଗବତ ବେହେରା ବରେଣ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଲୋକାର୍ପିତ କରିଥିଲେ । ଓଡ଼ିଶା ସମେତ ରାଷ୍ଟ୍ରର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ନେଇ ଲିଖିତ ଏହି ଭିନ୍ନ ସ୍ୱାଦର ପୁସ୍ତକରେ ସମାଜର ପ୍ରତିଟି ଦିଗକୁ ଦୃଷ୍ଟିପାତ କରାଯାଇଛି ବୋଲି ଅତିଥିମାନେ କହିଥିଲେ । ରାଜନୀତ ସହ ଜଡ଼ିତ ପ୍ରତିଟି ବିଭାଗର କାର୍ଯ୍ୟଧାରା ସାଙ୍ଗକୁ ସାଧାରଣ ଜନତାଙ୍କ ସ୍ଥିତି ଏହି ପୁସ୍ତକରେ ପ୍ରତିଫଳିତ ହୋଇଛି । ଅନ୍ୟାନ୍ୟ ଉପନ୍ୟାସ ଭଳି ଏଥିରେ ନାୟକ ନାୟିକାଙ୍କ ରୋମାଞ୍ଚକର କାହାଣୀ ନଥିଲେ ବି ସାମ୍ପ୍ରତିକ ସମାଜର ଦୟନୀୟ ବାସ୍ତବତା ଓ ଶାସନ କ୍ଷମତା ସର୍ବସ୍ୱ ରାଜନୀତିରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଭୋଗ କରୁଥିବା ନେତା, ମନ୍ତ୍ରୀ, ସରକାରୀ ଅଧିକାରୀଙ୍କ କାର୍ଯ୍ୟଧାରା ଏବଂ ସାଧାରଣ ଜନତାଙ୍କ ବିକଳ ଚରିତ୍ର ବେଶ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ସ୍ୱତନ୍ତ୍ର ନୂତନ ଋଚିର ଏହି ରାଜନୈତିକ ଉପନ୍ୟାସ ପାଠକଙ୍କ ମନକୁ ଛୁଇଁବ ବୋଲି ସେମାନେ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ । ଦୈନିକ ଖବରକାଗଜ ଧ୍ୱନି ପ୍ରତିଧ୍ୱନି ଓ ପତ୍ରିକା ସାଗରିକାର ସମ୍ପାଦିକା ସୌରିନ୍ଦ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଔପନାସିକ ଶ୍ରୀ ପରିଡ଼ା ନିଜର ଲେଖକୀୟ ଅନୁଭୁତି ଓ ଅଭିଜ୍ଞତା ସମ୍ପର୍କରେ ସୂଚନା ଦେଇଥିଲେ । ଅଧ୍ୟାପିକା ଡ.ଗୀତାଶ୍ରୀ ପ୍ରିୟମ୍ବଦା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଛାତ୍ରୀ ସ୍ୱେତାଲିଶା ଶୁଭଦର୍ଶିନୀ ଓ ସାଇକ୍ରିଷ୍ଣା ସ୍ୱାଗତ ସଙ୍ଗୀତ ଗାନ କରିଥିଷଲ । କବି କାଳିପଦ ପଣ୍ଡା ପୁସ୍ତକ ପ୍ରକାଶନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ